ସେବା କରୁ କରୁ ୨୫ବର୍ଷ - ମୋଦି

Oct 07, 2026 - 12:54
ସେବା କରୁ କରୁ ୨୫ବର୍ଷ - ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି । ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । 

ଆଜି ସାର୍ବଜନୀନ ଜୀବନରେ ୨୫ ବର୍ଷ ପୂରଣ କରିଛନ୍ତି ମୋଦୀ। ଏହି ଅବସରରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବ୍ୟାପୀ ବିଜେପି କର୍ମୀମାନଙ୍କୁ ଭର୍ଚୁଆଲ୍ ଭାବରେ ସମ୍ବୋଧିତ କରିଛନ୍ତି । ଜନସାଧାରଣଙ୍କୁ ସମ୍ବୋଧିତ କରି ନିଜ ରାଜନୈତିକ ଯାତ୍ରାକୁ ନେଇ ଭାବବିହ୍ବଳ ହୋଇଥିଲେ ମୋଦି । ଲୋକଙ୍କ ନିରନ୍ତର ଆଶୀର୍ବାଦକୁ ଶ୍ରେୟ ଦେଇଥିଲେ ଏବଂ ବିଜେପି, ଏନଡିଏ ଏବଂ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,ସେ କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।  ଈଶ୍ୱର ତାଙ୍କୁ ଦେଶ ପାଇଁ ଆହୁରି ଅଧିକ ଶକ୍ତି ସହିତ କାମ କରିବା ଏବଂ ଦିନରାତି ତାଙ୍କ ସହ ନାଗରିକଙ୍କ ସମେତ ସମସ୍ତଙ୍କ ସେବା କରିବା ପାଇଁ ଶକ୍ତି ଦିଅନ୍ତୁ । ଆଜି ସେ ଯାହା ଅଛନ୍ତି ସେଥିରେ ଜନସାଧାରଣ ହିଁ ସର୍ବଶ୍ରେଷ୍ଠ ଅବଦାନକାରୀ ।“ମୁଁ ଏବେ ବି ନିଜକୁ ଜଣେ ଛାତ୍ର ବୋଲି ଭାବୁଛି।” ୨୫ ବର୍ଷର ଜନସାଧାରଣଙ୍କ ବିଶ୍ୱାସ ଏବଂ ୨୫ ବର୍ଷର ଅଭିଜ୍ଞତା ଏକ ମହାନ ସମ୍ପତ୍ତି ବୋଲି ପ୍ରଧାନମନ୍ତ୍ରୀ  କହିଛନ୍ତି ।

ସେହିପରି,ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ‘ସବକା ପ୍ରୟାସ’ ଆହ୍ବାନକୁ ମନେ ପକାଇ କହିଛନ୍ତି ,ଦେଶ ତାଙ୍କୁ ବହୁତ କିଛି ଦେଇଛି। ତେଣୁ, ଦେଶ ତାଙ୍କ ପାଇଁ ସବୁକିଛି। ଦେଶର ନାଗରିକମାନଙ୍କର ତାଙ୍କ ଉପରେ ସବୁଠାରୁ ଅଧିକ ଅଧିକାର ଅଛି । ଭାରତକୁ ନୂଆ ଉଚ୍ଚତାକୁ ନେବା ପାଇଁ ଦେଶବାସୀଙ୍କ ମନରେ ଦୃଢ଼ ସଂକଳ୍ପ ରହିବା ଆବଶ୍ୟକ । ଆମେ କରି ଦେଖାଇବୁ। ବିକଶିତ ଭାରତ-୨୦୪୭, ଆମେ କରି ଦେଖାଇବୁ। ଏହି ସଂକଳ୍ପ ସହ ଦେଶକୁ ଆଗକୁ ନେବା ପାଇଁ ସମସ୍ତେ ମିଳିତ ଭାବେ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି


ଅନ୍ୟପଟେ, ଆଜି ପ୍ରଧନମନ୍ତ୍ରୀଙ୍କ ୨୫ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାରେ ହେବ ସ୍ୱତନ୍ତ୍ର ଆୟୋଜନ। ରାଜ୍ୟର ୩୧ଟି ସାଂଗଠନିକ ଜିଲ୍ଲାରେ ଲୋକଙ୍କ ସହ ଯୋଡ଼ିହେବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ସାମିଲ ହେବେ। ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଭୁବନେଶ୍ୱରରେ ମନମୋହନ ସାମଲ ଉପସ୍ଥିତ ରହିବେ। ତେବେ ମୋଦିଙ୍କ ୨୫ ବର୍ଷର ଜନସେବାକୁ ନେଇ ଏହି ଆୟୋଜନରେ କ’ଣ ରହିଛି ବିଶେଷ କାର୍ଯ୍ୟକ୍ରମ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।