ସମ୍ମତିରେ ରଖାଯାଇଥିବା ଶାରୀରିକ ସମ୍ପର୍କ ନୁହେଁ ଦୁଷ୍କର୍ମ !

Oct 30, 2026 - 19:18
ସମ୍ମତିରେ ରଖାଯାଇଥିବା ଶାରୀରିକ ସମ୍ପର୍କ ନୁହେଁ ଦୁଷ୍କର୍ମ !

ନନ୍ଦିଘୋଷ ବ୍ୟୁରୋ: ଯଦି ଯୁବକ ଏବଂ ଯୁବତୀ ଦୁହେଁ ପ୍ରେମ ସମ୍ପର୍କରେ ଥିବା ବେଳେ ଦୁହିଁଙ୍କ ସମ୍ମତିରେ ଶାରୀରିକ ସମ୍ପର୍କ ରଖୁଛନ୍ତି ହେଲେ ବ୍ରେକ୍ଅପ୍ ପରେ ଯୁବତୀ ଏହାକୁ ଦୁଷ୍କର୍ମର ଅଭିଯୋଗ ଲଗାଉଛନ୍ତି । ତାହା ହେଲେ ଏହାକୁ ଦୁଷ୍କର୍ମରେ ଗଣା ଯିବ ନାହିଁ ।  ବିବାହର ମିଥ୍ୟା ପ୍ରତିଶୃତି ଦେଇ ଦୁଷ୍କର୍ମ ସମ୍ବନ୍ଧୀୟ ଏକ ମାମଲାରେ ଅଭିଯୁକ୍ତକୁ ନିର୍ଦ୍ଦୋଶରେ ଖଲାସ କରିବା ସମୟରେ ଜଷ୍ଟିସ୍ ବି.ଭି ନାଗାରତ୍ନା ଏବଂ ଆର. ମହାଦେବନଙ୍କ ଖଣ୍ଡପୀଠ ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ସୁପ୍ରିମକୋର୍ଟ ସାମ୍ପ୍ରତିକ ସମୟରେ ଦେଖାଯାଇଥିବା ଏକ ଚିନ୍ତାଜନକ ଟ୍ରେଣ୍ଡ୍ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁଠାରେ ପ୍ରଥମେ ଉଭୟ ପରସ୍ପରର ସହମତିରେ ସମ୍ପର୍କ ସ୍ଥାପନ କରୁଛନ୍ତି, କିନ୍ତୁ ପରେ ସମ୍ପର୍କ ଭାଙ୍ଗିଯିବା ପରେ ଏହାକୁ ଯୌନ ହିଂସା ଅଥବା ଯୌନ ଉତ୍ପୀଡନର ରୂପ ଦେବାକୁ ଚେଷ୍ଟା କରୁଛନ୍ତି।

