ୟେମେନରେ ହୁତି ବିଦ୍ରୋହୀ ଓ ସାଉଦି ସମର୍ଥିତ ସରକାରୀ ବାହିନୀ ମଧ୍ୟରେ ଯୁଦ୍ଧ ତୀବ୍ର

Oct 08, 2026 - 21:07
ୟେମେନରେ ହୁତି ବିଦ୍ରୋହୀ ଓ ସାଉଦି ସମର୍ଥିତ ସରକାରୀ ବାହିନୀ ମଧ୍ୟରେ ଯୁଦ୍ଧ ତୀବ୍ର

ରିୟାଦ: ୟେମେନରେ ହୁତି ବିଦ୍ରୋହୀ ଓ ସାଉଦି ସମର୍ଥିତ ସରକାରୀ ବାହିନୀ ମଧ୍ୟରେ ଯୁଦ୍ଧ ତୀବ୍ର ହେବା ମଧ୍ୟରେ ସାଉଦି ଆରବର ଦୁଇଟି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ମିସାଇଲ୍‌ ଓ ଡ୍ରୋନ୍‌ ଆକ୍ରମଣ ହୋଇଛି। ଅକ୍ଟୋବର ୬ ଓ ୭ରେ ରିୟାଦର କିଙ୍ଗ୍‌ ଖାଲିଦ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଦକ୍ଷିଣ-ପଶ୍ଚିମ ସାଉଦିର ଆଭା ଅନ୍ତର୍ଜାତୀୟ ବିମାନବନ୍ଦରକୁ ନିଶାଣ କରି ଏହି ଆକ୍ରମଣ କରାଯାଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ସହ ୩୬ ଜଣ ଆହତ ହୋଇଛନ୍ତି। ଇରାନ ସମର୍ଥିତ ହୁତିମାନେ ଏହି ଆକ୍ରମଣର ଦାୟିତ୍ୱ ନେଇଛନ୍ତି।

ଆକ୍ରମଣର କଡ଼ା ଜବାବ
ସାଉଦି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଆଭା ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ମରକ୍କୋ ଓ ଆଲଜେରିଆର ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ସେଠାରେ ୨୮ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ରିୟାଦର କିଙ୍ଗ୍‌ ଖାଲିଦ୍‌ ବିମାନବନ୍ଦରରେ ହୋଇଥିବା ଆକ୍ରମଣରେ ସୁଦାନର ଜଣେ ନାଗରିକ ପ୍ରାଣ ହରାଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲ ନିଆଯାଇଛି ଏବଂ ବିମାନବନ୍ଦରଗୁଡ଼ିକରେ କ୍ଷୟକ୍ଷତିର ଯାଞ୍ଚ କରାଯାଉଛି। ସାଉଦି ଆରବ ଏହି ଆକ୍ରମଣର କଡ଼ା ଜବାବ ଦେଇଛି। ସାଉଦି ନେତୃତ୍ୱାଧୀନ ମେଣ୍ଟ ବାହିନୀ ୟେମେନର ସାଆଦା, ହୋଦେଇଦା, ଅଲ୍‌ ଜୌଫ୍‌ ଓ ମାରିବ୍‌ ପ୍ରଦେଶରେ ୮୨ଟି ହୁତି ସାମରିକ ଠିକଣା ଧ୍ୱଂସ କରିଥିବା ଘୋଷଣା କରିଛି। ଏଥିରେ ୧୧ଟି ବାଲିଷ୍ଟିକ୍‌ ମିସାଇଲ୍‌ ଭଣ୍ଡାର, କମାଣ୍ଡ ଓ କଣ୍ଟ୍ରୋଲ୍‌ କେନ୍ଦ୍ର, ଯୋଗାଯୋଗ ବ୍ୟବସ୍ଥା, ଅସ୍ତ୍ରଶସ୍ତ୍ର ଗୋଦାମ ଓ ହୁତି ଯୋଦ୍ଧାଙ୍କ ସମାବେଶ ସ୍ଥଳ ରହିଛି। ସାଉଦି ମେଣ୍ଟର ମୁଖପାତ୍ର ମେଜର ଜେନେରାଲ୍‌ ତୁର୍କି ଅଲ୍‌-ମାଲିକି କହିଛନ୍ତି ଯେ ସାଧାରଣ ନାଗରିକ ଓ ନାଗରିକ ପ୍ରତିଷ୍ଠାନ ଉପରେ ଆକ୍ରମଣକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।