ସୃଷ୍ଟି ହେଲା ଆଉ ଏକ ଲଘୁଚାପ: ନେବ କି ବାତ୍ୟାର ରୂପ ?
ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଅର୍ଣ୍ଣବ ପରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଖାପାଖି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି। ଏପଟେ ବାତ୍ୟା ଅର୍ଣ୍ଣବର ଅବଶିଷ୍ଠାଂଶ ଗଭୀର ଅବପାତରୁ ଦୁର୍ବଳ ହୋଇ ଅବପାତ ଭାବେ ଦକ୍ଷିଣ ଛତିଶଗଡ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଓଡିଶା ନିକଟରେ କେନ୍ଦ୍ରୀଭୂତ ହୋଇଛି। ଆଗାମୀ ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ଗୋଟିଏ-ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ସେହିପରି ୫ ଜିଲ୍ଲା ଯଥା କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।
ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ୧୫ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୨୧ଟି ସ୍ଥାନରେ ଅତି ପ୍ରବଳ ଏବଂ ୭୧ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସୋରଡ଼ାରେ ୫୦୩.୮ ମିଲିମିଟର, କନ୍ଧମାଳର ଜି. ଉଦୟଗିରିରେ ୪୬୨.୪ ମିଲିମିଟର ଏବଂ ଗଜପତିର ମହେନ୍ଦ୍ରଗଡ଼ରେ ୪୫୮.୮ ମିଲିମିଟର ବର୍ଷା ହୋଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ଓ ବନ୍ୟା ସ୍ଥିତି ଦେଖାଦେଇଛି। ତେବେ ବାତ୍ୟା ଅର୍ଣ୍ଣବର ଗତି ଓ ଦିଗ ପରିବର୍ତ୍ତନ ନେଇ ସ୍ପଷ୍ଟୀକରଣ ଦେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ବାତ୍ୟା ଅର୍ଣ୍ଣବ ତାର ଗତିପଥ ବଦଳାଇ ନାହିଁ । ବରଂ ଗତି ଧୀର ହେବା କାରଣରୁ ୯୦ ଡିଗ୍ରୀ ମୋଡ ନେଇଥିଲା । ଏହାକୁ ଷ୍ଟିୟରିଂ କରେଣ୍ଟ ବୋଲି କୁହାଯାଇଥାଏ । ଷ୍ଟିୟର କରିବା ପାଇଁ ହିଁ ଟାଇମ୍ ଲାଗେ, ଯାହା ଫଳରେ ଗତି ଧିମା ହୋଇଥାଏ ବୋଲି ମନୋରମା କହିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।