ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

Aug 22, 2026 - 19:29
ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇ ଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଝରିଗାଁ ଗ୍ରାମର ଶିବ ରାମ ପାଢ଼ୀ ଏବଂ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ପାତ୍ର(୩୧) ଏକ ବାଇକ୍‌ ଯୋଗେ ଘରୁ E-KYC କରିବା ପାଇଁ ଉମରକୋଟ ସ୍ଥିତ ଗ୍ୟାସ ଅଫିସ ଯାଉଥିଲେ। ଏକମ୍ବା ଗ୍ରାମ ବିଦ୍ୟାଳୟ ନିକଟରେ ଗୀତାଞ୍ଜଳି ପକାଇଥିବା ଓଢ଼ଣୀ ବାଇକର ପଛ ଚକାରେ ଗୁଡ଼ାଇ ହୋଇଯାଇଥିଲା। ଫଳରେ ଗୀତାଞ୍ଜଳି ଗାଡ଼ି ଚଳନ୍ତା ଅବସ୍ଥାରେ ମୁହଁମାଡ଼ି ତଳେ ପଡିଯାଇଥିଲେ। ସେହି ରାସ୍ତା ଦେଇ ଆସୁଥିବା ପ୍ରିୟରଞ୍ଜନ ମଲ୍ଲିକ ଘଟଣା ଦେଖି ଉଭୟଙ୍କୁ ଏକ ଅଟୋ ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ମୁହଁରେ ଗଭୀର ଆଘାତ ସହ ନାକ ଓ କାନ ପଟୁ ରକ୍ତ ବନ୍ଦ ନ ହେବା ଯୋଗୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରିଥିଲେ। ଆମ୍ବୁଲାନ୍ସ ଯୋଗେ ପରିବାର ଲୋକ କୋରାପୁଟ ଯିବା ସମୟରେ ଜୟପୁର ପହଞ୍ଚିବା ପୂର୍ବରୁ ଗୀତାଞ୍ଜଳିଙ୍କ ଦେହାନ୍ତ ହୋଇଯାଇଥିଲା। ଶେଷରେ ଜୟପୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସେଠାରେ କାର୍ଯ୍ୟରତ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।