୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

Sep 25, 2026 - 14:18
୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର ବଦହବାଦ ଗାଁର ବିଜୟ କୁମାର ଶର୍ମା ଟିଜିଟି ସଂସ୍କୃତ ଶିକ୍ଷକ ପଦରେ ନିଯୁକ୍ତି ପାଇଛନ୍ତି । ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

ବିଜୟ କୁମାରଙ୍କ କାହାଣୀ ଏଥିପାଇଁ ଚର୍ଚ୍ଚାରେ ଯେ, ସେ ଅନେକ ଥର ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଯୋଗ୍ୟ ହୋଇଥିଲେ ମଧ୍ୟ ଇଣ୍ଟରଭ୍ୟୁ ପର୍ଯ୍ୟାୟରେ ଚୟନରୁ ବାଦ ପଡ଼ୁଥିଲେ। ଏଥର ନିଯୁକ୍ତି ପ୍ରକ୍ରିୟାରେ ଇଣ୍ଟରଭ୍ୟୁ ନଥିବାରୁ ତାଙ୍କ ଚୟନ ହୋଇଛି । ବିଜୟ କୁମାର ୧୯୯୯ ମସିହାରୁ ସରକାରୀ ଚାକିରି ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଦୀର୍ଘ ବର୍ଷ ଧରି ସେ ବିଭିନ୍ନ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦେଇଥିଲେ ଏବଂ ଲିଖିତ ପରୀକ୍ଷାରେ ମଧ୍ୟ ଅନେକ ଥର ସଫଳ ହୋଇଥିଲେ। ତେବେ ଇଣ୍ଟରଭ୍ୟୁରେ ବାରମ୍ବାର ତାଙ୍କ ଚୟନ ହୋଇପାରୁନଥିଲା।

ବିଜୟଙ୍କ କହିବା ଅନୁସାରେ, ସେ ଚାରିଥର ପିଜିଟି ଏବଂ ଛଅଥର ଟିଜିଟି ପରୀକ୍ଷାରେ ଯୋଗ୍ୟ ହୋଇଥିଲେ। ଏପରିକି ତାଙ୍କ ପାଖରେ ଆଠଥର ଇଣ୍ଟରଭ୍ୟୁ କଲ୍ ଲେଟର ମଧ୍ୟ ଆସିଥିଲା। କିନ୍ତୁ ପ୍ରତିଥର ଇଣ୍ଟରଭ୍ୟୁରେ ସେ ଚୟନରୁ ବାଦ ପଡ଼ୁଥିଲେ। ଏଥର ଇଣ୍ଟରଭ୍ୟୁ ବ୍ୟବସ୍ଥା ନଥିବାରୁ ତାଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରାୟ ୨୬ ବର୍ଷ ଧରି ସେ ବଡ଼ୌତ ନିକଟସ୍ଥ ଦୁନ୍ ପବ୍ଲିକ ସ୍କୁଲରେ ଘରୋଇ ଶିକ୍ଷକ ଭାବେ ପିଲାଙ୍କୁ ପଢ଼ାଉଥିଲେ।

ବିଜୟ କୁମାରଙ୍କ ପାଞ୍ଚ ଜଣ ସନ୍ତାନ ଅଛନ୍ତି। ତାଙ୍କ ଦୁଇ ପୁଅ ୟୁପି ପୋଲିସରେ କାର୍ଯ୍ୟରତ ଥିବା ବେଳେ ତିନି ଝିଅ ଅଛନ୍ତି । ତାଙ୍କ ଜଣେ ଝିଅଙ୍କର ମଧ୍ୟ ଶିକ୍ଷକ ପଦରେ ଚୟନ ହୋଇଛି, ଯଦିଓ ସେ ବର୍ତ୍ତମାନ ୱେଟିଂ ଲିଷ୍ଟରେ ଅଛନ୍ତି। ବିଜୟଙ୍କ ସଫଳତା ପରେ ତାଙ୍କ ଗାଁ ଓ ସ୍କୁଲରେ ଖୁସିର ମାହୋଲ ଦେଖାଦେଇଛି। ସ୍କୁଲ ପ୍ରବନ୍ଧକ ପ୍ରଶାନ୍ତ କହିଛନ୍ତି ଯେ, ଚାକିରି କରିବା ସହିତ ବିଜୟ ନିଜ ପଢ଼ା ଓ ସରକାରୀ ଚାକିରି ପ୍ରସ୍ତୁତି କେବେ ବନ୍ଦ କରିନଥିଲେ।

ନିଯୁକ୍ତିପତ୍ର ପାଇବା ପରେ ବିଜୟ କୁମାର କହିଛନ୍ତି ଯେ, ଏହା ତାଙ୍କ ଜୀବନର ଏକ ବଡ଼ ଉପଲବ୍ଧି। ସେ ଯୁବପିଢ଼ିଙ୍କୁ ନିଜ ଲକ୍ଷ୍ୟ ପାଇଁ ନିରନ୍ତର ପରିଶ୍ରମ କରିବାକୁ କହିଛନ୍ତି। ତାଙ୍କ ମତରେ, ବୟସ ଯେତେ ହେଉନା କାହିଁକି, ଲଗାତାର ପ୍ରୟାସ ଓ ସଂଘର୍ଷ ଜାରି ରହିଲେ ସଫଳତା ମିଳିପାରେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।