ହିଟ୍‌ମ୍ୟାନ୍‌ଙ୍କୁ ଫସାଇ ଦେଲେ କୋହଲି, ଦେଲେନି ବ୍ୟାଟ୍‌: ନ୍ୟୁଜିଲାଣ୍ଡରୁ ଆସିଲା ଚାଞ୍ଚଲ୍ୟକର ଘଟଣା

Nov 03, 2026 - 14:58
ହିଟ୍‌ମ୍ୟାନ୍‌ଙ୍କୁ ଫସାଇ ଦେଲେ କୋହଲି, ଦେଲେନି ବ୍ୟାଟ୍‌: ନ୍ୟୁଜିଲାଣ୍ଡରୁ ଆସିଲା ଚାଞ୍ଚଲ୍ୟକର ଘଟଣା

ଅକଲାଣ୍ଡ,୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ ପୂର୍ବରୁ ଅଭ୍ୟାସରେ ଜୋରଦାର ବ୍ୟାଟିଂ କରିଛନ୍ତି ଭାରତୀୟ ଦଳର ଦୁଇ ଷ୍ଟାର୍‌ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା। ନେଟ୍ସରେ ଉଭୟ ଖେଳାଳି ଦମ୍‌ଦାର ସଟ ଖେଳିଥିବା ବେଳେ ଅଭ୍ୟାସ ସମୟର ଏକ ମଜାଦାର ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଜଣେ ନେଟ ବୋଲରଙ୍କୁ ବ୍ୟାଟ ଦେବା ପ୍ରସଙ୍ଗରେ ବିରାଟ ଏମିତି ଏକ ମଜା କରିଥିଲେ ଯେ, ରୋହିତ ହସି ହସି କହିଥିଲେ, ସମସ୍ତେ ମୋତେ ହିଁ ଫସାଉଛନ୍ତି।
ଅଭ୍ୟାସ ସମୟରେ ରୋହିତ ଶର୍ମାଙ୍କୁ ବୋଲିଂ କରୁଥିବା ଜଣେ ନେଟ ବୋଲର ତାଙ୍କୁ ଏକ ବ୍ୟାଟ ମାଗିଥିଲେ। କିନ୍ତୁ ରୋହିତ ବ୍ୟାଟ ଦେବାକୁ ମନା କରିଦେଇଥିଲେ। ଏହାପରେ ଉକ୍ତ ବୋଲର ଜଣକ ବିରାଟ କୋହଲିଙ୍କ ପାଖକୁ ଯାଇ ବ୍ୟାଟ ମାଗିଥିଲେ। ଏହାର ଉତ୍ତରରେ ବିରାଟ କହିଥିଲେ ଯେ, ତାଙ୍କ ପାଖରେ ଅଧିକ ବ୍ୟାଟ ନାହିଁ, କିନ୍ତୁ ରୋହିତଙ୍କ ପାଖରେ ଅନେକ ବ୍ୟାଟ ଅଛି। ଏହାପରେ ବିରାଟ ଏକ ମଜାଦାର ସର୍ତ୍ତ ରଖିଥିଲେ। ଯାହା ପାଖରେ ଅଧିକ ବ୍ୟାଟ ଥିବ, ସେ ହିଁ ନେଟ ବୋଲରଙ୍କୁ ବ୍ୟାଟ ଦେବେ ବୋଲି କହିଥିଲେ। ବିରାଟଙ୍କ ଏହି କଥା ଶୁଣି ରୋହିତ ସେଠାରୁ ଉଠି ହସିବା ସହ କହିଥିଲେ,ସମସ୍ତେ ମୋତେ ହିଁ ଫସାଉଛନ୍ତି।ଏହି ମଜାଦାର ଘଟଣା ଅଭ୍ୟାସ ସମୟର ପରିବେଶକୁ ଆହୁରି ହାଲୁକା କରିଦେଇଥିଲା।

ସାଧାରଣତଃ ବିଦେଶ ଗସ୍ତ ସମୟରେ ବିରାଟ ଓ ରୋହିତ ନିଜ ସହ ଅନେକ ବ୍ୟାଟ ନେଇ ଯାଇଥାନ୍ତି। ଯଦିଓ ସେମାନେ ନିୟମିତ ଭାବେ ୪ରୁ ୫ଟି ବ୍ୟାଟ ବ୍ୟବହାର କରନ୍ତି। ଘରୋଇ ସିରିଜ୍ରେ ଖେଳାଳିମାନେ ପ୍ରାୟତଃ ନିଜ ବ୍ୟାଟ ଅନ୍ୟମାନଙ୍କୁ ଦେଇଥାନ୍ତି। ମାତ୍ର ବିଦେଶ ଗସ୍ତରେ ନିଜ ବ୍ୟାଟ ଦେବାକୁ ଅନେକ ଖେଳାଳି ପସନ୍ଦ କରନ୍ତି ନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ରୋହିତ ଓ ବିରାଟଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଉଭୟ ଖେଳାଳିଙ୍କ ପାଇଁ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ହେବ।

ନ୍ୟୁଜିଲାଣ୍ଡ ମାଟିରେ ରୋହିତଙ୍କ ଦିନିକିଆ ରେକର୍ଡ ସେତେଟା ଭଲ ନାହିଁ। ସେ ନ୍ୟୁଜିଲାଣ୍ଡରେ ୧୩ଟି ଦିନିକିଆ ଇନିଂସରେ ୩୬.୪ ହାରରେ ୪୩୭ ରନ କରିଛନ୍ତି। ଏଥିରେ ୪ଟି ଅର୍ଦ୍ଧଶତକ ସାମିଲ ରହିଛି। ତେବେ ଏପର୍ଯ୍ୟନ୍ତ ସେ ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ ଶତକ ହାସଲ କରିନାହାନ୍ତି।
ଅନ୍ୟପଟେ ବିରାଟ କୋହଲି ନ୍ୟୁଜିଲାଣ୍ଡରେ ୧୩ଟି ଦିନିକିଆ ମ୍ୟାଚ ଖେଳି ୪୯.୬୬ ହାରରେ ୫୯୬ ରନ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ରହିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।