ଆସନ୍ତା କାଲି ୧୨ ଘଣ୍ଟିଆ ଓଡିଶା ବନ୍ଦ

Oct 07, 2026 - 12:11
ଆସନ୍ତା କାଲି ୧୨ ଘଣ୍ଟିଆ ଓଡିଶା ବନ୍ଦ

ଭୁବନେଶ୍ୱର : ଆସନ୍ତା ୮ ତାରିଖ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । ଇଣ୍ଡିଆ ବ୍ଲକ୍ ଏବଂ କଂଗ୍ରେସ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । MMDR ଆଇନ ସଂଶୋଧନ ପ୍ରତ୍ୟାହାର, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସହାୟତା ଭଳି ୪ ଦଫା ଦାବିକୁ ନେଇ ଏହି ରାଜ୍ୟବ୍ୟାପୀ ଆନ୍ଦୋଳନର ଆହ୍ୱାନ କରାଯାଇଛି । ସେପଟେ, ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ପ୍ରତିବାଦ କରୁଛନ୍ତି ବିରୋଧୀ ।

ବନ୍ଦ ସମୟରେ ରେଳ, ବସ୍ ଓ ଅନ୍ୟାନ୍ୟ ସରକାରୀ ବେସରକାରୀ ଯାନବାହନ ଚଳାଚଳ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି । ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର ସମେତ ସମସ୍ତ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯିବ । ଏହାସହ ଅଷ୍ଟମ ଓ ନବମ ଶ୍ରେଣୀର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧା ନହୁଏ ଧ୍ୟାନ ଦିଆଯିବ ।

ସେହିପରି, ଓଡ଼ିଶା ବନ୍ଦ ଡାକରା ସତ୍ତ୍ୱେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହେବ D.El.Ed. ପରୀକ୍ଷା। ଆସନ୍ତା ଅକ୍ଟୋବର ୮ ତାରିଖରେ ହେବାକୁ ଥିବା ପରୀକ୍ଷା ବାତିଲ କିମ୍ବା ଘୁଞ୍ଚିବା ନେଇ ହେଉଥିବା ଗୁଜବରେ ବିରାମ ଲଗାଇଛି ମାଧ୍ୟମିକ ଶିକ୍ଷା ପରିଷଦ । ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଓଡ଼ିଶା ବନ୍ଦ ପାଇଁ D.El.Ed. ପରୀକ୍ଷା ବାତିଲ ହେବ ନାହିଁ କିମ୍ବା ଘୁଞ୍ଚାଯିବ ନାହିଁ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପରୀକ୍ଷା ଚାଲୁ ରହିବ। D.El.Ed. ପରୀକ୍ଷା-୨୦୨୬ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଚାଲିବ।  ଏ ପର୍ଯ୍ୟନ୍ତ ୩ଟି ପେପର ପରୀକ୍ଷା ଶେଷ ହୋଇଛି। ଅକ୍ଟୋବର ୮ ତାରିଖରେ ୪ର୍ଥ ପେପର ପରୀକ୍ଷା ହେବ। ଏହାପରେ ଆଉ ୬ଟି ପେପର ପରୀକ୍ଷା ବାକି ରହିଛି। ଅକ୍ଟୋବର ୮ ତାରିଖର ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ହେବ। ତେବେ ଓଡ଼ିଶା ବନ୍ଦ ଯୋଗୁଁ ଯାତାୟାତରେ ସମସ୍ୟା ହୋଇପାରେ। ତେଣୁ ପରୀକ୍ଷାର୍ଥୀମାନେ ସକାଳ ୮ଟା ସୁଦ୍ଧା ନିଜ ନିଜ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।

କଣ ବନ୍ଦ ଓ କଣ ଖୋଲା ରହିବ :

ବନ୍ଦ ସମୟରେ ବସ୍, ଟ୍ରକ୍, ଅଟୋ ସମେତ ସାଧାରଣ ପରିବହନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଦାଲତ, ବଜାର, ଦୋକାନ ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ପାଇଁ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଛି । ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା, ଔଷଧ ଦୋକାନ, ଦୁଗ୍ଧ ଯୋଗାଣ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାକୁ ବନ୍ଦ ପରିସରରୁ ବାଦ ଦିଆଯିବ । ଇଣ୍ଡିଆ ବ୍ଲକ ରାଜ୍ୟର ସମସ୍ତ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଦଳ, ଶ୍ରମିକ କୃଷକ ସଂଗଠନ, ଛାତ୍ର-ଯୁବ ସଂଗଠନ, ଓକିଲ ସଂଘ, ବ୍ୟବସାୟୀ ସମୁଦାୟ ଓ ସାଧାରଣ ଜନତାଙ୍କୁ ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରି ଗଣତାନ୍ତ୍ରିକ ପ୍ରତିବାଦକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଜଣାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।