ହିଞ୍ଜିଳିକାଟୁରେ ବନ୍ୟା ବିଭୀଷିକା: ପାଣି ଘେରରେ ଶତାଧିକ ପରିବାର, ଯୋଗାଯୋଗ ବିଚ୍ଛିନ୍ନ

Oct 30, 2026 - 13:26
ହିଞ୍ଜିଳିକାଟୁରେ ବନ୍ୟା ବିଭୀଷିକା: ପାଣି ଘେରରେ ଶତାଧିକ ପରିବାର, ଯୋଗାଯୋଗ ବିଚ୍ଛିନ୍ନ

ହିଞ୍ଜିଳିକାଟୁ,୨୯।୧୦(ଦ୍ୱିତୀକୃଷ୍ଣ ପଣ୍ଡା): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ନେଇଛି। ଘୋଡ଼ାହାଡ଼ ଓ ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଅନେକ ଗ୍ରାମ ଓ ଜନବସତି ପାଣି ଘେରରେ ଥିବା ବିଭିନ୍ନ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବନ୍ୟା ଯୋଗୁ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି।

ବଳରାମପୁର, ସିଙ୍ଗିପୁର, ବୁରୁପୋଡ଼ା, ଚାନ୍ଦୁଲି, ଖରିଡ଼ା, ଗିରିଆ, ରାଳବ ଓ ପୁଟିଆପଦର ଆଦି ଅଞ୍ଚଳର ବନ୍ୟା ଜଳ ଘେରି ରହିଛି। ଗୁରୁବାର ଭୋରରୁ ହିଞ୍ଜିଳିକାଟୁ ସହରର ବଇଁଚବଣିଆ, ଶ୍ୟାମଳାଇ ନଗର ଏବଂ ଜଗନ୍ନାଥ ମନ୍ଦିର ଅଞ୍ଚଳରେ ଘୋଡ଼ାହାଡ଼ ନଦୀର ବନ୍ୟା ଜଳ ପ୍ରବେଶ କରିବାରୁ ପ୍ରାୟ ୨୦୦ ଘର ବନ୍ୟା ଘେରରେ ରହିଛି। ଏପରିକି ହିଞ୍ଜିଳିକାଟୁ ଜେଏମ୍‌ଏଫ୍‌ସି କୋର୍ଟ ପରିସର ଜଳମଗ୍ନ ହୋଇଯାଇଛି।

ଅନ୍ୟପକ୍ଷେ, ହିଞ୍ଜିଳିକାଟୁ ନିକଟ ଖଣ୍ଡରା ଛକରେ ବନ୍ୟା ଜଳ ପ୍ରବାହିତ ହେବା ସହ ଜାତୀୟ ରାଜପଥ-୫୯ ଉପରେ ପାଣି ଚାଲିଛି। ଫଳରେ ହିଞ୍ଜିଳିକାଟୁ-ଆସିକା ଓ ଶେରଗଡ଼ ରାସ୍ତାରେ ଯାତାୟାତ ବ୍ୟାହତ ହୋଇଛି। ଘୋଡ଼ାହାଡ଼ ନଦୀ ଓ ଜୟମଙ୍ଗଳ କେନାଲର ଜଳ ଆଙ୍କୋରଡ଼ା ଓ ହିଞ୍ଜିଳି ଅଞ୍ଚଳ ଦେଇ ପ୍ରବାହିତ ହେବାରୁ ହିଞ୍ଜିଳିକାଟୁ-ଖରିଡ଼ା ରାସ୍ତା ମଧ୍ୟ ଅବରୋଧ ହୋଇଥିଲା। ଫଳରେ ଯାତ୍ରୀଙ୍କ ସମେତ ବହୁ ଲୋକ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ସହରରେ ଦୂରଗାମୀ ଟ୍ରକ୍‌ଗୁଡ଼ିକ ଅଟକି ରହିଛି।

ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଦକ୍ଷିଣାଞ୍ଚଳ ଆର୍‌ଡିସି, ଗଞ୍ଜାମ ଜିଲାପାଳ, ଉପଜିଲାପାଳ, ପୋଲିସ ଆଇଜି, ଗଞ୍ଜାମ ଏସ୍‌ପିଙ୍କ ସମେତ ହିଞ୍ଜିଳିକାଟୁ ତହସିଲଦାର, ବିଡିଓ ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।

ପରିସ୍ଥିତିର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ପାଇଁ ଗୁରୁବାର ମଧ୍ୟାହ୍ନରେ ଓଡ୍ରାଫ ଟିମ ହିଞ୍ଜିଳିକାଟୁରେ ପହଞ୍ଚି ଥିଲା। ସନ୍ଧ୍ୟାରେ ପ୍ରଶାସନ ପକ୍ଷରୁ ପାଣି ଘେରରେ ଥିବା ଲୋକଙ୍କୁ ଚୂଡ଼ା, ବିସ୍କୁଟ ଓ ମହମବତୀ ଆଦି ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲା।

ଏପରିକି ପାଣି ଘେରରେ ଫସିଥିବା ଲୋକଙ୍କୁ ସମୟୋଚିତ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଓ ଆବଶ୍ୟକ ସହାୟତା ଯୋଗାଇବା ନେଇ ପ୍ରଶାସନର ପଦକ୍ଷେପକୁ ନେଇ କେତେକ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସହରେରେ କୌଣସି ନେଟୱର୍କ ବ୍ୟବସ୍ଥା ନ ଥିବାରୁ ଲୋକମାନଙ୍କ ସ୍ଥିତି ଓ ଅନ୍ୟ ଅଞ୍ଚଳ ସହ ଯୋଗାଯୋଗ ସମ୍ଭବ ହେଉନାହିଁ। ନେଟୱର୍କ ବ୍ୟବସ୍ଥା ସହ ବହୁ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଜଳବନ୍ଦୀ ଲୋକଙ୍କ ସୁରକ୍ଷା, ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସହ ବିଚ୍ଛିନ୍ନ ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ ଏବେ ପ୍ରଶାସନ ପାଇଁ ପ୍ରମୁଖ ଆହ୍ବାନ ପାଲଟିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।