ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…
ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗାଜଲବାଡ଼ିଠାରେ ପ୍ରବେଶ ପଥରେ ଲାଗିବ ଓଭରହେଡ୍ ବ୍ୟାରିଅର ବା ଉଚ୍ଚ ପ୍ରତିବନ୍ଧକ ଗେଟ୍ ତଥା ହାଇଟ ଗଜ୍। ଏହା ଦ୍ୱାରା ଭାରୀଯାନ ଯାତାୟାତରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇପାରିବ ବୋଲି ଜାତୀୟ ରାଜପଥ ବିଭାଗ ସୋରଡ଼ା ଡିଭିଜନର କର୍ତ୍ତୃପକ୍ଷ କହିଛନ୍ତି। ସେ କହିଛନ୍ତି ଯେ, ଘାଟି ସମ୍ପ୍ରସାରଣ କାର୍ଯ୍ୟ ନ ହେବା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲଗାଇବାକୁ ବିଭାଗ ଯୋଜନା କରିଛି ଏହାକୁ ଶୀଘ୍ର କାର୍ଯ୍ୟକାରୀ କରାଯିବା ପାଇଁ ପ୍ରୟାସ କରାଯାଉଛି। ବିଭାଗ ପକ୍ଷରୁ ଭାରୀଯାନ ଯାତାୟାତରେ କଟକଣା କରାଯିବା ସହ ବଡ଼ ବଡ଼ ହୋର୍ଡିଂ ମାଧ୍ୟମରେ ସୂଚନା ଦିଆଯାଇଥିଲେ ମଧ୍ୟ ରାଜ୍ୟ ବାହାରର ଭାରୀଯାନ ଗୁଗୁଲ ମ୍ୟାପ ଦେଖି ଉକ୍ତ ଘାଟି ରାସ୍ତାରେ ଯାଇ ଦୁର୍ଘଟଣାର ଶିକାର ହେବା ସହ କିଛି ଭାରୀଯାନ ଅଣଓସାରିଆ ଘାଟିରାସ୍ତାରେ ବୁଲାଣିରେ ଯାଇ ନ ପାରି ଫସି ରହୁଥିବା ଓ ରାଜପଥ ବାରମ୍ବାର ଅବରୋଧ ହୋଇ ରହୁଥିବା ଅଭିଯୋଗ ହେଉଛି। ଏହାର ସମାଧାନ ପାଇଁ ରାଜପଥ ବିଭାଗ ଘାଟି ଆରମ୍ଭ ଓ ଶେଷର ଉଭୟପାର୍ଶ୍ୱରେ ଶକ୍ତିଶାଳୀ ଲୁହାରେ ଓଭରହେଡ୍ ବ୍ୟାରିଅର ବା ଉଚ୍ଚ ପ୍ରତିବନ୍ଧକ ଗେଟ୍ ନିର୍ମାଣ କରିବାକୁ ଯୋଜନା କରିଛି। ଗୋଟିଏ ନିର୍ଦ୍ଦିଷ୍ଟ ଉଚ୍ଚତା ରହିବ ଯଦି ଭାରୀଯାନ ଆସେ ତେବେ ସେହି ଓଭରହେଡ୍ ବ୍ୟାରିଅରରେ ଗାଡ଼ିଟି ଯାଇପାରିବ ନାହିଁ ବୋଲି ସୋରଡ଼ା ଡିଭିଜନ କର୍ତ୍ତୃପକ୍ଷ କହିଛନ୍ତି। ଏବେ ମଧ୍ୟ ଘାଟିର ୨ ପାର୍ଶ୍ୱରେ ରହିଥିବା ପାହାଡ଼ର ମାଟି ଓଦା ରହିଥିବାରୁ ଭୂସ୍ଖଳନ ଆଶଙ୍କା ଏଡ଼ାଇ ଦିଆଯାଇନପରେ। ତେଣୁ ଭାରୀଯାନ ପ୍ରତି କଟକଣା କରାଯାଇଛି। ଆଗାମୀ କିଛି ଦିନ ପରେ ବାଲି, ଗୋଡ଼ି ବୋଝେଇ ହାଇଓ୍ବାକୁ ଘାଟିରେ ଯାତାୟାତ ପାଇଁ ଅନୁମତି ଦିଆଯାଇପାରେ। ଏବେ କିନ୍ତୁ ଗଞ୍ଜାମ ଜିଲାପାଳ ଭାରୀଯାନ ପ୍ରତି ସମ୍ପୂର୍ଣ୍ଣ କଟକଣା ନିର୍ଦ୍ଦେଶ ଜାରି କରିଥିବା ଜାତୀୟ ରାଜପଥ ବିଭାଗ ସୋରଡ଼ା ଡିଭିଜନ କର୍ତ୍ତୃପକ୍ଷ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।