ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…
ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର ଲୋକେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଶନିବାର ମୃତଦେହ ନେଇ ପହଞ୍ଚିଛନ୍ତି।
ସୂଚନା ମୁତାବକ, ଭଦ୍ରକ ଜିଲା ତିହିଡ଼ି ବ୍ଲକ ଈଶ୍ୱରପୁର ତିଆଡ଼ି ସାହିର ପ୍ରମିଳା ବାରିକଙ୍କ ଦେହ ଅସୁସ୍ଥ ହୋଇଥିଲା।ଆଖିକୁ ଦେଖା ନ ଯିବା ସହ ପାଟି ଶୁଖିଲା ହୋଇଯାଉଥିଲା। ପରିବାର ଲୋକେ ଗୁରୁବାର ସକାଳେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହକୁ ସତ୍କାର କରାଯାଇଥିଲା। କିନ୍ତୁ ଗୁରୁବାର ରାତିରେ ସେହି ଘରେ ସ୍ବାମୀ ପରମାନନ୍ଦ ବାରିକ ଶୋଇଥିଲେ। ଶୁକ୍ରବାର ସକାଳୁ ପରମାନନ୍ଦଙ୍କର ସମାନ ଲକ୍ଷଣ ଦେଖାଯିବା ସହ ଅସୁସ୍ଥ ହୋଇଥିଲେ। ତାଙ୍କୁ ପ୍ରଥମେ ତିହିଡ଼ି ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକ ଯିବା ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ପରମାନନ୍ଦଙ୍କ ମୃତଦେହ ରଖାଯାଇଛି। ତେବେ ଏହା ସାପକାମୁଡ଼ା ଲକ୍ଷଣ ହୋଇଥିଲା ବେଳେ ପରମାନନ୍ଦଙ୍କ ମାଟିଘର ବନ୍ୟାପାଣି ଘେରରେ ରହିଛି। ଶୋଇବା ଘରରେ ଏକାଧିକ ଗାତ ରହିଛି l ତେଣୁ ସର୍ପାଘାତରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ବୋଲି ତାଙ୍କ ଭିଣୋଇ କହିଛନ୍ତି l ପୋଲିସକୁ ଜଣାଇ ପ୍ରମିଳାଙ୍କ ମୃତଦେହକୁ ଖୋଳି ଆଣିଛନ୍ତି। ତେବେ ଉଭୟଙ୍କ ମୃତ୍ୟୁରେ ତାଙ୍କ ପରିବାର ବେସାହାରା ହୋଇପଡ଼ିଛି l ତାଙ୍କର ଦୁଇ ପିଲା ସହ ବୃଦ୍ଧ ପିତାମାତା ଅସହାୟ ହୋଇ ପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।