‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

Sep 19, 2026 - 14:15
‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) କୋ-ୟୁନିଟ, ମହିଳା ଶାଖା, ଯୁବ ରେଡ୍‌କ୍ରସ ଓ ଏନ୍‌ସିସିର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା।
କଲେଜ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଡ୍‌ସର ଭୟାବହତା, ସଂକ୍ରମଣର କାରଣ ଓ ପ୍ରତିରୋଧ ସମ୍ପର୍କରେ ଆଲୋକପାତ କରିଥିଲେ। ଯୁବପିଢ଼ି, ବିଶେଷକରି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏଚ୍‌ଆଇଭି/ଏଡ୍‌ସ ସମ୍ପର୍କରେ ସଠିକ ସଚେତନତା ରହିବା ଆବଶ୍ୟକ। ସଚେତନତା ବଢ଼ିଲେ ସଂକ୍ରମଣର ଆଶଙ୍କାକୁ ହ୍ରାସ କରାଯାଇପାରିବ ବୋଲି ସେ କହିଥିଲେ। ଭଞ୍ଜନଗର ମେଡିକାଲ ଆଇସିଟିସିର ପରାମର୍ଶଦାତା ମଞ୍ଜୁଳା ପ୍ରଧାନ ଓ ଡିଏସଆର୍‌ସିର ପରାମର୍ଶଦାତା ଶ୍ୟାମସୁନ୍ଦର ପୃଷ୍ଟି ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଏଡ୍‌ସ ସଂକ୍ରମଣ, ପ୍ରତିରୋଧ ଓ ସଚେତନତା ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ।

ସୂଚନାନୁଯାୟୀ, ଭଞ୍ଜନଗର ବ୍ଲକରେ ଗତ ୧୨ ବର୍ଷ ମଧ୍ୟରେ ୭୨୨ ଜଣ ଏଚ୍‌ଆଇଭି ସଂକ୍ରମିତ ହୋଇଥିବାବେଳେ ସେଥିମଧ୍ୟରୁ ୪୨ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ୨୨ ଜଣ ଛାତ୍ରୀଛାତ୍ର ଏଚ୍‌ଆଇଭି ପାଇଁ ଔଷଧ ସେବନ କରୁଥିବା ସୂଚନା ଦିଆଯାଇଥିଲା।
ଏଚ୍‌ଆଇଭି ସଂକ୍ରମଣ ଅସୁରକ୍ଷିତ ଯୌନ ସମ୍ପର୍କ, ସଂକ୍ରମିତ ରକ୍ତ ଗ୍ରହଣ ଓ ଦୂଷିତ ସିରିଞ୍ଜ ଆଦିର ବ୍ୟବହାର ଦ୍ୱାରା ହୋଇପାରେ। ତେଣୁ ଏ ସମ୍ପର୍କରେ ସଠିକ ତଥ୍ୟ ଜାଣିବା ସହ ସଚେତନ ରହିବା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଜାତୀୟ ସେବା ଯୋଜନା ଅଧିକାରୀ ବାବୁଲା ପ୍ରଧାନ, ମହିଳା ଶାଖା ଯୋଜନା ଅଧିକାରିଣୀ ସସ୍ମିତା ଦାସ, ନାଭାଲ ଅଫିସର ବିଦେଶୀ ରାଉତ, ଯୁବ ରେଡ୍‌କ୍ରସ ଅଧିକାରୀ ସୀମାଞ୍ଚଳ ବେହେରା, ଅଧ୍ୟାପିକା ସୁନିଆ ବିଷୋୟୀ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।