କୋର୍ଟ ଏ ବିଷୟରେ ସ୍ପଷ୍ଟ କରିଛନ୍ତି ଯେ, ଆରମ୍ଭରୁ ପ୍ରତାରଣା ଏବଂ ମିଛକୁ ଆଧାର କରି ସମ୍ମତି ପାଇବା ଏକ ଅଲଗା କଥା। କିନ୍ତୁ ସମ୍ପର୍କ ଭାଙ୍ଗିବା ପରେ ପୂର୍ବ ଯୌନ ସମ୍ପର୍କ ପାଇଁ ଅନୁତାପ କରିବା ସମ୍ପୂର୍ଣ୍ଣ  ଭିନ୍ନ ବିଷୟ । ତେଣୁ ଖଣ୍ଡପୀଠ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସମ୍ପର୍କ ଶେଷ ହୋଇଯିବା କାରଣରୁ ପୂର୍ବରୁ ସମ୍ମତିପୂର୍ବକ ରଖାଯାଇଥିବା ସମ୍ପର୍କକୁ  ଅପରାଧ ଭାବେ ବିବେଚନା କରାଯାଇପାରିବ ନାହିଁ । କାରଣ ଏଭଳି କରିବା ଦ୍ବାରା କୌଣସି ବ୍ୟକ୍ତିଙ୍କ ସ୍ବାଧୀନତା ଏବଂ ମର୍ଯ୍ୟାଦା ପ୍ରଭାବିତ ହୋଇପାରେ ।  ଏହାସହ କୋର୍ଟ  ଅନ୍ୟ ଏକ ଦିଗକୁ ନେଇ ମଧ୍ୟ କହିଛନ୍ତି ଯେ, ଏପରି ଆଭିମୁଖ୍ୟ ପୁରୁଷକୁ ନିଜ ନିଷ୍ପତ୍ତି ନେବାର ଅଧିକାରରୁ ସମ୍ପୂର୍ଣ୍ଣ ଭାବରେ ବଞ୍ଚିତ କରିଥାଏ । ଯଦି କୌଣସି ବ୍ୟକ୍ତିଙ୍କର ଏହା ଡର ଥାଏ ଯେ, ସମ୍ପର୍କ ଭାଙ୍ଗିଯିବା ପରେ ତାଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଲଗାଯିବ, ତେବେ ସେ କେବଳ ସେହି ଭୟରେ ବାଧ୍ୟ ହୋଇ ସମ୍ପର୍କରେ ବାନ୍ଧି ହୋଇ ରହିଥାନ୍ତି । କୋର୍ଟ ଆହୁରି ପ୍ରଶ୍ନ କରିଛନ୍ତି ଯେ, କଣ ପୁରୁଷଙ୍କର ସମ୍ପର୍କ ଶେଷ କରିବାର ଅଧିକାର ନାହିଁ ? କଣ ତାଙ୍କର ବ୍ରେକଅପ୍ ର ନିଷ୍ପତ୍ତିକୁ ପ୍ରତାରଣା କିମ୍ବା ଠକେଇ କହିବା ଉଚିତ ? ଯାହାକୁ ନେଇ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏପରି କୁହାଯାଇପାରିବ ନାହିଁ ।

ଖଣ୍ଡପୀଠଙ୍କ କହିବାନୁସାରେ, ଏଭଳି ମାମଲାର ଅନେକ ନଜିର ରହିଛି, ଯେଉଁଠାରେ ବିଫଳ ସମ୍ପର୍କକୁ ଅପରାଧିକ ମାମଲାରେ ବଦଳାଇ ଦିଆଯାଏ । କାହିଁକି ନା ଦୁଷ୍କର୍ମ ଏବଂ ସଙ୍ଗୀନ ଅପରାଧ ଏବଂ ଏହାକୁ ପ୍ରକୃତ ଯୌନ ହିଂସା, ବଳପୂର୍ବକ କିମ୍ବା ସହମତି ସହ ଛଳ କପଟ ମାମଲାରେ ବ୍ୟବହାର କରାଯିବା ଉଚିତ । ହେଲେ ପ୍ରତ୍ୟେକ ଭାଙ୍ଗିଯାଇଥିବା ସହମତିପୂର୍ଣ୍ଣ ସମ୍ପର୍କକୁ ଦୁଷ୍କର୍ମର ଅଭିଯୋଗରେ ପରିଣତ କରିବା ଏହି ଗମ୍ଭୀର ଅପରାଧର ପ୍ରକୃତି ଏବଂ ଗୁରୁତ୍ବକୁ ଦୁର୍ବଳ କରିଦିଏ । ତେବେ ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଦୁଷ୍କର୍ମ ମହିଳାଙ୍କ ଶାରୀରିକ ସ୍ବାୟତ୍ତତା ଏବଂ ମର୍ଯ୍ୟାଦା ଉପରେ ଏକ ଗମ୍ଭୀର ଆକ୍ରମଣ । କିନ୍ତୁ ଦୁଷ୍କର୍ମ ମାମଲା ବଢି ବଢି ଚାଲିଥିବା ବେଳେ ଆଜି ବି ଅନେକ ମାମଲା ରିପୋର୍ଟ ହୋଇପାରୁନାହିଁ । ଅନେକ ପୀଡିତା ନିଜର ଏବଂ ନିଜ ପରିବାରର ପ୍ରତିଷ୍ଠା ପାଇଁ ଭୟଙ୍କ ନୀରବ ରହିଯାନ୍ତି । ତେଣୁ ଯେଉଁଠାରେ ତଥ୍ୟ ସ୍ପଷ୍ଟ ରୂପେ ଯୌନ ହିଂସା ଏବଂ ଆକ୍ରମଣକୁ  ସୁଚିତ କରେ, ସେଠାରେ ମାମଲାକୁ ଗମ୍ଭୀରତାର ସହ ନେଇ ମାମଲା ରୁଜୁ କରାଯିବା ଉଚିତ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।