ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, ୨ରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ…..

Nov 04, 2026 - 22:24
ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, ୨ରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ…..

ନୂଆଦିଲ୍ଲୀ,୪ା୧୧(ପି.ଟି): ବିଗତ କିଛି ଦଶନ୍ଧି ମଧ୍ୟରେ ହୋଇଥିବା ଜନସଂଖ୍ୟା ଜନିତ ପରିବର୍ତ୍ତନ ଯୋଗୁ ଅତ୍ୟଧିକ ଜନସଂଖ୍ୟା ବୃଦ୍ଧିର ଭୟ ଦୂର ହୋଇଯାଇଛି । ତେଣୁ ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରୁଥିବା ଆଇନଗୁଡ଼ିକ ଏବେ ନିଜର ପ୍ରାସଙ୍ଗିକତା ହରାଇଛନ୍ତି ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ୨୦୦୩ ପରଠାରୁ ଭାରତର ସମୁଦାୟ ପ୍ରଜନନ ହାର ୩.୦ ରୁ ୧.୯ କୁ ହ୍ରାସ ପାଇଥିବା ଲକ୍ଷ୍ୟ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ଜନସଂଖ୍ୟା ବୃଦ୍ଧିକୁ ସୀମିତ ରଖିବା ଉଦ୍ଦେଶ୍ୟରେ ପ୍ରଣୟନ କରାଯାଇଥିବା ଆଇନଗୁଡ଼ିକର ଗୁରୁତ୍ୱ ଏବେ ଶେଷ ହୋଇଯାଇଛି। ମଙ୍ଗଳା ଭୀମରାଓ ଇଙ୍ଗଲେଙ୍କ ଦ୍ୱାରା ଦାଖଲ ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ରାୟ ଦେଇଛନ୍ତି। ମହାରାଷ୍ଟ୍ର ଗ୍ରାମ ପଞ୍ଚାୟତ ଅଧିନିୟମ, ୧୯୫୯ ର ଧାରା ୧୪(୧)(ଜେ-୧) ଅନୁଯାୟୀ ୨ରୁ ଅଧିକ ସନ୍ତାନ ଥିବାରୁ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଦର୍ଶାଇ କାକୋଡ଼ା ପଞ୍ଚାୟତର ‘ସରପଞ୍ଚ’ ଭାବେ ତାଙ୍କ ନିର୍ବାଚନକୁ ରଦ୍ଦ କରାଯାଇଥିଲା।
ଜଷ୍ଟିସ ପି ଏସ୍‌ ନରସିଂହ ଏବଂ ଆଲୋକ ଅରାଧେଙ୍କ ଖଣ୍ଡପୀଠ ସର୍ବୋଚ୍ଚ ଅଦାଲତଙ୍କ ଏକ ରାୟକୁ ଦର୍ଶାଇଥିଲେ, ଯେଉଁଥିରେ ହରିୟାଣା ପଞ୍ଚାୟତରାଜ ଅଧିନିୟମର ବୈଧତାକୁ ଯାଞ୍ଚ କରିବା ପରେ ୨ରୁ ଅଧିକ ଜୀବିତ ସନ୍ତାନ ଥିବା ବ୍ୟକ୍ତିଙ୍କୁ ପଞ୍ଚାୟତ ପଦବୀ ପାଇଁ ନିର୍ବାଚନ ଲଢ଼ିବା ବା ସେହି ପଦବୀରେ ରହିବାକୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତିକୁ କୋର୍ଟ କାଏମ ରଖିଥିଲେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।