ସୁଧୁରୁନି ରାସ୍ତାର ଅବସ୍ଥା, ଏନ୍‌ଏସିକୁ ଦାବିପତ୍ର ପ୍ରଦାନ କରି…

Sep 10, 2026 - 18:43
ସୁଧୁରୁନି ରାସ୍ତାର ଅବସ୍ଥା, ଏନ୍‌ଏସିକୁ ଦାବିପତ୍ର ପ୍ରଦାନ କରି…

ପଦ୍ମପୁର,୧୦ା୯(ପ୍ରଦୀପ୍ତ ଦାଶ): ପଦ୍ମପୁର ଏନ୍‌ଏସି ଅନ୍ତର୍ଗତ ଥାନା ସମ୍ମୁଖରୁ ଡା. ବି.ଆର୍‌. ଆମ୍ବେଦକର ଛକ ପର୍ଯ୍ୟନ୍ତ ରାସ୍ତାର ଦୁରବସ୍ଥା ଦୂର କରି ତୁରନ୍ତ ରାସ୍ତା ନିର୍ମାଣ ଓ ଉନ୍ନତିକରଣ କରିବାକୁ ଦାବି ହୋଇଛି। ଏନେଇ ସ୍ଥାନୀୟ ବାସିନ୍ଦାମାନଙ୍କ ପକ୍ଷରୁ ଏନ୍‌ଏସି କାର୍ଯ୍ୟନିିର୍ବାହୀ ଅଧିକାରୀଙ୍କୁ ଏକ ସାର୍ବଜନୀନ ପିଟିଶନ ପ୍ରଦାନ କରାଯାଇଛି।
ପିଟିଶନ୍‌ରେ ଦର୍ଶାଯାଇଛି ଯେ, ଉକ୍ତ ରାସ୍ତାର ଅବସ୍ଥା ଦୀର୍ଘଦିନ ଧରି ଖରାପ ରହିଥିବାରୁ ସ୍ଥାନୀୟ ବାସିନ୍ଦା ଓ ସାଧାରଣ ଲୋକେ ଯାତାୟାତ ସମୟରେ ବିଭିନ୍ନ ସମସ୍ୟା ଭୋଗୁଛନ୍ତି। ବିଶେଷକରି ବର୍ଷାଦିନେ ରାସ୍ତାରେ କାଦୁଅ ଓ ପାଣି ଜମିବା ଯୋଗୁ ଯାତାୟାତ ଅଧିକ ଦୁର୍ବିସହ ହୋଇପଡ଼ୁଛି।
ଏହି ରାସ୍ତା ଦେଇ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଛାତ୍ରୀଛାତ୍ର, ବୟସ୍କ ବ୍ୟକ୍ତି, ରୋଗୀ ଓ ପଥଚାରୀ ନିୟମିତ ଯାତାୟାତ କରୁଥିବାରୁ ରାସ୍ତାର ଶୀଘ୍ର ଉନ୍ନତିକରଣ ଜରୁରୀ ବୋଲି ପିଟିଶନ୍‌ରେ ଉଲ୍ଲେଖ କରାଯାଇଛି।
ପିଟିଶନ୍‌ରେ ରାସ୍ତାର ସ୍ଥଳ ପରିଦର୍ଶନ କରି ବୈଷୟିକ ସର୍ଭେ କରାଯିବା, ଅନୁମାନ ପ୍ରସ୍ତୁତ କରିବା, ଆବଶ୍ୟକ ଅନୁମୋଦନ ଓ ଅର୍ଥ ବ୍ୟବସ୍ଥା କରି ଶୀଘ୍ର ଟେଣ୍ଡର ଆହ୍ବାନ କରାଯିବା ସହ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି ହୋଇଛି।
ସାର୍ବଜନୀନ ସ୍ବାର୍ଥ ଦୃଷ୍ଟିରୁ ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ଏନ୍‌ଏସି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।