ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…
ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ମତ୍ସ୍ୟଜୀବୀମାନେ ନଦୀରେ ମୃତଦେହ ଭାସୁଥିବା ଦେଖିବା ପରେ ବୀରମହାରାଜପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ଅଧିକାରୀ ସୁଶାନ୍ତ କୁମାର ରାଉଳଙ୍କ ନେତୃତ୍ୱରେ ପହଞ୍ଚିଥିବା ଟିମ୍ ସ୍ଥାନୀୟ ଡଙ୍ଗା ସହାୟତାରେ ପରପର ଦୁଇଟି ମୃତଦେହ ଉଦ୍ଧାର କରି ସୁବଳୟା ପୋଲିସକୁ ହସ୍ତାନ୍ତର କରିଛନ୍ତି।
ଖବର ପାଇ ସୁବଳୟା ଥାନା ଏସ୍ଆଇ ସଞ୍ଜୀବ କୁମାର ବସ୍ତିଆ ଓ ପରବର୍ତ୍ତୀ ସମୟରେ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ କୁମାର ରାଓ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୋଲିସ ମୃତଦେହ ଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୀରମହାରାଜପୁର ଚିକିତ୍ସାଳୟକୁ ପଠାଇବା ସହ ସୁବଳୟା ଥାନାରେ କେସ୍ ନଂ ୬/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସନ୍ଧ୍ୟା ହୋଇଯାଇଥିବାରୁ ବୁଧବାର ଶବ ବ୍ୟବଚ୍ଛେଦ କରାଯିବ।
ଏକାସାଙ୍ଗରେ ଦୁଇଟି ମୃତଦେହ ଭାସିଆସିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି। ଗତ ରବିବାର ସୁବଳୟା ନିକଟରେ ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ତିନୋଟି ଗାଡ଼ି ସହ ଗଞ୍ଜେଇ ଜବତ କରିଥିବା ବେଳେ କେତେକ ବ୍ୟବସାୟୀ ମହାନଦୀ ପଟକୁ ଫେରାର ହୋଇଯାଇଥିଲେ। ତେଣୁ ଉଦ୍ଧାର ମୃତଦେହ ସେହି ଫେରାର ଗଞ୍ଜେଇ ବ୍ୟବସାୟୀଙ୍କର କି ନାହିଁ କିମ୍ବା ଏହା ପଛରେ କୌଣସି ହତ୍ୟାକାଣ୍ଡ ରହିଛି, ସେ ନେଇ ସନ୍ଦେହ ପ୍ରକାଶ ପାଉଛି। ତେବେ ପୋଲିସ ପକ୍ଷରୁ କୌଣସି ଅଧିକୃତ ପରିଚୟ ନିଶ୍ଚିତ କରାଯାଇ ନଥିବା ବେଳେ ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ହିଁ ସତ୍ୟାସତ୍ୟ ପଦାକୁ ଆସିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।