ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….
ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଆୟୋଜନ କରିଥିବା ଏହି ରାତ୍ରୀ ଭୋଜନରେ ଇବ୍ରାହିମ ମହାନ ଗାୟକ କିଶୋର କୁମାରଙ୍କ ଲୋକପ୍ରିୟ ଗୀତ ‘ଖ୍ୱାବ୍ ହୋ ତୁମ୍ ୟା କୋଇ ହକିକତ୍’ ଗାଇଛନ୍ତି।
ଇବ୍ରାହିମ ନିଜେ ଏହି ପରିବେଷଣର ଭିଡିଓ ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଛନ୍ତି। ଭିଡିଓରେ ଜଣେ ପିଆନୋ ବାଦକ ଗୀତର ସଙ୍ଗୀତ ବଜାଉଥିବା ବେଳେ ମାଲେସିଆ ପ୍ରଧାନମନ୍ତ୍ରୀ ଗୀତଟି ଗାଉଥିବା ଦେଖାଯାଇଛି। ଭିଡିଓଟି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କିଶୋର କୁମାରଙ୍କ ପ୍ରତି ଅନୱାର ଇବ୍ରାହିମଙ୍କ ଭଲପାଇବା ନୂଆ ନୁହେଁ । ଏହା ପୂର୍ବରୁ ମଧ୍ୟ ସେ ଭାରତର ମହାନ ଗାୟକଙ୍କ ଜଣେ ପ୍ରଶଂସକ ବୋଲି କହିସାରିଛନ୍ତି । ୨୦୨୪ରେ ଭାରତରେ ଏକ ସାକ୍ଷାତକାର ସମୟରେ ମଧ୍ୟ ଇବ୍ରାହିମ ଏହି ସମାନ ଗୀତ ଗାଇଥିଲେ।
୧୯୬୫ର ହିନ୍ଦୀ ଫିଲ୍ମ ତୀନ୍ ଦେବିୟାଁର ଏହି ଗୀତକୁ କିଶୋର କୁମାର ଗାଇଥିବା ବେଳେ ଏସ୍.ଡି. ବର୍ମନ ସଙ୍ଗୀତ ଦେଇଥିଲେ ଏବଂ ମଜରୁହ ସୁଲତାନପୁରୀ ଗୀତ ଲେଖିଥିଲେ। ଏହା କିଶୋର କୁମାରଙ୍କ ଲୋକପ୍ରିୟ ରୋମାଣ୍ଟିକ୍ ଗୀତ ମଧ୍ୟରୁ ଅନ୍ୟତମ। ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଶନିବାର ଅନୱାର ଇବ୍ରାହିମ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିଥିଲେ । ଆଲୋଚନା ସମୟରେ ସେ ମୋଦିଙ୍କ ଲୋକପ୍ରିୟତାର ମଧ୍ୟ ପ୍ରଶଂସା କରିଥିଲେ। ଇବ୍ରାହିମ କହିଥିଲେ, “ଦେଖନ୍ତୁ, ପ୍ରଧାନମନ୍ତ୍ରୀ ମୋଦି କେତେ ଲୋକପ୍ରିୟ। ତାଙ୍କ ପାଇଁ ଅଭିନନ୍ଦନ ଜଣାଇବାକୁ ମୋତେ ଅନେକ ମେସେଜ୍ ମିଳିଛି।”
ବ୍ରିକ୍ସ ଗାଲା ଡିନରରେ କେବଳ ସଙ୍ଗୀତ ନୁହେଁ, ଭାରତୀୟ ଖାଦ୍ୟ ମଧ୍ୟ ବିଶେଷ ଆକର୍ଷଣ ଥିଲା। ଅତିଥିମାନଙ୍କ ପାଇଁ ଖାଣ୍ଡଭି ମିଲ୍-ଫୋଇ, ଖୁମ୍ବ ଗଲୌଟି, ପନିର ଲବାବଦାର, ଗୁଚ୍ଛି ମାର୍ମିକ, ମିଲେଟ୍ ପୁଲାଓ ଏବଂ ବିଟ୍ରୁଟ୍ ରାଇତା ଭଳି ବ୍ୟଞ୍ଜନ ପରସା ଯାଇଥିଲା।ମିଠାରେ ଓଲ୍ଡ ଦିଲ୍ଲୀ ଫ୍ରୁଟ୍ କ୍ରିମ୍ ସହ ଜାଲେବି ଏବଂ ଶହତୂତ ଫିର୍ନି ପରସା ଯାଇଥିଲା। ଏହାସହ ଗାଲା ଡିନରରେ ‘ନବରସ-ଦି ୟୁନିଭର୍ସ ଅଫ୍ ସେୟାର୍ଡ ଇମୋସନ୍ସ’ ନାମରେ ସାଂସ୍କୃତିକ ପରିବେଷଣ ଏବଂ ‘ୱାନ୍ ରିଦମ୍, ମ୍ୟାନି କଲଚର୍ସ’ ନାମରେ ବ୍ରିକ୍ସ ସିମ୍ଫୋନୀ ମଧ୍ୟ ପରିବେଷିତ ହୋଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।