ସମ୍ପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ
ଥୁଆମୂଳ ରାମପୁର, ୧୯୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଗଡ଼ଜାତର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା’ ମାଣିକେଶ୍ୱରୀଙ୍କ ମୂଳପୀଠ ଥୁଆମୂଳ ରାମପୁରରେ ପବିତ୍ର ଦଶହରା ପର୍ବ ଓ ପ୍ରସିଦ୍ଧ ଛତର ଯାତ୍ରା ସୋମବାର ମହାସମାରୋହରେ ସମ୍ପନ୍ନ ହୋଇଛି। ତନ୍ତ୍ର, ମନ୍ତ୍ର, ଯନ୍ତ୍ର ଓ ଶକ୍ତି ଉପାସନାର ଅନନ୍ୟ ପରମ୍ପରା ସହ ଜଡ଼ିତ ଏହି ଯାତ୍ରାରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହୋଇଥିଲା। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇବା ପାଇଁ ଅନେକ ଭକ୍ତ ରାତିସାରା ଉଜାଗର ରହି ଅପେକ୍ଷା କରିଥିଲେ।
ମା’ ମାଣିକେଶ୍ୱରୀ ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେବା ସହ ସେମାନଙ୍କ ମାନସିକ ପୂରଣ କରନ୍ତି ବୋଲି ଭକ୍ତମାନଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ରହିଛି। ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପୂଜା କମିଟି ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପରମ୍ପରା ଅନୁଯାୟୀ, ଦଶହରା ପର୍ବର ଧାର୍ମିକ ନୀତିକାନ୍ତି ମୂଳାଷ୍ଟମୀ ଦିନଠାରୁ ଆରମ୍ଭ ହୋଇଥାଏ। ଅଭିଷିକ୍ତ ମନ୍ଦିର ପୂଜକଙ୍କ ଦ୍ୱାରା ମା’ଙ୍କ ଖଣ୍ଡାବସା ପର୍ବ ଓ ମସ୍ତକ ସ୍ଥାପନ ପରେ ଷୋଡ଼ଶ ଉପଚାର ପୂଜା ମାଧ୍ୟମରେ ଷୋହଳ ଦିନାତ୍ମକ ପୂଜା ଅନୁଷ୍ଠିତ ହୋଇଥାଏ।
ମହାଷ୍ଟମୀ ମଧ୍ୟରାତ୍ରିରେ ମା’ ଦକ୍ଷିଣ ମହାକାଳୀଙ୍କ ନିକଟରେ ମହାପଶୁବଳି ଅର୍ପଣ ପରେ ମା’ ମାଣିକେଶ୍ୱରୀଙ୍କ ଛତର ଓ ଦକ୍ଷିଣ କାଳୀଙ୍କ କାଳିସୀ ମନ୍ଦିରରୁ ବାହାରି ଜେନାଖାଲ ଅଭିମୁଖେ ଯାତ୍ରା କରିଥିଲେ। ଜେନାଖାଲରେ ମା’ଙ୍କ ଛତର ପହଞ୍ଚିବା ପରେ ସେଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଗୁପ୍ତପୂଜା ଓ ବଳିଭୋଗ ଅର୍ପଣ କରାଯାଇଥିଲା। ପରମ୍ପରା ଅନୁସାରେ ସୂର୍ଯ୍ୟୋଦୟ ପୂର୍ବରୁ ଛତରକୁ ମନ୍ଦିରକୁ ଫେରାଇ ଅଣାଯିବାର ବିଧି ରହିଛି। ତେବେ ବିଭିନ୍ନ ପୂଜାବିଧି ଯୋଗୁ ଏଥର ସକାଳ ପ୍ରାୟ ୬ଟାରେ ଛତର ମନ୍ଦିର ଅଭିମୁଖେ ଫେରିଥିଲା।
ଏହି ପବିତ୍ର ଯାତ୍ରା ସମୟରେ ମାନସିକଧାରୀ ଭକ୍ତମାନେ ମା’ଙ୍କ ଉଦ୍ଦେଶ୍ୟରେ ବଳିଭୋଗ ଅର୍ପଣ କରିଥିଲେ। ବିଭିନ୍ନ ବେଶଭୂଷାରେ ସଜ୍ଜିତ ଶ୍ରଦ୍ଧାଳୁ ଓ କାଳିସୀମାନଙ୍କ ଉପସ୍ଥିତି ଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ଭକ୍ତିମୟ କରିଥିଲା। ଛତର ମନ୍ଦିରରେ ପହଞ୍ଚିବା ପରେ ଅନ୍ୟ ପୂଜକମାନେ ପାରମ୍ପରିକ ବନ୍ଦାପନା କରି ମା’ଙ୍କୁ ସମ୍ମାନର ସହ ଗର୍ଭଗୃହକୁ ପାଛୋଟି ନେଇଥିଲେ।
ଛତର ଯାତ୍ରା ପରବର୍ତ୍ତୀ ଦିନ ବାବା ଖଣ୍ଡୁଆଳଙ୍କ ଛତର ଖେଳ ପଡ଼ିଆକୁ ବିଜେ କରିବାର ପରମ୍ପରା ରହିଛି। ସେଠାରେ ଲାଖ ମରା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ବିଜୟୀ ହେଉଥିବା ପ୍ରତିଯୋଗୀଙ୍କୁ ପୂଜା କମିଟି ପକ୍ଷରୁ ସମ୍ମାନିତ କରାଯିବ।
ଚଳିତ ବର୍ଷ ମା’ ମାଣିକେଶ୍ୱରୀଙ୍କ ଦଶହରା ପର୍ବ ଓ ଛତର ଯାତ୍ରା ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସମ୍ପନ୍ନ ହୋଇଛି। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଆରାଧନା ଥୁଆମୂଳ ରାମପୁର ସହ ଭବାନୀପାଟଣା ଓ କାଶୀପୁର ଅଞ୍ଚଳରେ ମଧ୍ୟ ପ୍ରଚଳିତ। ଏହି ସବୁ ସ୍ଥାନରେ ମଧ୍ୟ ପ୍ରତିବର୍ଷ ପରି ଚଳିତ ବର୍ଷ ଛତର ଯାତ୍ରା ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।