ସୁନାପୁଅ ମଳୟଙ୍କୁ ହରାଇ ବାବେବୀରା ସ୍ତବ୍ଧ: ଜନ୍ମମାଟିରେ ଶୋକାକୁଳ ପରିବେଶ
ରେଙ୍ଗାଲିକ୍ୟାମ୍ପ: ନିଜ କ୍ରୀଡ଼ା ପ୍ରତିଭା ବଳରେ ଅଞ୍ଚଳ ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଥିବା ଉଦୀୟମାନ ଆଥଲେଟ୍ ମଳୟ ବାରିକ (୨୨)ଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ଗୁରୁବାର ସନ୍ଧ୍ୟାରେ ମଳୟଙ୍କ ପାର୍ଥିବ ଶରୀର ଜନ୍ମମାଟି ବାବେବୀରାରେ ପହଞ୍ଚିବା ପରେ ସମଗ୍ର ଗ୍ରାମରେ ଗଭୀର ଶୋକର ଛାୟା ଖେଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଅତାବିରା ଥାନା ଅନ୍ତର୍ଗତ ବାବେବୀରା ଗ୍ରାମର ଶିକ୍ଷକ ମଧୁ ବାରିକଙ୍କ ସୁପୁତ୍ର ମଳୟ କଟକସ୍ଥିତ ଷ୍ଟେଟ୍ ସ୍ପୋର୍ଟସ୍ ହାଇ ପରଫରମାନ୍ସ ସେଣ୍ଟରରେ ରହି ନିୟମିତ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ନେଉଥିଲେ। ସେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରି ନିଜ ଦକ୍ଷତା ପ୍ରତିପାଦନ କରିଥିଲେ। ଗତକାଲି କଟକ-ଭୁବନେଶ୍ୱର ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଆଜି ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ତାଙ୍କ ମରଶରୀର ଗାଁରେ ପହଞ୍ଚିଥିଲା। ପ୍ରତିଭାବାନ ସୁନା ପୁଅଙ୍କୁ ଶେଷ ଦେଖା ଦେଖିବା ପାଇଁ ହଜାର ହଜାର ଗ୍ରାମବାସୀ ତଥା ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରିବାରବର୍ଗଙ୍କ କ୍ରନ୍ଦନରେ ସମଗ୍ର ପରିବେଶ ସ୍ତବ୍ଧ ଓ ଭାବବିହ୍ୱଳ ହୋଇପଡ଼ିଥିଲା। ପରେ ଗ୍ରାମ୍ୟ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ମଳୟଙ୍କ ଅକାଳ ବିୟୋଗରେ ସ୍ଥାନୀୟ କ୍ରୀଡ଼ାବିତ୍, ବୁଦ୍ଧିଜୀବୀ ଓ ଗ୍ରାମବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।