ସେବାରେ ବିଳମ୍ବ ହେଲେ ଅଧିକାରୀ ଗଣିବେ ୫ ହଜାର ତଣ୍ଡ

Aug 24, 2026 - 13:56
ସେବାରେ ବିଳମ୍ବ ହେଲେ ଅଧିକାରୀ ଗଣିବେ ୫ ହଜାର ତଣ୍ଡ

ଭୁବନେଶ୍ୱର : ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସମସ୍ତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଲାଗୁ ହୋଇଛି ‘ଅଟୋ-ଅପିଲ୍ ସିଷ୍ଟମ୍’ । ସାଧାରଣ ପ୍ରଶାସନ ବିଭାଗ ଆଣିଛି ଏମିତି ନୂଆ ଗାଇଡଲାଇନ୍ । ଏଣିକି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ନଦେଲେ ସମ୍ପୃକ୍ତ ଦାୟୀ ଅଧିକାରୀଙ୍କୁ ଜରିମାନା ଗଣିବାକୁ ପଡ଼ିବ । 

ନୂତନ ନିୟମ ଅନୁଯାୟୀ, ସେବା ପ୍ରଦାନରେ ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଉପରେ ଦିନକୁ ୨୫୦ ଟଙ୍କା ଲାଗିପାରେ। ଏହି ଜରିମାନା ଅଧିକାରୀଙ୍କ ଦରମାରୁ କାଟି ନିଆଯିବ। ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରିବ।

ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ସେବା ପାଇବାରେ ଲୋକଙ୍କୁ ଅଯଥା ବିଳମ୍ବର ସମ୍ମୁଖୀନ ହେବାକୁ ନଦେବା। ଏଥିସହିତ ସେବା ପ୍ରଦାନରେ ଅଧିକାରୀମାନଙ୍କ ଦାୟିତ୍ୱବୋଧ ବଢ଼ାଇବା ଏବଂ ସରକାରୀ ବ୍ୟବସ୍ଥାକୁ ଅଧିକ ଜନମୁଖୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସମୟସୀମାରେ ସେବା ନଦେଲେ ଏଣିକି କେବଳ ଅଭିଯୋଗ ନୁହେଁ, ଦାୟୀ ଅଧିକାରୀଙ୍କୁ ଆର୍ଥିକ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।