ଉତ୍ତରପ୍ରଦେଶ କୋର୍ଟକୁ ଯିବାବେଳେ ରାହୁଲଙ୍କ କାରକେଡ୍ ଧକ୍କା
ଲକ୍ଷ୍ନୌ :ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାର ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କାରକେଡ୍ରେ ଥିବା କିଛି ଗାଡ଼ି ପରସ୍ପର ସହ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ କାର୍ ଏହି ଦୁର୍ଘଟଣାରେ ସାମିଲ ନଥିଲା ଏବଂ ସେ ସୁରକ୍ଷିତ ଅଛନ୍ତି। ଏହି ଘଟଣା ହଲିଆପୁର ଥାନା ଅଧୀନରେ ହୋଇଛି। ଧକ୍କା ଖାଇଥିବା ଗାଡ଼ିଗୁଡ଼ିକ ରାହୁଲ ଗାନ୍ଧୀଙ୍କ କାର୍ ପଛରେ ଯାଉଥିଲେ। ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟା ୧୫ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା। କାରକେଡ୍ର ଆଗରେ ଯାଉଥିବା ସ୍ଥାନୀୟ କଂଗ୍ରେସ ନେତାଙ୍କ ଏକ ଘରୋଇ ଗାଡ଼ି କୌଣସି ଅଜ୍ଞାତ କାରଣରୁ ହଠାତ୍ ବ୍ରେକ୍ ମାରିଥିଲା। ଫଳରେ ପଛରେ ଆସୁଥିବା ଗାଡ଼ିଗୁଡ଼ିକ ପରସ୍ପର ସହ ଧକ୍କା ଖାଇଥିଲେ। ଦୁର୍ଘଟଣା ପରେ କାରକେଡ୍ ପୁଣି ସୁଲତାନପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ସୁରକ୍ଷା ପାଇଁ ପୋଲିସ କର୍ମଚାରୀମାନେ ମଧ୍ୟ କାରକେଡ୍ ସହିତ ଥିଲେ। ମାନହାନି ମାମଲାର ଶୁଣାଣି ପାଇଁ ରାହୁଲ ଗାନ୍ଧୀ ସକାଳ ପ୍ରାୟ ୧୧ଟା ୧୫ ମିନିଟ୍ରେ ସୁଲତାନପୁର ଅଦାଲତରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ଧକ୍କା ଯୋଗୁ ଅନେକ କାର୍ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଥିଲା। ସେଗୁଡ଼ିକ ପଛରେ ଯାଉଥିବା ଏକ ଆମ୍ବୁଲାନ୍ସ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ରାହୁଲ ଗାନ୍ଧୀଙ୍କ କାରକେଡ୍ରେ ସବୁବେଳେ ଏକ ଆମ୍ବୁଲାନ୍ସ ରହିଥାଏ। ୨୦୧୮ ମସିହାର ଏକ ଆପରାଧିକ ମାନହାନି ମାମଲାରେ ରାୟ ଶୁଣାଣି ପାଇଁ ରାହୁଲ ଗାନ୍ଧୀ ଲକ୍ଷ୍ନୌରୁ ସୁଲତାନପୁର ଯାଉଥିଲେ। ଏହି ମାମଲାର ଶୁଣାଣି ଏକ ସ୍ୱତନ୍ତ୍ର ଏମ୍ପି/ଏମଏଲ୍ଏ ଅଦାଲତରେ ହେବାର ଥିଲା। ଉଲ୍ଲେଖଯୋଗ୍ୟ ୨୦୧୮ ମସିହାର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବେଙ୍ଗାଲୁରୁରେ ଏକ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧୀ ତତ୍କାଳୀନ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ବିଷୟରେ କରିଥିବା କଥିତ ମନ୍ତବ୍ୟକୁ ନେଇ ଏହି ମାମଲା ଦାୟର ହୋଇଥିଲା ସୁଲତାନପୁର ଜିଲ୍ଲା ସମବାୟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା ବିଜୟ ମିଶ୍ର ୪ ଅଗଷ୍ଟ ୨୦୧୮ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗକାରୀଙ୍କ ଓକିଲ ସନ୍ତୋଷ କୁମାର ପାଣ୍ଡେଙ୍କ ଅନୁଯାୟୀ, ରାୟ ଶୁଣାଣି ସମୟରେ ରାହୁଲ ଗାନ୍ଧୀଙ୍କୁ ସ୍ୱତନ୍ତ୍ର ଏମ୍ପି/ଏମଏଲଏ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ। ଏହି ମାମଲାର ଶୁଣାଣି ଅନେକ ବର୍ଷ ଧରି ଚାଲିଆସୁଛି। ଫେବୃଆରୀ ୨୦୨୪ରେ ରାହୁଲ ଗାନ୍ଧୀ ଅଦାଲତରେ ଆତ୍ମସମର୍ପଣ କରିଥିଲେ ଏବଂ ତାଙ୍କୁ ଜାମିନ ମିଳିଥିଲା। ସେହି ବର୍ଷ ଜୁଲାଇରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଦାଲତ ଅଭିଯୋଗକାରୀ ଓ ଅନ୍ୟ ସାକ୍ଷୀମାନଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲେ। ୬ ଅକ୍ଟୋବର ୨୦୨୬ରେ ଏହି ମାମଲାରେ ଯୁକ୍ତି ଉପସ୍ଥାପନ ଆରମ୍ଭ ହୋଇଥିଲା ଏବଂ ୧୨ ଅକ୍ଟୋବରରେ ଶେଷ ହୋଇଥିଲା। ଅଦାଲତ ୨୬ ଅକ୍ଟୋବର ଅପରାହ୍ନରେ ରାୟ ଶୁଣାଇବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ରାହୁଲ ଗାନ୍ଧୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଦାଲତ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସୁଲତାନପୁରର ପୋଲିସ ଅଧୀକ୍ଷକ ବିନୀତ ଜୟସୱାଲ କହିଥିଲେ ଯେ ସୁରକ୍ଷା ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପୋଲିସ କର୍ମଚାରୀ ମୁତୟନ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।