ସୃଷ୍ଟି ହେଲା ବାତ୍ୟା: ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ
ଭୁବନେଶ୍ୱର,୨୬ା୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା । ଫଳରେ ଏହି ବାତ୍ୟାକୁ ନେଇ ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଗଭୀର ଅବପାତରୁ ରୂପ ନେଇଥିବା ଏହି ବାତ୍ୟା କ୍ରମଶଃ ଶକ୍ତିଶାଳୀ ହେବାରେ ଲାଗିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ରାତି ସୁଦ୍ଧା ଏହା ଏକ ‘ଭୀଷଣ ବାତ୍ୟା’ (Severe Cyclonic Storm) ଏବଂ ଆସନ୍ତାକାଲି ସୁଦ୍ଧା ଏକ ‘ଅତି ଭୀଷଣ ବାତ୍ୟାରେ’ (Very Severe Cyclonic Storm) ପରିଣତ ହେବାର ସମ୍ଭାବନା ରହିଛି।
ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ଗଭୀର ଅବପାତ। ନାଗାପାଟନମ୍ ୫୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି। ଚେନ୍ନାଇ ଉପକୂଳ ଠାରୁ ୮୦୦ କିଲୋମିଟର ଦୂରରେ ରହିଛି। ୨୯ ତାରିଖ ମଧ୍ୟରେ ବାତ୍ୟାଟି ଉପକୂଳ ଛୁଇଁବ। ତାମିଲନାଡୁ ଏବଂ ଶ୍ରୀଲଙ୍କା ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ଆଇଏମଡି।
ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡିବ ନାହିଁ। ତଥାପି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବାତ୍ୟାଟି କୂଳ ଆଡ଼କୁ ମୁହାଁଇବା ସମୟରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି।
ସମ୍ଭାବ୍ୟ କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ପ୍ରଭାବିତ ହେବାକୁ ଥିବା ଆଶଙ୍କା କରି ଜିଲାଗୁଡ଼ିକରେ ଓଡ୍ରାଫ୍,
ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରହିଛନ୍ତି। ଉପକୂଳବର୍ତ୍ତୀ ନିମ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ୍ ପାନୀୟ ଜଳ ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ତୁରନ୍ତ ପୁନରୁଦ୍ଧାର କରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।