ସର୍ଦ୍ଦାର ବଲ୍ଲଭଭାଇ ପଟେଲ

Oct 31, 2026 - 15:52
ସର୍ଦ୍ଦାର ବଲ୍ଲଭଭାଇ ପଟେଲ

 

ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ 'ଲୌହ ମାନବ' ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଜୟନ୍ତୀ ଅକ୍ଟୋବର ୩୧ରେ ପାଳନ ହୋଇଥାଏ । ଏହି ଦିବସଟିକୁ ସାରା ଦେଶରେ 'ରାଷ୍ଟ୍ରୀୟ ଏକତା ଦିବସ' ଭାବେ ଅତ୍ୟନ୍ତ ଶ୍ରଦ୍ଧା, ଉତ୍ସାହ ଓ ଗୌରବର ସହ ପାଳନ କରାଯାଇଥାଏ । ପରାଧୀନ ଭାରତକୁ ମୁକ୍ତ କରିବା ପାଇଁ ସେ ଗାନ୍ଧୀଜୀଙ୍କ ଆଦର୍ଶରେ ପ୍ରେରିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।  ପ୍ରସିଦ୍ଧ 'ବାରଡୋଲି ସତ୍ୟାଗ୍ରହ'ର ସଫଳ ନେତୃତ୍ୱ ନେଇ ବ୍ରିଟିଶ ସରକାରଙ୍କ ଶୋଷଣ ବିରୋଧରେ ଚାଷୀମାନଙ୍କୁ ସଂଗଠିତ କରି ସେମାନଙ୍କର ଅଧିକାର ସାବ୍ୟସ୍ତ କରିଥିଲେ। ଯେଉଁଥିପାଇଁ ତାଙ୍କୁ 'ସର୍ଦ୍ଦାର' ଉପାଧିରେ ଭୂଷିତ କରାଯାଇଥିଲା। ଦେଶକୁ ଅଖଣ୍ଡ କରିବାରେ ତାଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । କେବଳ ସେତିକି ନୁହେଁ, ଦେଶର ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସର୍ବଭାରତୀୟ ସେବାର ଭିତ୍ତିପ୍ରସ୍ତର ସ୍ଥାପନ କରି ସେ ଆଜିର ପ୍ରଶାସନିକ ଢାଞ୍ଚାର ପୁରୋଧା ସାଜିଥିଲେ । କଠୋର ପରିଶ୍ରମ, ଆତ୍ମବଳୀ ଓ ଦେଶପ୍ରେମର ପ୍ରତୀକ ଭାବେ ପରିଚିତ ଏହି ମହାନ ଜାତୀୟ ନେତାଙ୍କ ଜୀବନୀ ଓ ଆଦର୍ଶ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶଭକ୍ତିର ଶିଖା ପ୍ରଜ୍ଜ୍ୱଳିତ କରୁଛି ଏବଂ ଏକତା ଓ ଅଖଣ୍ଡତା ରକ୍ଷା କରିବା ପାଇଁ ସମଗ୍ର ଜାତିକୁ ଚିରକାଳ ପ୍ରେରଣା ଯୋଗାଇବ । ଭାରତ ସରକାରଙ୍କ ପକ୍ଷରୁ ସର୍ଦ୍ଦାର ପଟେଲଙ୍କ ସମ୍ମାନରେ ପୃଥିବୀର ସବୁଠାରୁ ଉଚ୍ଚ ପ୍ରତିମା ‘ଷ୍ଟାଚୁ୍ୟ ଅଫ୍‌ ୟୁନିଟି’ (୧୮୨ ମିଟର ଉଚ୍ଚ) ପ୍ରତିମୂର୍ତ୍ତି ଗୁଜୁରାଟ ରାଜ୍ୟର ନର୍ମଦା ଜିଲ୍ଲାରେ ସର୍ଦ୍ଦାର ସରୋବର ଡ୍ୟାମ୍‌ ସନ୍ନିକଟ ସାଧୁବେଟ୍‌ ନାମକ ଏକ ଦ୍ୱୀପରେ ନିର୍ମାଣ କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।