ଅଧରାତି ଯାଏଁ ଛକାପଞ୍ଝା; ଉତ୍କଳରେ ଏବିଭିପି, ରମାଦେବୀରେ ବିସିଜେଡି
ଭୁବନେଶ୍ବର: ଅଧ ରାତି ପର୍ଯ୍ୟନ୍ତ ଛକାପଞ୍ଝା ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ ପାଇଛି। ଉତ୍କଳ ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓ ରମାଦେବୀରେ ବିଜୁ ଛାତ୍ର ଜନତା ଦଳ(ବିସିଜିଡି)ର ପ୍ରାର୍ଥୀମାନେ ବାଜିମାତ୍ କରିଛନ୍ତି। ଉତ୍କଳରେ ସଭାପତି ଭାବେ ଏବିଭିପି ପ୍ରାର୍ଥୀ ଅଭିରାମ ମିଶ୍ର ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ଆୟୁଷୀ ପ୍ରଧାନ ବିଜୟ ହାସଲ କରିଛନ୍ତି। ସେହିପରି ରମାଦେବୀରେ ସଭାପତି ଭାବେ ବିସିଜେଡିର ସୋନାଲି ବେହେରା ଓ ସାଧାରଣ ସମ୍ପାଦକ ଭାବେ ଲକ୍ଷ୍ମୀପ୍ରିୟା ବିଶ୍ବାଳ ବିଜୟୀ ହୋଇଛନ୍ତି।
Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା
ବାଦବିବାଦ ମଧ୍ୟରେ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ସରିଛି। ସନ୍ଧ୍ୟା ସୁଦ୍ଧା ଅଧିକାଂଶ କ୍ୟାମ୍ପସ୍ରେ ଫଳାଫଳ ଘୋଷଣା ହୋଇଥିଲେ ମଧ୍ୟ ଉତ୍କଳ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ନିର୍ବାଚନ ଆଜି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। କେତେବେଳେ ଭୋଟ ଗଣତି ଅଧାରୁ ବନ୍ଦ ହୋଇଥିଲା ତ ଆଉ କେତେବେଳେ ଜାତୀୟ ରାଜପଥ ଅବରୋଧ କରିଥିଲେ ଛାତ୍ର ସଙ୍ଗଠନ। ଛାତ୍ର ସଂସଦ ନିର୍ବାଚନ ହୋଇଥିଲେ ସୁଦ୍ଧା କୌଣସି ଗୁଣରେ ସାଧାରଣ ନିର୍ବାଚନଠାରୁ କମ୍ ନ ଥିଲା। ରମାଦେବୀ ବିଶ୍ବବିଦ୍ୟାଳୟରେ ଛାତ୍ରୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସତ, ମାତ୍ର ଏଠାରେ ଲଢ଼େଇ ସିଧାସଳଖ ଶାସକ ଓ ବିରୋଧୀ ଦଳ ମଧ୍ୟରେ ହୋଇଥିଲା। ନିର୍ବାଚନ ତାରିଖ ଘୋଷଣାଠାରୁ ଉଷ୍ମ ରହିଥିବା ଏଠାକାର କ୍ୟାମ୍ପସ୍ ରାଜନୀତି ଆଜି ଶୀର୍ଷରେ ପହଞ୍ଚିଥିଲା। ଆରୋପ, ପ୍ରତ୍ୟାରୋପ ସାଙ୍ଗକୁ ବିସିଜେଡି ଓ ଏବିଭିପିର ସମର୍ଥିତ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା କ୍ୟାମ୍ପସ୍ ପରିସ୍ଥିତିକୁ ଅଣାୟତ୍ତ କରିଥିଲା। ଦୁଇ ଛାତ୍ର ସଙ୍ଗଠନ ମଧ୍ୟରେ ଗଣ୍ଡଗୋଳ, ହାତାହାତି, ଭଙ୍ଗାରୁଜା ଦ୍ବାରା କ୍ୟାମ୍ପସ୍ ବାହାର ପରିବେଶ ଅଶାନ୍ତ ହେବା ସହ ଭୋଟ ଗଣତି ବହୁ ବିଳମ୍ବିତ ହୋଇଥିଲା।
ସନ୍ଧ୍ୟାରେ ବିସିଜେଡିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି ବୋଲି ପ୍ରଚାର ହୋଇଥିଲା। ଫଳରେ ବିସିଜେଡିର ସମର୍ଥକମାନେ ଫାଟକ ବାହାରେ ବିଜୟ ଉତ୍ସବ ମନାଇଥିଲେ। କିନ୍ତୁ ପରେ ଜଣାପଡ଼ିଥିଲା ଯେ ଫଳାଫଳ ପ୍ରକାଶ ପାଇନାହିଁ। ସରକାରଙ୍କ ଚାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏବିଭିପି ପ୍ରାର୍ଥୀଙ୍କୁ ଜିିତାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ବିସିଜେଡି ଅଭିଯୋଗ କରିଥିଲା। ଏହାକୁ ନେଇ କ୍ୟାମ୍ପସ୍ ବାହାରେ ପରିସ୍ଥିତି ଅଶାନ୍ତ ହୋଇପଡ଼ିଥିଲା। ଉଭୟ ଦଳର ସମର୍ଥକ ଛାତ୍ରୀମାନେ ପରସ୍ପର ବିରୋଧରେ ନାରାବାଜି କରିବା ସହ ହାତାହାତି ହୋଇଥିଲେ। ସେମାନଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଏହି ସମୟରେ ବିଜେଡିର ଜଣେ ସମର୍ଥକଙ୍କ ଗାଡ଼ି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିବା ପରେ ବିବାଦ ଆହୁରି ବଢ଼ିଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ପୁଲିସ ଛାଉଣି ହୋଇଥିଲା।
ସାମିଲ ହେଲେ ବିଜେଡି ଓ ବିଜେପି ନେତା
ଉତ୍ତେଜନାରେ ସରିଲା ରମାଦେବୀ ନିର୍ବାଚନ
ଉତ୍କଳରେ ରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ
ମଧ୍ୟ ରାତିରେ ବିଜୁ ଛାତ୍ରଜନତା ଦଳ ସମର୍ଥକଙ୍କ ସହ ବିଜେଡି ନେତାମାନେ ସାମିଲ ହୋଇଥିଲେ। ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ଭୋଟ ଗଣତି ସରୁ ନଥିବାରୁ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ଭୁବନେଶ୍ବର ମେୟର ସୁଲୋଚନା ଦାସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ସହ ସାମିଲ ହୋଇଥିଲେ। ଶ୍ରୀ ଦାସବର୍ମା କହିଥିଲେ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ନିର୍ବାଚନ ବାତିଲ କରିବାକୁ ସବୁପ୍ରକାର ପ୍ରୟାସ ହେଉଛି। ସରକାରୀ କଳର ବ୍ୟବହାର କରାଯାଉଛି। ଆମେ ଏହାକୁ ନିନ୍ଦା କରୁଛୁ। ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କର ଯଦି ସାମାନ୍ୟ ନୈତିକତା ଥାଏ ତେବେ ତୁରନ୍ତ ଫଳ ଘୋଷଣା କରନ୍ତୁ। ଭୋଟ ପାଇଁ କେଉଁ ସ୍ତରକୁ ଯାଇପାରନ୍ତି ତାହା ଆଜି ରାଜଧାନୀରେ ଦେଖିବାକୁ ମିଳୁଛି। ଛାତ୍ର ବିଜେଡି ଜିତି ସାରିଥିଲେ ମଧ୍ୟ ଫଳ ଘୋଷଣା ହୋଇ ପାରୁନାହିଁ। ଛାତ୍ର ସଭାପତିଙ୍କୁ ଗିରଫ କଲେ। ସରକାରୀ ଦଳର ହାତବାରିସି ସାଜି ପୁଲିସ ଏଠାରେ କାମ କରୁଛି ବୋଲି ସେ ଅଭିଯୋଗ କରିଥିଲେ।
ସେପଟେ ଉତ୍କଳ ବିଶ୍ବବିଦ୍ୟାଳୟରେ ଭୋଟ ଗଣତି ବିଳମ୍ବକୁ ନେଇ ରାତିରେ ଛାତ୍ର କଂଗ୍ରେସର ସଦସ୍ୟମାନେ ଜାତୀୟ ରାଜପଥ ଅବରୋଧ କରିବା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ଦିନରେ ଶାନ୍ତିଶୃଙ୍ଖଳାର ସହ ଉତ୍କଳ ବିଶ୍ବବିଦ୍ୟାଳୟରେ ରେକର୍ଡ ସଂଖ୍ୟକ ମତଦାନ ହୋଇଥିଲେ ମଧ୍ୟ ଭୋଟ ଗଣତିକୁ ନେଇ ସମସ୍ୟା ଉପୁଜିଥିଲା। ୨୬୦୯ ଜଣ ଛାତ୍ରଛାତ୍ରୀ ମତାଧିକାର ସାବ୍ୟସ୍ତ କରିଥିଲେ, ଅଥଚ ଗଣନାରେ ଢେର ବିଳମ୍ବ ହୋଇଥିଲା। ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଗଣତି ସରି ନ ଥିବାରୁ ଛାତ୍ର କଂଗ୍ରେସ ଓ ଏଆଇଏସ୍ଏଫ୍ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଥିଲେ। କ୍ୟାମ୍ପସ୍ ସମ୍ମୁଖ ଜାତୀୟ ରାଜପଥ ଅବରୋଧ କରିବା ସହ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି କରିଥିଲେ। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ସେମାନେ ରାସ୍ତାରୁ ହଟିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।