ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

Oct 03, 2026 - 20:38
ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ ରଶିଦ ଅଲ୍‌ ମକତୁମ ଭେଟି ପ୍ରଶଂସା କରିଛନ୍ତି। ଭାରତୀୟ ପାଇଲଟଙ୍କ ଅଦମ୍ୟ ସାହସ, ଦାୟିତ୍ୱବୋଧ ଏବଂ ମାନବ ଜୀବନ ପ୍ରତି ଦାୟିତ୍ୱବୋଧକୁ ଭୁରିଭୁରି ପ୍ରଶଂସା କରିଛନ୍ତି। ଏପରିକି UAE ନେତୃତ୍ୱଙ୍କ ପକ୍ଷରୁ ମଧ୍ୟ ଭାରତୀୟ ପାଇଲଟଙ୍କୁ ପ୍ରଶଂସା ଓ କୃତଜ୍ଞତା ଜଣାଇଛନ୍ତି।

ସ୍ମିତ ଦୁବାଇରୁ ତେଲ ଆଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନର କ୍ୟାପଟେନ ଥିଲେ। ଉଡ଼ାଣ ସମୟରେ ତାଙ୍କ ସହ-ପାଇଲଟ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଆକ୍ରମଣକାରୀ ସହ-ପାଇଲଟ ଓମାନର ନାଗରିକ ହମାମ ଅଲ-ହମାମି ବୋଲି ଚିହ୍ନଟ ହୋଇଛନ୍ତି।

ଆହତ ସତ୍ତ୍ୱେ ସ୍ମିତ ମଚ୍ଛାର କକ୍ରେଟ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଫଳରେ ଯାତ୍ରୀମାନେ ଭିତରକୁ ପ୍ରବେଶ କରି ଆକ୍ରମଣକାରୀ ସହ-ପାଇଲଟଙ୍କୁ କାବୁ କରିଥିଲେ।

ଏହାପରେ ବିମାନରେ ଥିବା ଦ୍ୱିତୀୟ ପାଇଲଟ ଦଳ ଉଡ଼ାଣର ନିୟନ୍ତ୍ରଣ ନେଇଥିଲେ। ଅନ୍ୟପକ୍ଷେ ଜଣେ ଦାନ୍ତ ଚିକିତ୍ସକ ସ୍ମିତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ। ପରେ ବିମାନଟି ସାଉଦି ଆରବର ତାବୁକ୍‌ରେ ଅବତରଣ କରିଥିଲା।

ଦୁବାଇର କ୍ରାଉନ ପ୍ରିନ୍ସ ଅଲ ମକତୁମ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ସ୍ମିତଙ୍କୁ ଭେଟିବା ସମୟର ଏକ ଫଟୋ ସେୟାର କରିଥିଲେ। ସେ ଲେଖିଥିଲେ, କ୍ୟାପଟେନ ସ୍ମିତ ମଚ୍ଛାରଙ୍କୁ ଭେଟିବା ସମୟରେ ଏହି ଫ୍ଲାଏଦୁବାଇ ପାଇଲଟ ସାହସ, ଦାୟିତ୍ୱବୋଧ ଏବଂ ମାନବ ଜୀବନ ପ୍ରତି ଯତ୍ନର ସର୍ବୋଚ୍ଚ ଉଦାହରଣ ଦେଇଛନ୍ତି। ସେ ଆହୁରି କହିଥିଲେ, ଆମ ପକ୍ଷରୁ ଏବଂ ଦେଶର ନେତୃତ୍ୱଙ୍କ ପକ୍ଷରୁ ତାଙ୍କୁ ଆମର ପୂର୍ଣ୍ଣ ପ୍ରଶଂସା କରିବା ସହ ସମ୍ମାନ ଜଣାଉଛୁ। ସେ ଆମ ଟିମ୍ର ଅଂଶ, ଆମ ଦେଶର କାହାଣୀର ଅଂଶ ଏବଂ UAE ଯେଉଁ ମୂଲ୍ୟବୋଧର ପ୍ରତୀକ, ତାହାର ଅଂଶ ହୋଇଥିବାରୁ ଆମେ ଗର୍ବିତ। UAE ହେଉଛି କରୁଣା, ଶାନ୍ତି ଏବଂ ଜୀବନର ଦେଶ ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।