ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ କେତେବେଳେ ସୋସିଆଲ ମିଡିଆ ଭିଡିଓ ଜରିଆରେ ଚର୍ଚ୍ଚାରେ ରହୁଥିବା ଏହି କଳାକାର ଏବେ ଡିଜିଟାଲ ଦୁନିଆରେ ଆଉ ପାଦେ ଆଗକୁ ଯାଇଛନ୍ତି। ସେ ନିଜର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ୍ କରିବା ସହ ପ୍ରଶଂସକଙ୍କ ପାଇଁ କିଛି ଖାସ୍ ଆସୁଥିବାର ଇଙ୍ଗିତ ଦେଇଛନ୍ତି।
ସଲମାନ୍ ଖାନ୍ ନିଜର ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ଭିଡିଓ ଶେୟାର କରି ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ବିଷୟରେ ଘୋଷଣା କରିଛନ୍ତି। ଏହି ଭିଡିଓ ସହ ସେ ଲେଖିଛନ୍ତି, “ଆରମ୍ଭରୁ ଆରମ୍ଭ କରିବା, ମୋର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍। A ରୁ Z ପର୍ଯ୍ୟନ୍ତ ସବୁକିଛି ଏଠାରେ ମିଳିବ”। ସଲମାନ୍ଙ୍କ ଏହି ଘୋଷଣା ପରେ ସୋସିଆଲ୍ ମିଡିଆରେ ବେଶ୍ ହଲଚଲ୍ ସୃଷ୍ଟି ହୋଇଛି ଏବଂ ତାଙ୍କର ସମସ୍ତ ଫ୍ୟାନ୍ସ ଏହି ନିଷ୍ପତ୍ତିକୁ ଉତ୍ସାହର ସହ ସ୍ୱାଗତ କରୁଛନ୍ତି।
ଅନ୍ୟପଟେ, ସଲମାନ୍ ଖାନ୍ ନିଜର ଆଗାମୀ ବହୁପ୍ରତୀକ୍ଷିତ ଫିଲ୍ମ ‘ମାତୃଭୂମି: ମେ ୱାର୍ ରେଷ୍ଟ ଇନ୍ ପିସ୍’ (Maatrubhumi: May War Rest in Peace) କୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ପୂର୍ବରୁ ‘ବ୍ୟାଟେଲ୍ ଅଫ୍ ଗଲୱାନ୍’ ନାମରେ ପରିଚିତ ଥିଲା। ଏହି ସିନେମାରେ ସଲମାନ୍ଙ୍କୁ ଜଣେ ଭାରତୀୟ ସେନା ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ। ଏହା ବ୍ୟତୀତ, ସାଉଥ୍ ନିର୍ଦ୍ଦେଶକ ଭାମସୀ ପୈଡିପଲ୍ଲୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏକ ଆକ୍ସନ୍ ଫିଲ୍ମରେ ମଧ୍ୟ ସେ ଅଭିନୟ କରୁଛନ୍ତି, ଯେଉଁଥିରେ ତାଙ୍କ ସହ ଅଭିନେତ୍ରୀ ନୟନତାରା ନଜର ଆସିବେ। ଏହି ପ୍ରୋଜେକ୍ଟର ଶୁଟିଂ ଚାଲିଥିବା ବେଳେ ଫିଲ୍ମର ନାମ ଓ ମୁକ୍ତିଲାଭ ତାରିଖ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହେବା ବାକି ଅଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।