‘ସେ ମୋତେ ଛାଡ଼ି ବିବାହ କରିଦେଲେ…’ ସିଧା ନାଁ କହି ବଡ଼ ଖୁଲାସା କଲେ ସଲମାନ! ବଲିଉଡରେ ହଲଚଲ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ କରଣ ଜୋହରଙ୍କ ଚାଟ ଶୋ’ ‘କଫି ୱିଥ କରଣ ସିଜନ ୯’ର ପ୍ରଥମ ଏପିସୋଡରେ ନଜର ଆସିଛନ୍ତି। ଏହି ଶୋ’ରେ ସଲମାନ ନିଜର ମଜାଳିଆ ଅନ୍ଦାଜରେ ଦର୍ଶକଙ୍କ ମନ ଜିଣିଛନ୍ତି। କରଣ ଜୋହରଙ୍କ ଶୋ’ରେ ସେ ନିଜ ଜୀବନର ଅନେକ ମଜାଦାର ଘଟଣା ଶେୟାର କରିଛନ୍ତି। ସଲମାନଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁ କରିସ୍ମା କପୁର ମଧ୍ୟ ଶୋ’ରେ ନଜର ଆସିଥିଲେ।
କରିସ୍ମା ଓ ସଲମାନଙ୍କ ବନ୍ଧୁତା ବଲିଉଡରେ ବେଶ ଚର୍ଚ୍ଚିତ। ଦୁହେଁ ଏକାଧିକ ଫିଲ୍ମରେ ଏକାଠି କାମ କରିଛନ୍ତି। ଏବେ କରଣ ଜୋହରଙ୍କ ଶୋ’ରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ମଜାମସ୍ତି ଦେଖିବାକୁ ମିଳିଛି। ଦୁହେଁ ପରସ୍ପରର ମଜା ଉଡ଼ାଇବା ସହ ନିଜ ସମ୍ପର୍କକୁ ନେଇ ଅନେକ ମଜାଦାର କଥା କହିଛନ୍ତି।
କରିସ୍ମା ଓ ସଲମାନ ଏକାଠି ୧୧ଟି ଫିଲ୍ମରେ କାମ କରିଛନ୍ତି ବୋଲି ଅଭିନେତ୍ରୀ ନିଜେ କରଣଙ୍କ ଶୋ’ରେ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଦୁହେଁ ଏକା ସମୟରେ ଦୁଇଟି ଫିଲ୍ମର ସୁଟିଂ କରୁଥିଲେ। ସେମାନଙ୍କ ବ୍ୟାଗ ମଧ୍ୟ ସବୁବେଳେ ପ୍ରସ୍ତୁତ ରହୁଥିଲା। ସୁଟିଂ ପାଇଁ ଡାକରା ଆସିବା ମାତ୍ରେ ଦୁହେଁ ବାହାରି ପଡ଼ୁଥିଲେ।
ଏହି ସମୟରେ କରଣ ଜୋହର କହିଥିଲେ ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୁଇ ଜଣ ଅଭିନେତା ଏକାଠି ଅନେକ ଫିଲ୍ମରେ କାମ କଲେ, ସେମାନଙ୍କ ମଧ୍ୟରେ ନିକଟତା ଆସିବା ସ୍ବାଭାବିକ। ଏହାର ଉତ୍ତରରେ କରିସ୍ମା କହିଥିଲେ ଯେ ସେମାନଙ୍କ ବନ୍ଧୁତା ପ୍ରକୃତରେ ବହୁତ ଗଭୀର ଥିଲା, କିନ୍ତୁ ସେଥିରେ ପ୍ରେମ ସମ୍ପର୍କ ନଥିଲା।
କରିସ୍ମାଙ୍କ ଏହି କଥା ଶୁଣି ସଲମାନ ମଜାଳିଆ ଢଙ୍ଗରେ କହିଥିଲେ, ଏ ମିଛ କହୁଛନ୍ତି। ଆମର ଆଫେୟାର ଥିଲା। ଇଏ ମୋତେ ଛାଡ଼ି ବିବାହ କରିଦେଲେ ଏବଂ ତା’ପରେ ମୋ ହୃଦୟ ଭାଙ୍ଗିଗଲା।
ସଲମାନଙ୍କ ଏହି କଥା ଶୁଣି କରିସ୍ମା ହସି ହସି କହିଥିଲେ, ଏ କ’ଣ କହୁଛନ୍ତି? ଏ ସବୁବେଳେ ଏମିତି କରନ୍ତି। ନିରର୍ଥକ କଥା କହୁଛନ୍ତି।
ଏବେ ସଲମାନ ଓ କରିସ୍ମାଙ୍କ ଏହି ମଜାଳିଆ କଥାବାର୍ତ୍ତା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଦୁହିଁଙ୍କ ଏହି ଅନ୍ଦାଜକୁ ପ୍ରଶଂସକମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି। ସଲମାନ ସହ ନିଜର ବନ୍ଧୁତା କିପରି ଆରମ୍ଭ ହୋଇଥିଲା, ସେ ବିଷୟରେ ମଧ୍ୟ କରିସ୍ମା କପୁର କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ସଲମାନଙ୍କ ଫିଲ୍ମ ‘ମୈନେ ପ୍ୟାର କିୟା’ ରିଲିଜ ହେବା ପରେ ସବୁଠି ତାଙ୍କର ଚର୍ଚ୍ଚା ଚାଲିଥିଲା। ସଲମାନ ଓ କରିସ୍ମାଙ୍କ ଏହି ପୁରୁଣା ବନ୍ଧୁତା ଏବଂ ଶୋ’ରେ ଦୁହିଁଙ୍କ ମଜାଦାର କଥାବାର୍ତ୍ତା ଏବେ ପୁଣି ଥରେ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।