୧୩ ମାସ ଗଲାନି ୧୩ କୋଟି ଟଙ୍କାରେ ନିର୍ମିତ ବୈତରଣୀ ନଦୀ ବନ୍ଧ
ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ସମୁଦ୍ର ଜୁଆର ମାଡ଼ରେ ପୁଣି ଆରଡି ଷାଠିଵାଙ୍କୁଡା ନିକଟରେ ବୈତରଣୀ ନଦୀ ଗର୍ଭକୁ ଧସିଲା ୨ ଶହ ଫୁଟ ପଥର ନଦୀବନ୍ଧ। ଫଳରେ ବିଛିନ୍ନ ହେବ ଆଖଣ୍ଡଳମଣି – କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥ । ଏହାସହ ବନ୍ୟା ଆସିଲେ ୪ଟି ପଞ୍ଚାୟତର ୨୪ ଗାଁକୁ ବିପଦ ରହିଛି । ଗତ ୬ ମାସ ତଳେ ଜଳସମ୍ପଦ ବିଭାଗ ପକ୍ଷରୁ ୧୩ କୋଟି ଟଙ୍କାରେ ନିର୍ମିତ ହୋଇଥିଲା ସୁଦୃଢ ନଦୀବନ୍ଧ। ହେଲେ ୧୩ କୋଟି ଟଙ୍କାର କାମ ୧୩ ମାସ ଗଲାନି।
ନିମ୍ନମାନର କାମକୁ ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଣିଛନ୍ତି। ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଓ ଧାମାରା ମୁହାଣରୁ ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ଉଚ୍ଚ ଜୁଆର ଢେଉ ମାଡି ଆସିବାରୁ ଷାଠିବାଙ୍କୁଡା ଗାଁ ପାଖରେ ବୈତରଣୀ ନଦୀ ଗର୍ଭକୁ ଧସିଯାଇଛି ୨ଶହ ଫୁଟର ପଥର ପ୍ୟାକିଙ୍ଗି ସୁରକ୍ଷା ବନ୍ଧ। ଫଳରେ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ନଦୀକୂଳିଆ ଗାଁ ଲୋକ। ସେହିପରି ଗତ ୩ ଦିନ ହେବ ବର୍ଷା ଲାଗି ରହିଥିବାରୁ ବୈତରଣୀ ଓ ସାଳନ୍ଦୀ ନଦୀରେ ଜଳସ୍ତର ବଢିବା ସହ ଅନେକ ସ୍ଥାନରେ ନଦୀଵନ୍ଧରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
ଏହା ସହ ଗତ କିଛିଦିନ ଧରି ବୈତରଣୀ ନଦୀର ଆରଡି ମୁଁଆଘାଟ ନିକଟରେ ନଦୀବନ୍ଧ ଓ ଜେଟିର ଅତଡା ଖଣ୍ଡ ନଦୀକୁ ଖସିଵା ସହିତ ଗତକାଲି ନଦୀକୂଳକୁ ଲାଗି କରି ଥିବା ମା ଗଙ୍ଗାମାତାଙ୍କ ମନ୍ଦିର ସମ୍ପୂର୍ଣ୍ଣ ଭାବେ ଭାସିଯାଇଛି। ଖାଲି ଏତିକି ନୁହେଁ ସୁନ୍ଦରପୁର ଗାଁକୁ ଲାଗି ଥିବା ବୈତରଣୀ ନଦୀବନ୍ଧର ୩ ଶହଫୁଟର ଫାଟ ସୃଷ୍ଟି ହେବା ସହିତ ୫ଫୁଟ ତଳକୁ ଧସିଯାଇଥିଲା ମାଟିବନ୍ଧ।
ଏହି ଖବର ପ୍ରକାଶ ପାଇବା ପରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜଳସମ୍ପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଠିକାଦାର ଓ ବିଭାଗୀୟ ଅଧିକାରୀମାନେ ନିମ୍ନମାନର କାମ କରି ଟଙ୍କା ସବୁ ଚଳୁ କରିଦେବାରୁ ଆଜି ଏପରି ସ୍ଥିତି ଦେଖାଦେଇଛି। ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରାଯିବ ବୋଲି ବିଧାୟକ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।