ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

Oct 11, 2026 - 08:16
ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଭିତରୁ ହିଁ ଦିଲ୍ଲୀ ପୋଲିସ ଅଟକ ରଖିଥିଲା। ଅଟକ ହେବା ପୂର୍ୱରୁ ଜାରି ଏକ ପୂର୍ୱ-ରେକର୍ଡିଂ

ଭିଡିଓରେ ଦୀପ୍‌କେ ଜଣାଇଛନ୍ତି ଯେ, ସିଜେପିର ଦଳୀୟ ଦାୟିତ୍ୱରେ ଥିବା ଅଜିଙ୍କ୍ୟ ସିନ୍ଧେ ଯନ୍ତରମନ୍ତର ବିକ୍ଷୋଭର ନେତୃତ୍ୱ ନେବେ ଏବଂ ନେତାମାନେ ନ ଥାନ୍ତୁ କିମ୍ୱା ଥାଆନ୍ତୁ, ଏହି ଆନ୍ଦୋଳନ ସମଗ୍ର ଦେଶରେ ଜାରି ରହିବ। ଏହି କଠିନ ସ୍ଥିତି ମଧ୍ୟରେ ଅଟକ ଥିବା ସମୟରେ ଦୀପ୍‌କେଙ୍କୁ ତାଙ୍କ ୮୫ ବର୍ଷୀୟା ଜେଜେମା ସାବିତ୍ରୀବାଈ ଶଙ୍କରରାଓ ଦୀପ୍‌କେଙ୍କ ପରଲୋକ ଖବର ପୋଲିସ ଦେଇଥିଲା ଏବଂ ମାନବିକତା ଆଧାରରେ ମହାରାଷ୍ଟ୍ରସ୍ଥିତ ତାଙ୍କ ଗାଁକୁ ଯିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲା।
ଆପ୍‌ ଜାତୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ୱତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଲୋଧି ଇଷ୍ଟେଟ୍‌ସ୍ଥିତ ବାସଭବନ ବାହାରୁ ଅଟକ ହେବା ସମୟରେ ପୋଲିସ କର୍ମଚାରୀମାନେ ତାଙ୍କୁ ଗୋଡ଼ ଓ ଛାତିରୁ ଉଠାଇ ପୋଲିସ ବସ୍‌ରେ ବସାଇଥିଲେ। ସେ କହଛନ୍ତି, ‘ମୋଦି କେବଳ ଭୋଟ ଚୋରି କରି ନିର୍ୱାଚନ ଜିତୁଥିଲେ ଏବଂ ବର୍ତ୍ତମାନ ସେ ଧରାପଡ଼ିଛନ୍ତି। ଯେଉଁଠି ପୋଲିସ ଅଟକାଇବ, ସେହି ସ୍ଥାନକୁ ଯନ୍ତରମନ୍ତର କରିଦିଅନ୍ତୁ।’ କେଜ୍‌ରିଓ୍ୱାଲଙ୍କ ସହ ଏମ୍‌ପି ସଞ୍ଜୟ ସିଂହ, ଦିଲ୍ଲୀ ଆପ୍‌ ମୁଖ୍ୟ ସୌରଭ ଭାରଦ୍ୱାଜ, ଏମ୍‌ଏଲ୍‌ଏ କୁଲଦୀପ କୁମାର, ଜାତୀୟ ଗଣମାଧ୍ୟମ ଦାୟିତ୍ୱରେ ଥିବା ଅନୁରାଗ ଧଣ୍ଡା ଏବଂ ଗୋପାଳ ରାଇ ମଧ୍ୟ ଅଟକ ହୋଇଛନ୍ତି।
ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାଉଥ ଆଭେନ୍ୟୁରେ ଏମ୍‌ପି ଡେରେକ ଓ’ବ୍ରାଏନ, ଡୋଲା ସେନ୍‌, ସମୀରୁଲ ଇସ୍‌ଲାମ, ପ୍ରତିମା ମଣ୍ଡଳ ଏବଂ ସାକେତ ଗୋଖଲେଙ୍କ ସହ ମୁହଁରେ ବ୍ୟାଣ୍ଡ-ଏଡ୍‌ ଲଗାଇ ପ୍ରତିବାଦ କରିଥିଲେ। ଅପରପକ୍ଷରେ କେରଳ ଭବନ ବାହାରୁ କେରଳର ପୂର୍ୱତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ତ୍ରିପୁରାର ପୂର୍ୱତନ ମୁଖ୍ୟମନ୍ତ୍ରୀ ମାନିକ ସରକାର, ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ଏମ୍‌.