ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା
କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୁରୁବାର ବ୍ୟାପକ ସଫେଇ ଅଭିଯାନ ଆୟୋଜିତ ହୋଇଯାଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିଥିବା ‘ସ୍ବଚ୍ଛତା ହିଁ ସେବା ୨୦୨୬’ ଅଭିଯାନ ଅନ୍ତର୍ଗତ ଏହି ସଫେଇ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ବିଭାଗର କର୍ମଚାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି ସାମୂହିକ ସଫେଇ ଅଭିଯାନରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡା. ରବୀନ୍ଦ୍ର ନାଥ ଖଟୁଆଙ୍କ ସମେତ ଡାକ୍ତର, ନର୍ସ, ସୁରକ୍ଷାକର୍ମୀ, ପାରାମେଡିକାଲ କର୍ମଚାରୀ ଏବଂ ଲ୍ୟାବ କର୍ମଚାରୀମାନେ ଏକାଠି ହୋଇ ହସ୍ପିଟାଲ ପରିସରକୁ ସଫା କରିଥିଲେ।
ସଫେଇ ଅଭିଯାନରେ ନିଜେ ସାମିଲ ହୋଇ ଅଧିକ୍ଷକ ଡା. ରବୀନ୍ଦ୍ର ନାଥ ଖଟୁଆ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ। ହସ୍ପିଟାଲ ପରିବେଶକୁ ସ୍ବଚ୍ଛ ଓ ସୁସ୍ଥ ରଖିବା ଦ୍ୱାରା ରୋଗୀମାନଙ୍କ ପାଇଁ ଏକ ନିରାପଦ ଓ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରିବ ବୋଲି ଅଭିଯାନରେ ଗୁରୁତ୍ୱ ଦିଆଯାଇଥିଲା।
ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ଏହି ସାମୂହିକ ଶ୍ରମଦାନ କେବଳ ହସ୍ପିଟାଲ ପରିସରକୁ ସ୍ବଚ୍ଛ କରିନାହିଁ, ବରଂ ସ୍ଥାନୀୟ ଲୋକଙ୍କୁ ମଧ୍ୟ ନିଜ ଚାରିପାଖର ପରିବେଶକୁ ସଫା ଓ ପରିଷ୍କାର ରଖିବା ପାଇଁ ଏକ ସଚେତନତାର ବାର୍ତ୍ତା ଦେଇଛି।
ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡା. ରବୀନ୍ଦ୍ର ନାଥ ଖଟୁଆଙ୍କୁ ପଚାରିବାରୁ ସେ କହିଥିଲେ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସଦାସର୍ବଦା ସଫାସୁତୁରା ରଖିବା ଆମର କର୍ତ୍ତବ୍ୟ। ସ୍ବଚ୍ଛତାକୁ ନିୟମିତ ଅଭ୍ୟାସରେ ପରିଣତ କରିବା ପାଇଁ ସମସ୍ତେ ମିଳିତ ଭାବେ ଦାୟିତ୍ୱ ନେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।