୭୬ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ: ଯୋଗଦେବେ ୨୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ
ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ପରମହଂସ ପରିବ୍ରାଜକାଚାର୍ଯ୍ୟ ଶ୍ରୀମଦ ସ୍ୱାମୀ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପ୍ରବର୍ତ୍ତିତ ୭୬ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ନିଗମାନନ୍ଦ ଆସନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।
ଭକ୍ତ ସମ୍ମିଳନୀ ଅଭ୍ୟର୍ଥନା କମିଟି ସଭାପତି ତଥା ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସମ୍ମିଳନୀର ସଫଳ ଆୟୋଜନ ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୃହୀତ ହୋଇଥିଲା।
ଆସନ୍ତା ୨୦୨୭ ଫେବୃଆରୀ ୧୯, ୨୦ ଓ ୨୧ ତାରିଖ (୩ ଦିନ) ବ୍ୟାପୀ ଦିଗପହଣ୍ଡିଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରାୟ ୨୦ ହଜାର ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ରହିବା, ଖାଇବା ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ବନ୍ଦୋବସ୍ତ କରିବା ସହ ସମ୍ମିଳନୀ ସ୍ଥଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସମ୍ପର୍କରେ ସବିଶେଷ ଚର୍ଚ୍ଚା କରାଯାଇ ବିଧିବଦ୍ଧ ପ୍ରସ୍ତାବ ଗୃହୀତ ହୋଇଥିଲା।
ଏହି ବୈଠକରେ ନିଗମାନନ୍ଦ ସେବା ଟ୍ରଷ୍ଟର ଚେୟାରମ୍ୟାନ ପ୍ରଭାକର ସାହୁ, ଶିବରାମ ପଣ୍ଡା, ଇଂ ପ୍ରକାଶ ଚନ୍ଦ୍ର ମିଶ୍ର, ଦଣ୍ଡାସି ସାହୁ, ଦିଲ୍ଲୀପ ପାଣିଗ୍ରାହୀ, ବନମାଳୀ ଖାଡ଼ଙ୍ଗା, ହରିକୃଷ୍ଣ ପଣ୍ଡା, ଗୁରୁଚରଣ ପଣ୍ଡା, ଅରୁଣ କୁମାର ସାହୁ, ବି. ଦୀନବନ୍ଧୁ, ଲକ୍ଷ୍ମୀ ନାରାୟଣ ପଣ୍ଡା, ବିବେକାନନ୍ଦ ସାହୁ, ନିଗମ ପ୍ରସାଦ ପଣ୍ଡା, ଗୁରୁଦାସ ପଣ୍ଡାଙ୍କ ସମେତ ବହୁ ସଂଖ୍ୟକ ଗୁରୁଭକ୍ତ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।