ସିମନବାଡ଼ି ପଞ୍ଚାୟତର ୩ ଗାଁ ଜଳବନ୍ଦୀ, ବ୍ରିଜ୍ ଉପରେ ୫ ଫୁଟ ଉଚ୍ଚର ପାଣି, ରୋଗୀଙ୍କୁ ପିଠିରେ ବୋହି…
ଦାରିଙ୍ଗବାଡ଼ି,୨୯ା୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ପ୍ରଭାବିତ ହୋଇଛି। ଉକ୍ତ ବ୍ଲକ ସିମନବାଡ଼ି ପଞ୍ଚାୟତର ୩ ଗାଁ ଏବେ ଜଳବନ୍ଦୀରେ ଦିନ କାଟୁଛନ୍ତି।
ପ୍ରକାଶ ଯେ, ଉକ୍ତ ପଞ୍ଚାୟତର ଲାରିବାଡ଼ି, କୁଡ଼ିମୁଞ୍ଜା ଏବଂ ଗବାଟବାଡ଼ି ଦେଇ ପ୍ରବାହିତ ହେଉଥିବା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଗାଁକୁ ସଂଯୋଗ କରୁଥିବା ବ୍ରିଜ୍ ଉପରେ ପ୍ରାୟ ୫ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହି ତିନୋଟି ଗାଁର ଲୋକମାନେ ଉକ୍ତ ବ୍ରିଜ୍ ଦେଇ ଯାତାୟାତ କରିବାରୁ ବଞ୍ଚିତ ହୋଇଛନ୍ତି।
ଲୋକମାନେ ବିକଳ୍ପ ରାସ୍ତା ଭାବେ ଡାକରବାଡ଼ି ଦେଇ ବହୁ ଦୂର ବୁଲି ଯାତାୟାତ କରୁଛନ୍ତି। ତଥାପି ଜରୁରୀ ପରିସ୍ଥିତିରେ ଅନେକ ଲୋକ ବିପଦସଙ୍କୁଳ ଅବସ୍ଥାରେ ବ୍ରିଜ୍ ଉପରେ ପ୍ରବାହିତ ଜଳରାଶିକୁ ପାର ହେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଗୁରୁବାର ସକାଳେ ଦେଖିବାକୁ ମିଳିଛି, ଯେଉଁଥିରେ ଜଣେ ଗୁରୁତର ରୋଗୀଙ୍କୁ ପିଠିରେ ବୋହି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଛି। ଏପରି ସମସ୍ୟା ଯୋଗୁ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଚିନ୍ତା ଏବଂ ଅସନ୍ତୋଷ ବୃଦ୍ଧି ପାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।