ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍

Sep 23, 2026 - 21:05
ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଚଢ଼ଉ କରି ଏକ ସ୍କୁଟି ସହ ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ଶିକୁଳିପଦର ପଞ୍ଚାୟତ ଓଲଣ୍ଡା ଗ୍ରାମର ମଙ୍ଗଳା ଶବର (୪୫)।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୮ଟା ସମୟରେ ଦିଗପହଣ୍ଡି ଅବକାରୀ ଥାନା କର୍ମଚାରୀଙ୍କ ଏକ ଟିମ୍ ପୋଡ଼ାମାରି ରୋଡ୍ ପୁଞ୍ଜିକଂୟା ଛକ ନିକଟରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦ୍ରୁତଗତିରେ ଆସୁଥିବା ଏକ ସ୍କୁଟି (ନଂ OD-07BB-7976) କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଖାନତଲାସି ବେଳେ ସ୍କୁଟିରେ ଏକ ଜରି ଅଖାରେ ବନ୍ଧା ହୋଇ ରହିଥିବା ଗଞ୍ଜେଇ ଜବତ ହୋଇଥିଲା।

ଜବତ ଗଞ୍ଜେଇକୁ ଗଜପତି ଜିଲାରୁ ଆଣି ବ୍ରହ୍ମପୁର ରେଳ ଷ୍ଟେସନ ଅଭିମୁଖେ ଚୋରାରେ ଚାଲାଣ କରାଯାଉଥିବା ନେଇ ଜଣାପଡ଼ିଥିଲା। ଏହାପରେ ଦିଗପହଣ୍ଡି ଅବକାରୀ ଥାନା ଓଆଇସି ସସ୍ମିତା ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତ ମଙ୍ଗଳା ଶବରଙ୍କୁ ଗିରଫ କରାଯାଇଥିଲା। ଏହି ଚଢ଼ଉରେ ଏଏସଆଇ ଏନ୍. ତ୍ରିପତି, କନେଷ୍ଟବଳ ରାଜେଶ ଜେନା, ବଳରାମ ପାତ୍ର, ଆଲଫଲତା ସାହୁ ଏବଂ ଏସ.କେ ରାଜେଶ ଉଦ୍ଦିନ୍ ପ୍ରମୁଖ ସାମିଲ ଥିଲେ।

ଏହି ଘଟଣାରେ ଦିଗପହଣ୍ଡି ଅବକାରୀ ଥାନା ମାମଲା ନଂ. ୧୧୬/୨୬-୨୭ ଅନୁଯାୟୀ ଏକ କେସ୍ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜିଲା ଦୌରା ଜଜ୍ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଆବେଦନ କରାଯାଇଥିବା ଜାମିନ୍ ନାମଞ୍ଜୁର ହୋଇଯିବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ନେଇ ଅବକାରୀ ଓଆଇସି ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।