ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ୧୯ ରୁ ବଦଳିବ ପାଣିପାଗ

Sep 16, 2026 - 16:09
ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ୧୯ ରୁ ବଦଳିବ ପାଣିପାଗ

ଭୁବନେଶ୍ୱର : ଆସନ୍ତା ୧୯ରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ପୁଣି ଏକ ଲଘୁଚାପ କ୍ଷେତ୍ର । ଯାହା ଫଳରେ ୨୦ ସେପ୍ଟେମ୍ବରରୁ ଓଡ଼ିଶାରେ ପୁଣି ଜୋର ଧରିବ ବର୍ଷାର ପରିମାଣ । ଏବେ ରାଜ୍ୟରେ କୌଣସି ବଡ଼ ପାଣିପାଗ ବ୍ୟବସ୍ଥା ସକ୍ରିୟ ନଥିଲେ ମଧ୍ୟ, ୨୦ ତାରିଖ ପରଠାରୁ ପାଗ ସମ୍ପୂର୍ଣ୍ଣ ବଦଳିବା ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଉତ୍ତର ଥାଇଲ୍ୟାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବ । ତେବେ ୨୦ ଓ ୨୧ ସେପ୍ଟେମ୍ବରରେ ବର୍ଷାର ପରିମାଣ ହଠାତ୍ ବଢ଼ିବାର ଆଶଙ୍କା ଥିବାରୁ କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ପ୍ରଭାବ ମଧ୍ୟ ଦେଖିବାକୁ ମିଳିପାରେ । ଆଜି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା ଏବଂ ଗଜପତିକୁ ୟେଲୋ ଆର୍ଲଟ ଜାରି କରାଯାଇଛି ।

ଅନ୍ୟପଟେ, ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ବାଲେଶ୍ୱର, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ମଧ୍ୟ ଭାରୀ ବର୍ଷା ଓ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ବଳବତ୍ତର ରହିଛି। ଉପକୂଳର କେତେକ ସ୍ଥାନରେ ବିଛିନ୍ନ ବର୍ଷା ଜାରି ରହିବା ବେଳେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସପ୍ତାହର ଶେଷ ପର୍ଯ୍ୟନ୍ତ ପାଗ ପ୍ରାୟ ଶୁଷ୍କ ରହିବ ।

ପାଣିପାଗ ବିଭାଗ ସତର୍କ କରି କହିଛି ଯେ, ଦକ୍ଷିଣ ଓଡ଼ିଶାର ସମ୍ବେଦନଶୀଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସଚେତନ ରୁହନ୍ତୁ ଏବଂ ନିୟମିତ ପାଣିପାଗ ବୁଲେଟିନ ଉପରେ ନଜର ରଖନ୍ତୁ । ପ୍ରଶାସନକୁ ମଧ୍ୟ ସମ୍ଭାବ୍ୟ ବର୍ଷାଜନିତ ପରିସ୍ଥିତି ପାଇଁ ପୂର୍ବ ପ୍ରସ୍ତୁତି ନେବାକୁ ପରାମର୍ଶ ଦିଆଯାଇଛି। 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।