୪ ବର୍ଷ ପରେ କମ୍ବ୍ୟାକ, ଏବେ ଶେଷ ହୋଇଯିବ କ୍ୟାରିୟର? ଭୁବନେଶ୍ୱରଙ୍କୁ ନେଇ ସାଂଘାତିକ ବୟାନ କଲେ…
ନ୍ୟୁଜଲାଣ୍ଡ, ୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୩ଟି ଟି-୨୦ ମ୍ୟାଚ ଭୁବନେଶ୍ୱର କୁମାରଙ୍କ ପାଇଁ ଭଲ ରହିନାହିଁ। ଆଇପିଏଲ ଏବଂ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ୪ ବର୍ଷ ପରେ ସେ ଜାତୀୟ ଦଳକୁ ଫେରିଥିଲେ। ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଥିଲା। କାରଣ, ଭଲ ପ୍ରଦର୍ଶନ କରି ସେ ୨୦୨୭ ବିଶ୍ୱକପ ଦଳରେ ସ୍ଥାନ ପାଇବା ପାଇଁ ମଧ୍ୟ ଦାବିଦାର ହୋଇପାରିଥାନ୍ତେ। ତେବେ ଏପର୍ଯ୍ୟନ୍ତ ତାଙ୍କ ପ୍ରଦର୍ଶନ ଦେଖିବା ପରେ ଏହା କଷ୍ଟକର ମନେ ହେଉଛି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ତାଙ୍କ ପ୍ରଦର୍ଶନକୁ ନେଇ ମତ ରଖି କହିଛନ୍ତି ଯେ, ଏହା ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନ ସିରିଜ ହୋଇଥିବା ବେଳେ ଶେଷ ସିରିଜ ମଧ୍ୟ ହୋଇପାରେ।
ଆକାଶ ଚୋପ୍ରାଙ୍କ ମତ ଜାଣିବା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ଏହି ସିରିଜରେ ଭୁବନେଶ୍ୱରଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା। ପ୍ରଥମ ୩ଟି ଟି-୨୦ ମ୍ୟାଚରେ ସେ ମାତ୍ର ଗୋଟିଏ ଉଇକେଟ୍ ନେଇପାରିଛନ୍ତି। ଏହା ସହିତ ତିନୋଟି ଯାକ ମ୍ୟାଚରେ ତାଙ୍କ ଇକୋନୋମି ରେଟ ୧୦ରୁ ଅଧିକ ରହିଛି। ପ୍ରଥମ ମ୍ୟାଚରେ ସେ ୪୯ ରନ, ଦ୍ୱିତୀୟ ମ୍ୟାଚରେ ୫୦ ରନ ଏବଂ ତୃତୀୟ ମ୍ୟାଚରେ ୪୦ ରନ ବ୍ୟୟ କରିଛନ୍ତି। ଭୁବନେଶ୍ୱରଙ୍କ ପ୍ରଦର୍ଶନ ଉପରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ମତ ରଖି ଆକାଶ ଚୋପ୍ରା କହିଛନ୍ତି, ଆମ ସମସ୍ତଙ୍କର ଆଶା ଥିଲା ଯେ ଟି-୨୦ ତାଙ୍କ ପାଇଁ ଏକ ଆରମ୍ଭ ମାତ୍ର। ୨୦୨୭ ବିଶ୍ୱକପ ପାଇଁ ପ୍ରସ୍ତୁତି କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚରେ ଯାହା ଦେଖିବାକୁ ମିଳିଛି, ତାହା ଆଦୌ ଖୁସି ଦେବା ଭଳି ନୁହେଁ। ଏପର୍ଯ୍ୟନ୍ତ ଖେଳାଯାଇଥିବା ୩ଟି ମ୍ୟାଚରେ ସେ ବହୁତ ରନ ବ୍ୟୟ କରିଛନ୍ତି।
ପୂର୍ବତନ କ୍ରିକେଟର ଭୁବନେଶ୍ୱରଙ୍କ ବୋଲିଂରେ ଥିବା ତ୍ରୁଟି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି, ସେ ଗୋଟିଏ ଭୁଲ କରୁଛନ୍ତି, ତାହା ହେଉଛି ବହୁତ କମ ଲେନ୍ଥରେ ବୋଲିଂ କରୁଛନ୍ତି। ତାଙ୍କ ବୋଲିଂର ଗତି ମଧ୍ୟ କମ। ସେ ସର୍ବାଧିକ ୧୩୨ କିମି ପ୍ରତି ଘଣ୍ଟା ବେଗରେ ବୋଲିଂ କରୁଛନ୍ତି। ତେଣୁ ସେ ବୋଧହୁଏ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନାହାନ୍ତି। ଶ୍ରେୟସ ଆୟର ମଧ୍ୟ ତାଙ୍କୁ ଏପରି ବ୍ୟବହାର କରୁଛନ୍ତି ଯେ ୧୬ତମ ଓଭର ସୁଦ୍ଧା ତାଙ୍କର ସମସ୍ତ ଓଭର ଶେଷ କରାଇ ଦେଉଛନ୍ତି। ଏଥିରୁ ଲାଗୁଛି ଯେ ସେ ଖେଳୁଛନ୍ତି, କିନ୍ତୁ ତାଙ୍କଠାରୁ ଯେଉଁ ଆଶା ରଖାଯାଇଥିଲା, ସେଭଳି ପ୍ରଦର୍ଶନ କରିପାରିନାହାନ୍ତି।
ଭୁବନେଶ୍ୱର କୁମାରଙ୍କ ପାଇଁ ଏହି ସିରିଜ ଶେଷ ସୁଯୋଗ ହୋଇପାରେ ବୋଲି ଆକାଶ ଚୋପ୍ରା ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆଗାମୀ ଦୁଇଟି ମ୍ୟାଚ ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ହୋଇପାରେ ଟିମ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ ଯେ ଆମେ ତାଙ୍କୁ ନ୍ୟୁଜିଲାଣ୍ଡରେ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇଥିଲୁ। କିନ୍ତୁ ୫ଟି ମ୍ୟାଚ୍ରେ ମଧ୍ୟ ଯଦି ସେ ନିଜ ସ୍ଥାନ ପକ୍କା କରିପାରିଲେ ନାହିଁ, ତେବେ ଏହି ପ୍ରତ୍ୟାବର୍ତ୍ତନ ସିରିଜ ତାଙ୍କର ଶେଷ ସିରିଜ ମଧ୍ୟ ହୋଇପାରେ। କାରଣ କ୍ରିକେଟ୍ରେ ଏହିଭଳି ହୋଇଥାଏ। ଏଭଳି ପରିସ୍ଥିତିରେ ଯୁବ ବୋଲରଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଏ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।