ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ବୈଠକ, ବିପର୍ଯ୍ୟୟ ସମୟରେ…

Nov 02, 2026 - 12:59
ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ବୈଠକ, ବିପର୍ଯ୍ୟୟ ସମୟରେ…

ଛତ୍ରପୁର,୨ା୧୧(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଜିଲାର ସମସ୍ତ ଅଞ୍ଚଳରେ ଆଗୁଆ ପ୍ରସ୍ତୁତି ରଖିବାକୁ ଜିଲାପାଳ ଭି. କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଓସ୍ବାନ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସେ ବିଭିନ୍ନ ବିଭାଗର ପ୍ରସ୍ତୁତି ଓ ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଥିଲେ।

ଜିଲାପାଳ କହିଥିଲେ ଯେ, କେବଳ ଗୋଦାମରେ ଖାଦ୍ୟ ସାମଗ୍ରୀ ମହଜୁଦ୍‌ ରଖିଲେ ହେବ ନାହିଁ, ପ୍ରତ୍ୟେକ ଗାଁରେ ଆବଶ୍ୟକ ପରିମାଣର ଖାଦ୍ୟ ଓ ପାନୀୟ ଜଳ ଆଗୁଆ ମହଜୁଦ୍‌ ରଖିବାକୁ ହେବ। ଆସିକା, ଶେରଗଡ଼, ଧରାକୋଟ ଓ ଚିକିଟି ସମେତ ବିଭିନ୍ନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି ସେ ଆବଶ୍ୟକ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ କହିଥିଲେ। କ୍ଷେତ୍ରସ୍ତରୀୟ ଅଧିକାରୀମାନେ ସଠିକ୍‌ ତଥ୍ୟ ଯାଞ୍ଚ କରି ପ୍ରଦାନ କରିବେ। ଭୁଲ୍‌ ତଥ୍ୟ ପ୍ରଦାନ କିମ୍ବା କାର୍ଯ୍ୟରେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଥିଲେ।

ବିପଦସଙ୍କୁଳ ଓ କ୍ଷତିଗ୍ରସ୍ତ ରାସ୍ତାରେ ବ୍ୟାରିକେଡ୍‌ ଲଗାଇ ଯାତାୟାତ ନିୟନ୍ତ୍ରଣ, ସମସ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଏବଂ ଜଳ ବିଶୋଧନ ଓ କ୍ଲୋରିନେଶନ କାର୍ଯ୍ୟକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆର୍‌ଡି, ଆର୍‌ଆଣ୍ଡବି ଓ ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ମରାମତି ୪୮ ଘଣ୍ଟା ମଧ୍ୟରେ ଶେଷ କରିବାକୁ କୁହାଯାଇଛି। ଧରାକୋଟ ଓ ଆସିକାର କିଛି ଅଞ୍ଚଳକୁ ବାଦ୍‌ ଦେଲେ ଜିଲାର ଅଧିକାଂଶ ସ୍ଥାନରେ ବିଦ୍ୟୁତ ସେବା ପୁନଃସ୍ଥାପିତ ହୋଇଥିବା ଟାଟା ପାଓ୍ବାର ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିସହ ପ୍ରତ୍ୟେକ କଚ୍ଚା ଓ ଚାଳଛପର ଘରେ ରହୁଥିବା ପରିବାରକୁ ତୁରନ୍ତ ପାଲ ବଣ୍ଟନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବିପର୍ଯ୍ୟୟ ସମୟରେ ଲୋକଙ୍କ ସହ ଧୈର୍ଯ୍ୟ, ସହାନୁଭୂତି ଓ ମାନବିକତାର ସହ ବ୍ୟବହାର କରିବା ସହ ସମସ୍ତ କାର୍ଯ୍ୟ ଆନ୍ତରିକତାର ସହ ସମ୍ପାଦନ କରିବାକୁ ଜିଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ବୈଠକରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା, ବ୍ରହ୍ମପୁର ମହାନଗର ନିଗମ କମିଶନର ଆକବରମ ଶଶ୍ୟା ରେଡ୍ଡୀ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବିଭିନ୍ନ ଜିଲାରୁ ଆସିଥିବା ବରିଷ୍ଠ ଅଧିକାରୀ, ଉପଜିଲାପାଳ, ବିଡିଓ, ତହସିଲଦାର ଓ ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।