ସାଇବର ଠକ ଦମ୍ପତିଙ୍କୁ ବାନ୍ଧିଲା ପୋଲିସ: ଚାଇନାରେ ଥିବା ମାଷ୍ଟରମାଇଣ୍ଡଙ୍କ ଲିଙ୍କ ନେଇ ଖୋଳତାଡ଼
ଜେନାପୁର,୨୦।୧୦(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଆଣ୍ଟିଆ ଗ୍ରାମର ସାଇବର ଠକ ଦମ୍ପତି ବସନ୍ତ କୁମାର ଜେନା ଏବଂ ତାଙ୍କ ପତ୍ନୀ ଝରଣାଙ୍କୁ ଉଠାଇନେଇଛି ବାଲେଶ୍ୱର ପୋଲିସ। ଦୀର୍ଘ ବର୍ଷ ଧରି ସାଇବର ଠକେଇ ଅଭିଯୋଗ ରେ. ବାଲେଶ୍ୱର ସାଇବର ଥାନା ପୋଲିସ କେଶ ନମ୍ବର ୪୩/୨୬ଏକ ମାମଲା ରୁଜୁ କରି. ସ୍ବାମୀସ୍ତ୍ରୀଙ୍କୁ ଗିରଫ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ସାଇବର ଠକେଇ ମାଧ୍ୟମରେ ପ୍ରାୟ ୨.୫ କୋଟି ଟଙ୍କାର ଆର୍ଥିକ କାରବାର ହୋଇଥିବା ମାମଲାରେ ବାଲେଶ୍ୱର ପୋଲିସକୁ ସଫଳତା ମିଳିଛି। ଏକ ହୋଟେଲରେ ଚଢ଼ାଉ କରି ତାମିଲନାଡୁର ଜଣେ ବ୍ୟକ୍ତିଙ୍କୁ ଧରିବା ପରେ ଯାଜପୁର ଜିଲାରୁ ଆଉ ଦୁଇ ଜଣ ଆକାଉଣ୍ଟଧାରୀଙ୍କୁ ଗିରଫ କରାଯାଇଛି। ଏହି ଠକେଇରେ ଚାଇନାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ତଦନ୍ତରେ ସୂଚନା ମିଳିଥିବା ପୋଲିସର ପ୍ରେସ ବିବୃତିରୁ ଜଣାପଡ଼ିଛି। ବାଲେଶ୍ୱର ସାଇବର କ୍ରାଇମ ଓ ଇକୋନୋମିକ ଅଫେନ୍ସ (EO) ଥାନାରେ ମାମଲା ନମ୍ବର ୪୩, ତାରିଖ ୧୮ ଅକ୍ଟୋବର ୨୦୨୬ରେ ଏହି ମାମଲା ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ଏବଂ ଆଇଟି ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।
ପୋଲିସର ସୂଚନା ଅନୁଯାୟୀ, ବିଶ୍ୱସନୀୟ ସୂତ୍ରରୁ ଖବର ପାଇ ସୋରୋ ଥାନା ଅଞ୍ଚଳର ଏକ ହୋଟେଲରେ ଚଢ଼ାଉ କରାଯାଇଥିଲା। ସେଠାରେ ତାମିଲନାଡୁର ଜଣେ ବ୍ୟକ୍ତି ମ୍ୟୁଲ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଠକେଇ ଟଙ୍କାର କାରବାର କରାଇବା ଉଦ୍ଦେଶ୍ୟରେ ଥିବା ସନ୍ଦେହରେ ତାଙ୍କୁ ଅଟକ ରଖାଯାଇଥିଲା। ପଚରାଉଚରା ବେଳେ ସେ ଦେଇଥିବା ବୟାନ ଅନୁଯାୟୀ, ୧୪ ଅକ୍ଟୋବର ୨୦୨୬ରେ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଆକାଉଣ୍ଟ ମାଧ୍ୟମରେ ପ୍ରାୟ ୨.୫ କୋଟି ଟଙ୍କାର ସନ୍ଦେହଜନକ କାରବାର ହୋଇଥିଲା। ଏହି ଆକାଉଣ୍ଟର ନମ୍ବର ୫୧୧୫୨୦୧୧୦୦୦୦୫୫୯ ଏବଂ IFSC କୋଡ BKID0005115 ବୋଲି ପୁଲିସ ସୂଚନା ଦେଇଛି।
ଧରାପଡ଼ିଥିବା ବ୍ୟକ୍ତି ଜଣକ ତାଙ୍କ ବସ୍ଙ୍କ ନିର୍ଦ୍ଦେଶରେ ଠକେଇ କାରବାରକୁ ସହଯୋଗ କରିବା ପାଇଁ ବାଲେଶ୍ୱର ଆସିଥିବା କହିଛନ୍ତି। ତାଙ୍କ ବସ୍ ଚାଇନାରେ ରହୁଥିବା ସେ ଦାବି କରିଛନ୍ତି। ଏହାସହ ସେ ୨୦୦୫ରୁ ଚାଇନାରେ ରହୁଥିବା, ସେଠାରେ ଜଣେ ଚାଇନା ନାଗରିକଙ୍କୁ ବିବାହ କରିଥିବା ଏବଂ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ନେଇ ମଧ୍ୟ ବୟାନ ଦେଇଥିବା ପୋଲିସ କହିଛି।
ତେବେ ଚାଇନାରେ ଥିବା କଥିତ ମାଷ୍ଟରମାଇଣ୍ଡଙ୍କ ପରିଚୟ ଏବଂ ଏହି ଠକେଇରେ ତାଙ୍କର ପ୍ରକୃତ ଭୂମିକା ନେଇ ତଦନ୍ତ ଜାରି ରହିଛି। ତଦନ୍ତ ସମୟରେ ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟର ଧାରକମାନଙ୍କ ନାମ ଓ ଠିକଣା ଚିହ୍ନଟ କରିଥିଲା ପୋଲିସ। ପରବର୍ତ୍ତୀ ସମୟରେ ଯାଜପୁର ଜିଲାରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ ହରିନାଥ କେ. (୪୯)। ସେ ତାମିଲନାଡୁର ରାନିପେଟ ଜିଲ୍ଲା ଅନ୍ତର୍ଗତ କାଭେରୀପାକ୍କମ ଅଞ୍ଚଳର ବାସିନ୍ଦା। ବସନ୍ତ କୁମାର ଜେନା (୫୫) ଯାଜପୁର ଜିଲାର ଜେନାପୁର ଥାନା ଅନ୍ତର୍ଗତ ଅନ୍ତିଆ ଗ୍ରାମର ବାସିନ୍ଦା। ଝରଣା ଜେନା (୪୦) ବସନ୍ତ କୁମାର ଜେନାଙ୍କ ପତ୍ନୀ ଏବଂ ସେହି ଗ୍ରାମର ବାସିନ୍ଦା।
ଏହି ମାମଲାରେ ପୋଲିସ ମୋଟ ୨ଟି ମୋବାଇଲ ଫୋନ ଜବତ କରିଛି। ଠକେଇ ଟଙ୍କାର ପ୍ରକୃତ ଉତ୍ସ, ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ଏବଂ ମୋଟ କେତେ ଟଙ୍କାର ଅବୈଧ କାରବାର ହୋଇଛି, ତାହା ଜାଣିବା ପାଇଁ ତଦନ୍ତ ଚାଲିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।