ଏ. ବେବି, ବରିଷ୍ଠ ନେତ୍ରୀ ବ୍ରିନ୍ଦା କାରାଟ ଏବଂ ସିଆଇଟିୟୁ ସାଧାରଣ ସମ୍ପାଦକ ଇଲାମାରମ କରିମ୍‌ଙ୍କୁ ଅଟକ ରଖାଯାଇଥିବାବେଳେ ଆଇଏନ୍‌ଏ ମାର୍କେଟ ନିକଟରୁ ସିପିଆଇ(ଏମ୍‌ଏଲ୍‌) ଲିବରେଶନ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ, ଲୋକନେତା ବାଲାଜୀ, ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ, ସୁପ୍ରିମକୋର୍ଟ ଆଡଭୋକେଟ ପ୍ରଶାନ୍ତ ଭୂଷଣଙ୍କୁ ଅଟକ କରାଯାଇଛି। ପିନାରାୟୀ ବିଜୟନ୍‌ ସୋସିଆଲ ମିଡିଆ ଏକ୍ସ ‘X’ରେ ଲେଖିଛନ୍ତି, ବିରୋଧୀଙ୍କୁ ଏତେ ଭୟ କରୁଥିବା ସରକାର ନିର୍ୱାଚିତ ଜନପ୍ରତିନିଧିମାନଙ୍କୁ ପୋଲିସ ଗାଡ଼ିରେ ବନ୍ଦ କରି ବୁଲାଉଛନ୍ତି। ଏହା ଗଣତାନ୍ତ୍ରିକ ଅଧିକାର ଉପରେ ଏକ ସିଧାସଳଖ ଆକ୍ରମଣ।
ପ୍ରଦର୍ଶନ ସମୟରେ କିଛି ସ୍ଥାନରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଇମ୍‌ତିଆଜ ଅଲ୍ଲୀ ମାର୍ଗସ୍ଥିତ ଆକାଶବାଣୀ ଭବନ ଏବଂ କନ୍ନଟ ପ୍ଲେସ୍‌ସ୍ଥିିତ ହନୁମାନ ମନ୍ଦିର ନିକଟରେ ଆନ୍ଦୋଳନକାରୀମାନେ ବାରିକେଡ ଭାଙ୍ଗି ପୋଲିସ ଉପରକୁ ପଥରମାଡ଼ କରିଥିଲେ, ଯେଉଁଥିରେ ୭ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଏଥିସହିତ ଆଇସା ନେତ୍ରୀ ନେହା ବୋରାଙ୍କୁ ଅଟକ କରାଯିବା ସମୟରେ ଦକ୍ଷିଣ ଦିଲ୍ଲୀ ଡିସିପି ଅନନ୍ତ ମିତ୍ତଲଙ୍କ ହାତରେ ଆଘାତ ଲାଗିଥିବାରୁ ପୋଲିସ ଉପରେ ଆକ୍ରମଣ ପାଇଁ ଏକାଧିକ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି।
ପୋଲିସ ବାୱାନାର ରାଜୀବ ଗାନ୍ଧୀ ଷ୍ଟାଡିୟମ ଏବଂ ନାଙ୍ଗଲୋଇ ଷ୍ଟାଡିୟମ୍‌କୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରିଥିଲା, ଯେଉଁଠାରେ ଅଟକ ଥିବା ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ର ଏବଂ ରାଜ୍ୟ ସଭା ସଦସ୍ୟ ଏ.ଏ. ରହିମ ପୋଲିସର ଦୁର୍ୱ୍ୟବହାର ଓ ମୋବାଇଲ ଛଡ଼ାଇନେବା ପ୍ରତିବାଦରେ ଅନଶନ ଆରମ୍ଭ କରିଛନ୍ତି। ଅନେକ କର୍ତ୍ତବ୍ୟରତ ଖବରଦାତାଙ୍କୁ ମଧ୍ୟ ପୋଲିସ ଅଟକ ରଖି ସେମାନଙ୍କ ଫୋନ୍‌ ଜବତ କରଛି। ସୁରକ୍ଷା ପାଇଁ ୧୨୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ (ସିଏପିଏଫ୍‌) ମୁତୟନ କରାଯିବା ସହ ସୋସିଆଲ ମିଡିଆରେ ଭ୍ରାନ୍ତ ତଥ୍ୟ ପ୍ରସାରଣ ରୋକିବାକୁ ୨୦୦ରୁ ଅଧିକ କଣ୍ଟେଣ୍ଟ କ୍ରିଏଟରଙ୍କ ଉପରେ ପୋଲିସ ନଜର ରଖିଛି ଏବଂ ସମଗ୍ର ଦିଲ୍ଲୀରେ ମଦ ଦୋକାନଗୁଡ଼ିକୁ ବନ୍ଦ ରଖାଯାଇଛି। ଏହି ଦମନଲୀଳାକୁ ନେଇ ରାଜନୈତିକ ଦଳର ନେତା ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ସରକାରଙ୍କୁ ସମାଲୋଚନା କରି ଗଣତନ୍ତ୍ରର ହତ୍ୟା କରାଯାଉଛି ବୋଲି କହିଥିବା ବେଳେ ଭାଜପା ଅଧ୍ୟକ୍ଷ ନୀତିନ ନବୀନ, ଦଳୀୟ ନେତା ସମ୍ୱିତ୍‌ ପାତ୍ର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରେସ୍‌ମିଟ୍‌ କରି ବିରୋଧୀ ଦିଲ୍ଲୀକୁ ବନ୍ଧକ ରଖିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।