ସ୍ପେନ୍‌ରେ ଦୁଇଟି ଦ୍ରୁତଗାମୀ ଟ୍ରେନ୍ ଧକ୍କା: ୩୯ ଜଣଙ୍କ ମୃତ୍ୟୁ

Oct 28, 2026 - 16:10
ସ୍ପେନ୍‌ରେ ଦୁଇଟି ଦ୍ରୁତଗାମୀ ଟ୍ରେନ୍ ଧକ୍କା: ୩୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସ୍ପେନ୍‌ରେ ବୁଧବାର ଦୁଇଟି ଦ୍ରୁତଗାମୀ ଟ୍ରେନ୍ ମଧ୍ୟରେ ଧକ୍କା ହେବା ଫଳରେ ଅତି କମ୍‌ରେ ୩୯ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ନେଇ ଦି ଇଣ୍ଡିପେଣ୍ଡେଣ୍ଟ ଖବର ପ୍ରକାଶ କରିଛି। ମାଡ୍ରିଡ୍‌-ଆଣ୍ଡାଲୁସିଆ ରେଳପଥରେ ଏହି ଦୁର୍ଘଟଣା ଘଟିଥିବାରୁ ରେଳ ଚଳାଚଳ ବନ୍ଦ କରାଯାଇଛି ବୋଲି ରେଳ ପରିଚାଳନା ସଂସ୍ଥା ଆଡିଫ୍‌ କହିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି ଏବଂ ପରିସ୍ଥିତିର ସମୀକ୍ଷା କରୁଛନ୍ତି। ସ୍ଥାନୀୟ ସମୟ ଅନୁଯାୟୀ ବୁଧବାର ସକାଳ ୯ଟା ପରେ ପରେ ଟୋଲେଡୋ ପ୍ରଦେଶର ମୋରା ଓ ଅର୍ଗାଜ୍‌ ସହର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ରେନ୍‌ଫେ ଏବଂ ଇରିଓ କମ୍ପାନିର ଦୁଇଟି ଦ୍ରୁତଗାମୀ ଟ୍ରେନ୍ ସାମିଲ ଥିଲା। ଉଭୟ ଟ୍ରେନ୍ ମାଡ୍ରିଡ୍‌ରୁ ସେଭିଲ୍‌ ରୁଟ୍‌ରେ ଚଳାଚଳ କରୁଥିଲା। କାଷ୍ଟିଲା-ଲା ମାଞ୍ଚା ଆଞ୍ଚଳିକ ସରକାରଙ୍କ ଜଣେ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଧକ୍କାର ପ୍ରଭାବରେ ଇରିଓ ଟ୍ରେନ୍‌ର ଦୁଇଟି ବଗି ରେଳଧାରଣାରୁ ଖସିଯାଇଥିଲା। ଆଡିଫ୍‌ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛି ଯେ, ଦୁଇଟି ଟ୍ରେନ୍ ପଛପଟୁ ଧକ୍କା ହେବା ପରେ ମାଡ୍ରିଡ୍‌-ଆଣ୍ଡାଲୁସିଆ ଦ୍ରୁତଗାମୀ ରେଳପଥରେ ଟ୍ରେନ୍ ଚଳାଚଳ ସ୍ଥଗିତ ରଖାଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଫଟୋଗୁଡ଼ିକରେ କିଛି ରେଳବଗି ରେଳଧାରଣା ପାଖରେ ଥିବା ଏକ ଖାଲରେ ପାର୍ଶ୍ୱକୁ ଓଲଟି ପଡ଼ିଥିବା ଦେଖାଯାଇଛି। ଦୁର୍ଘଟଣାସ୍ଥଳରେ ଚାରିଆଡ଼େ ଭଙ୍ଗା ଲୁହା ଓ ଟ୍ରେନ୍‌ର ଭଗ୍ନାବଶେଷ ବିଛାଡ଼ି ହୋଇ ପଡ଼ିଥିଲା। କାଷ୍ଟିଲା-ଲା ମାଞ୍ଚା ଟେଲିଭିଜନ୍‌ରେ ପ୍ରସାରିତ ଦୃଶ୍ୟରେ ରେଳପଥର ଏକ ଉଚ୍ଚ ଅଂଶରେ ଅତି କମ୍‌ରେ ଗୋଟିଏ ବଗି ଫସି ରହିଥିବା ଦେଖାଯାଇଥିଲା। ତଳେ ଥିବା ଢାଲୁ ଅଞ୍ଚଳରେ ମୋଡ଼ି ହୋଇଯାଇଥିବା ଧାତବ ଅଂଶ ଓ ଭଙ୍ଗା ପ୍ୟାନେଲ୍‌ଗୁଡ଼ିକ ପଡ଼ିଥିଲା। ଦୁର୍ଘଟଣା ଖବର ପାଇବା ମାତ୍ରେ ଜରୁରୀକାଳୀନ ସେବା ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିକଟସ୍ଥ ଉର୍ଦା ସହରର ମେୟର ମାନୁଏଲ୍‌ ଗାଲାନ୍‌ ସ୍ପେନ୍‌ର ରେଡିଓ ନେଟୱର୍କ କାଡେନା ଏସ୍‌ଇଆରକୁ କହିଛନ୍ତି ଯେ, ଆହତ ଓ ଯାତ୍ରୀମାନଙ୍କ ରହିବା ପାଇଁ ଏକ କ୍ରୀଡ଼ା ହଲ୍‌ ସମେତ ଜରୁରୀକାଳୀନ ଆଶ୍ରୟସ୍ଥଳ ପ୍ରସ୍ତୁତ କରିବାକୁ ସ୍ଥାନୀୟ ପରିଷଦକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ପେନ୍‌ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପରିସ୍ଥିତି ଉପରେ ନଜର ରଖିବା ପାଇଁ ସେ ପରିବହନ ମନ୍ତ୍ରୀ ଓ ଆଞ୍ଚଳିକ ସରକାରଙ୍କ ସହ ଯୋଗାଯୋଗରେ ଥିବା କହିଛନ୍ତି। ଏଥିସହ ସେ ମୃତକଙ୍କ ପରିବାର ଓ ଆହତମାନଙ୍କ ପ୍ରତି ନିଜର ସମବେଦନା, ଏକତା ଓ ସମର୍ଥନ ଜଣାଇଛନ୍ତି। ଏହି ଦୁର୍ଘଟଣାର ମାତ୍ର ୯ ମାସ ପୂର୍ବରୁ ଏହି ରେଳପଥରେ ଆଉ ଏକ ଭୟାବହ ଟ୍ରେନ୍ ଦୁର୍ଘଟଣା ଘଟିଥିଲା। ଗତ ଜାନୁଆରୀ ମାସରେ କୋର୍ଡୋବା ପ୍ରଦେଶର ଆଡାମୁଜ୍‌ ନିକଟରେ ଏକ ଇରିଓ ଟ୍ରେନ୍ ରେଳଧାରଣାରୁ ଖସିଯାଇ ବିପରୀତ ଦିଗରୁ ଆସୁଥିବା ଏକ ରେନ୍‌ଫେ ଟ୍ରେନ୍‌ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪୬ ଜଣଙ୍କ ମୃତ୍ୟୁ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।