୧୨୩ ବର୍ଷର ବିଶ୍ୱ ରେକର୍ଡ ଭାଙ୍ଗିଲେ ଏହି ଭାରତୀୟ ବ୍ୟାଟର! କ୍ରିକେଟ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ
ନୂଆଦିଲ୍ଲୀ,୪।୧୧:କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଭାରତୀୟ ବ୍ୟାଟର ଚିନ୍ମୟ ସୁତାର। ମାତ୍ର ୫ଟି ଫାର୍ଷ୍ଟ କ୍ଲାସ ପାଳିରେ ୭୯୪ ରନ ସଂଗ୍ରହ କରି ସେ ୧୨୩ ବର୍ଷର ପୁରୁଣା ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଏହି ସଫଳତା ସହ ଅଷ୍ଟ୍ରେଲିଆର ମହାନ ବ୍ୟାଟର ୱିଲିୟମ ପନ୍ସଫୋର୍ଡଙ୍କ ରେକର୍ଡକୁ ପଛରେ ପକାଇଛନ୍ତି ଚିନ୍ମୟ।
୨୦୨୬-୨୭ ରଣଜୀ ଟ୍ରଫିର ପ୍ଲେଟ ଗ୍ରୁପ୍ରେ ମିଜୋରାମ ପକ୍ଷରୁ ଖେଳୁଥିବା ୨୯ ବର୍ଷୀୟ ଚିନ୍ମୟ ଅରୁଣାଚଳ ପ୍ରଦେଶ ବିପକ୍ଷ ମ୍ୟାଚ୍ରେ ନିଜର ପଞ୍ଚମ ଫାର୍ଷ୍ଟ କ୍ଲାସ ପାଳିରେ ଅପରାଜିତ ୧୩୫ ରନ କରିଛନ୍ତି। ଏହା ସହ ତାଙ୍କର ପ୍ରଥମ ୫ଟି ପାଳିର ମୋଟ ରନ ୭୯୪ରେ ପହଞ୍ଚିଛି। ପୂର୍ବରୁ ଏହି ରେକର୍ଡ ୱିଲିୟମ ପନ୍ସଫୋର୍ଡଙ୍କ ନାମରେ ଥିଲା। ସେ ନିଜର ପ୍ରଥମ ୫ଟି ଫାର୍ଷ୍ଟ କ୍ଲାସ ପାଳିରେ ୭୨୪ ରନ କରିଥିଲେ।
ଚିନ୍ମୟ ନିଜର ଫାର୍ଷ୍ଟ କ୍ଲାସ କ୍ରିକେଟ ଯାତ୍ରା ମଣିପୁର ବିପକ୍ଷରୁ ଆରମ୍ଭ କରିଥିଲେ। ପ୍ରଥମ ପାଳିରେ ୩୫ ରନ କରିଥିବା ବେଳେ ଦ୍ୱିତୀୟ ପାଳିରେ ୯୯ ରନ୍ଷର ରନଆଉଟ ହୋଇ ଶତକରୁ ବଞ୍ଚିତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ମ୍ୟାଚ୍ରେ ନାଗାଲାଣ୍ଡ ବିପକ୍ଷରେ ତାଙ୍କ ବ୍ୟାଟ୍ରୁ ବାହାରିଥିଲା ଐତିହାସିକ ୪୦୦ ରନ୍ର ଇନିଂସ। ୫୧୭ଟି ବଲ୍ର ସମ୍ମୁଖୀନ ହୋଇ ସେ ୪୬ଟି ଚୌକା ଓ ୭ଟି ଛକା ମାରିଥିଲେ। ତାଙ୍କ ଦମ୍ଦାର ବ୍ୟାଟିଂ ବଳରେ ମିଜୋରାମ ୯ ଉଇକେଟ ହରାଇ ୫୮୧ ରନ କରି ପାଳି ଘୋଷଣା କରିଥିଲା। ଏହି ଇନିଂସ ସହ ସେ ପୃଥ୍ବୀ ଶ’ଙ୍କ ୩୭୯ ରନ୍ର ସ୍କୋରକୁ ଅତିକ୍ରମ କରି ରଣଜୀ ଟ୍ରଫି ଇତିହାସର ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହାସଲ କରିଥିଲେ।
ରଣଜୀ ଟ୍ରଫିରେ ୪୦୦ ରନ୍ର ମ୍ୟାଜିକ ଫିଗର ଛୁଇଁଥିବା ଚିନ୍ମୟ ହେଉଛନ୍ତି ଦ୍ୱିତୀୟ ବ୍ୟାଟର। ତାଙ୍କ ପୂର୍ବରୁ ୧୯୪୮-୪୯ ସିଜିନ୍ ଭାଉସାହେବ ନିମ୍ବାଲକର ଅପରାଜିତ ୪୪୩ ରନ୍ର ଇନିଂସ ଖେଳିଥିଲେ। ୪୦୦ ରନ୍ ଇନିଂସ ପରେ ମଧ୍ୟ ଚିନ୍ମୟଙ୍କ ବ୍ୟାଟ ଶାନ୍ତ ହୋଇ ନ ଥିଲା। ମେଘାଳୟ ବିପକ୍ଷରେ ୧୨୫ ରନ କରିବା ପରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ଅପରାଜିତ ୧୩୫ ରନ କରିଥିଲେ।
ତାଙ୍କର ପ୍ରଥମ ୫ଟି ଫାର୍ଷ୍ଟ କ୍ଲାସ ପାଳିର ସ୍କୋର ହେଉଛି ୩୫, ୯୯, ୪୦୦*, ୧୨୫ ଓ ୧୩୫*। ମୁମ୍ବାଇରେ ଜନ୍ମିତ ଚିନ୍ମୟ ପୂର୍ବରୁ ଘରୋଇ କ୍ରିକେଟ୍ରେ ମୁମ୍ବାଇ ଦଳର ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କର ଏହି ଅସାଧାରଣ ପ୍ରଦର୍ଶନ ଏବେ ଭାରତୀୟ ଘରୋଇ କ୍ରିକେଟ୍ରେ ଚର୍ଚ୍ଚାର ବିଷୟ ପାଲଟିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।