୧୦ବର୍ଷ ପରେ ଭରିଏ ସୁନା ନେବ କେତେ ଟଙ୍କା? ଜାଣିଲେ ତାଜୁବ ହେବେ…
ନୂଆଦିଲ୍ଲୀ,୨୯।୬: ଆଜି ସୁନା ଦରରେ ପୁଣି ଥରେ ହ୍ରାସ ଦେଖିବାକୁ ମିଳିଛି। ଗ୍ଲୋବାଲ୍ COMEX ମାର୍କେଟରେ ସୁନା ମୂଲ୍ୟ ୦.୩୬% କମିଯାଇଛି। ସ୍ୱଳ୍ପ ଅବଧିର ଏହି ହ୍ରାସ ସତ୍ତ୍ୱେ ଦୀର୍ଘ ଅବଧିର ଆକଳନ ସୂଚାଉଛି ଯେ ଆଗାମୀ ଦଶନ୍ଧିଗୁଡ଼ିକରେ ସୁନା ଅନେକ ମହଙ୍ଗା ହୋଇପାରେ। ଆସନ୍ତୁ ଜାଣିବା ଆଗାମୀ ୧୦ ବର୍ଷରେ ଏକ ତୋଳା ସୁନା ମୂଲ୍ୟ କେତେ ହୋଇପାରେ:
ଯଦି ବାର୍ଷିକ ମୁଦ୍ରାସ୍ଫୀତି (ମହଙ୍ଗା ହାର) ୪ ରୁ ୫% ଆଖପାଖରେ ରହେ ଏବଂ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ଧୀରେ ଧୀରେ ଦୁର୍ବଳ ହୁଏ, ତେବେ କୁହାଯାଉଛି ଯେ ୨୦୩୬ ସୁଦ୍ଧା ଏକ ତୋଳା ସୁନା ମୂଲ୍ୟ ପ୍ରାୟ ₹୪.୨୧ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ।
ଯଦି କୌଣସି ବଡ଼ ଗ୍ଲୋବାଲ୍ ଆର୍ଥିକ ସଙ୍କଟ ଦେଖାଦିଏ କିମ୍ବା ଦୀର୍ଘ ସମୟ ଧରି ଚାଲୁଥିବା ଭୂ-ରାଜନୈତିକ (ଜିଓପଲିଟିକାଲ୍) ବିବାଦ କିମ୍ବା କରେନ୍ସିର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟେ, ତେବେ ସୁନା ଦର ହୁ ହୁ ହୋଇ ବଢ଼ିପାରେ। ଏଭଳି ସ୍ଥିତିରେ ଆଗାମୀ ୧୦ ବର୍ଷ ମଧ୍ୟରେ ଏକ ତୋଳା ସୁନା ପ୍ରାୟ ₹୬ ଲକ୍ଷ ଛୁଇଁପାରେ।
ଯଦି ବିଶ୍ୱ ଅର୍ଥନୀତି ସ୍ଥିର ରହେ, ମହଙ୍ଗା ନିୟନ୍ତ୍ରଣରେ ରହେ ଏବଂ ଆମେରିକୀୟ ଡଲାର ଯଥେଷ୍ଟ ମଜବୁତ ହୁଏ, ତେବେ ସୁନା ଦର ସାମାନ୍ୟ ଧୀମା ଗତିରେ ବଢ଼ିପାରେ। ଏହି ପରିପ୍ରେକ୍ଷୀରେ ଏକ ତୋଳା ସୁନା ମୂଲ୍ୟ ₹୨.୮ ଲକ୍ଷରୁ ₹୩ ଲକ୍ଷ ମଧ୍ୟରେ ରହିପାରେ।
ଐତିହାସିକ ଭାବେ ସୁନାକୁ ସବୁବେଳେ ମହଙ୍ଗା ମାଡ଼ରୁ ବଞ୍ଚିବାର ଏକ ମାଧ୍ୟମ (Hedging) ଭାବେ ଦେଖାଯାଇଛି। ସମୟ ସାଙ୍ଗକୁ ଯେତେବେଳେ କରେନ୍ସିର କ୍ରୟ ଶକ୍ତି (Purchasing Power) କମିଯାଏ, ନିବେଶକମାନେ ପ୍ରାୟତଃ ସୁନା ଆଡ଼କୁ ମୁହାଁଇଥାନ୍ତି। ଏହି କାରଣରୁ ଏହାର ଚାହିଦା ବଢ଼ିଥାଏ ଏବଂ ମୂଲ୍ୟ ଉପରକୁ ଯାଏ।
ଯେହେତୁ ବିଶ୍ୱ ସ୍ତରରେ ସୁନାର ମୂଲ୍ୟ ଆମେରିକୀୟ ଡଲାରରେ ସ୍ଥିର ହୋଇଥାଏ, ତେଣୁ ଭାରତୀୟ ଟଙ୍କାରେ କୌଣସି ବି ପ୍ରକାରର ଦୁର୍ବଳତା ସିଧାସଳଖ ଘରୋଇ ବଜାରରେ ସୁନା ଦରକୁ ବଢ଼ାଇ ଦେଇଥାଏ। ଆସନ୍ତା ଦଶନ୍ଧିରେ ଭାରତରେ ସୁନା ଦରର ଏହି ଉଥାନ-ପତନ ପଛରେ କରେନ୍ସିର ପରିବର୍ତ୍ତନ ସବୁଠାରୁ ବଡ଼ କାରଣ ହେବ ବୋଲି ଆଶା କରାଯାଉଛି।
ଆରବିଆଇ (RBI) ସହିତ ବିଶ୍ୱର ଅନ୍ୟାନ୍ୟ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା କମାଇବା ପାଇଁ କ୍ରମାଗତ ଭାବେ ନିଜର ସୁନା ଭଣ୍ଡାର ବଢ଼ାଉଛନ୍ତି। ଏହା ସହିତ ସୁନାର ନୂତନ ଖନନ (Mining) ଏବେ ବ୍ୟୟବହୁଳ ହୋଇପଡ଼ିଛି। କେବଳ ସେତିକି ନୁହେଁ, ଗ୍ଲୋବାଲ୍ ରିଜର୍ଭ ମଧ୍ୟ ସୀମିତ ରହିଛି। ଅପରପକ୍ଷେ ଚାହିଦା କ୍ରମାଗତ ଭାବେ ବଢ଼ୁଥିବାରୁ, ଦୀର୍ଘ ଅବଧିରେ ମୂଲ୍ୟ ବୃଦ୍ଧି ପାଇବା ନେଇ ଏକ ଚାପ ସୃଷ୍ଟି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।