ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଫସଲ ନଷ୍ଟ ହୋଇଥିଲେ ମିଳିବ ଏତେ…

Aug 18, 2026 - 14:09
ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଫସଲ ନଷ୍ଟ ହୋଇଥିଲେ ମିଳିବ ଏତେ…

ଭୁବନେଶ୍ୱର , ୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ହଜାରେ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ ଘୋଷଣା କରାଯାଇଛି। ୩୩% କିମ୍ବା ଊର୍ଦ୍ଧ୍ୱ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ। ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦, ଜଳସେଚିତ ଜମି ପାଇଁ ୧୭୦୦୦ ଏବଂ ୧୨ ମାସୀ ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ମିଳିବ ମିଳିବ। ଏହା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କିଣିବାକୁ ଆର୍ଥିକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରେସମିଟ୍‌ କରି କହିଛନ୍ତି, ଲଗାତାର ବନ୍ୟା କିଛି ଜିଲାରେ କ୍ଷତି ଘଟାଇଛି। ଯାଜପୁରର ୧୦ ବ୍ଲକର ୨୭୦ ଗାଁରେ ୨ ଲକ୍ଷ ୮୦ ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଜିଲାରେ ୨୦୩ଟି ରିଲିଫ ସେଣ୍ଟର ଖୋଲାଯାଇଛି। ସେହିପରି ଭଦ୍ରକ ଜିଲାର ୪ ବ୍ଲକର ୧୪୯ ଗାଁ ବନ୍ୟା ପ୍ରଭାବିତ ହୋଇଛି। ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ବି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ମୋଟ ଭାବେ ୬ ଜିଲାର ୭୪ ବ୍ଲକ ବନ୍ୟା ପ୍ରଭାବିତ। ୬ ଜିଲାରେ ୪୫ ଓଡ୍ରାଫ ଓ ୮ NDRF ଟିମ ମୁତୟନ ଅଛନ୍ତି। ଆମର ଗୋଟିଏ ଟାର୍ଗେଟ ଜିରୋ କାଜୁଆଲିଟି, ସେ ଦିଗରେ କାମ କରୁଛୁ। ଶହେରୁ ଊଦ୍ଧର୍‌ବ ଲୋକଙ୍କୁ ସାପ କାମୁଡ଼ିଛି, ଆମର ପ୍ରସ୍ତୁତି ପାଇଁ କାହାର ମୃତ୍ୟୁ ହୋଇନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।