ଏମଡିଆର
ନିକଟରେ ଘୋଷଣା ହୋଇଥିବା ଏମ୍ଡିଆର ଖୁବ ଚର୍ଚ୍ଚାରେ ରହିଛି । ତେବେ ଏହାକୁ ନେଇ ଅନେକ ଦ୍ବନ୍ଦ୍ବ ମଧ୍ୟ ଦେଖିବାକୁ ମିଳୁଛି । ଆସନ୍ତୁ ଜାଣିବା କଣ ଏହି ନିୟମ, ଏହାର ନୂତନ ଶୁଳ୍କ ଢାଞ୍ଚା ଏବଂ ପ୍ରଭାବ ସମ୍ପର୍କରେ …
ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ମଙ୍ଗଳବାର ଏକ ନୂଆ ଫ୍ରେମୱାର୍କ ଜାରି କରିଛନ୍ତି । ଏହା ଅଧୀନରେ ୨ ହଜାରରୁ ଅଧିକର ୟୁନିଫାଇଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) କାରବାର ଉପରେ ୦.୪ ପ୍ରତିଶତ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (ଏମଡିଆର) ଲାଗିବ। କିନ୍ତୁ ୭୫ ହଜାର ଟଙ୍କାରୁ ଅଧିକ ରାଶିର ପେମେଣ୍ଟ ପାଇଁ ଶୁଳ୍କର ସର୍ବାଧିକ ସୀମା ୩୦୦ ଟଙ୍କା ପ୍ରତି କାରବାର ସ୍ଥିର କରାଯାଇଛି। ୟୁପିଆଇ ଜରିଆରେ ମାସକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ନେଉଥିବା ଛୋଟ ଦୋକାନୀଙ୍କ ଉପରେ କୌଣସି ଅତିରିକ୍ତ ଶୁଳ୍କ ଲାଗିବ ନାହିଁବୋଲି ସ୍ପଷ୍ଟ କରାଯାଇଛି । ରେଳବାଇ, ବୀମା, ସଞ୍ଚାର ଏବଂ ଜାଳେଣି ଭଳି ସେବା ପାଇଁ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ ଉପରେ କେବଳ ପାଞ୍ଚ ଟଙ୍କାର ଫ୍ଲାଟ ଶୁଳ୍କ ଲାଗିବ।
ଏମ୍ଡିଆର କଣ
ଏମଡିଆର ହେଉଛି ଏକ କ୍ଷୁଦ୍ର ଶୁଳ୍କ, ଯାହା ଦୋକାନୀମାନେ ବ୍ୟାଙ୍କ ଏବଂ ପେମେଣ୍ଟ କମ୍ପାନୀଗୁଡ଼ିକୁ ସେତେବେଳେ ଦିଅନ୍ତି ଯେତେବେଳେ ଜଣେ ଗ୍ରାହକ ଡିଜିଟାଲ୍ ପେମେଣ୍ଟ କରନ୍ତି । ଗ୍ରାହକ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ମାଧ୍ୟମରେ ଦୋକାନୀଙ୍କୁ ଟଙ୍କା ପେମେଣ୍ଟ କରନ୍ତି, ଏବଂ ଦୋକାନୀ ପେମେଣ୍ଟ ପ୍ରୋଭାଇଡରଙ୍କୁ ଏକ ପ୍ରୋସେସିଂ ଫି’ ପ୍ରଦାନ କରନ୍ତି । ଉଦାହରଣ ସ୍ୱରୂପ, ୨୦୦୦ ଟଙ୍କାର କାରବାର ଉପରେ ୦.୪ ପ୍ରତିଶତ ଏମଡିଆର ଅନୁସାରେ ୮ ଟଙ୍କା ହୋଇଥାଏ । ଏହାର ପରିଶୋଧ ଦୋକାନୀ ବ୍ୟାଙ୍କ କିମ୍ବା ପେମେଣ୍ଟ ପ୍ରୋଭାଇଡରଙ୍କୁ କରିବେ, କିନ୍ତୁ ଗ୍ରାହକମାନେ ପୂର୍ବପରି ୟୁପିଆଇର ବ୍ୟବହାର ମାଗଣାରେ କରିପାରିବେ।
କ’ଣ ଏହି ୟୁପିଆଇର ନୂଆ ନିୟମ
ଏନପିସିଆଇ ମଙ୍ଗଳବାର ଏହି ସୂଚନା ଦେବା ପରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିସ୍ତୃତ ଦିଗଦର୍ଶନ ଜାରି କରାଯାଇଛି । ଏଥିରେ କୁହାଯାଇଛି, 'ସାଧାରଣ ଗ୍ରାହକ ବିନା କୌଣସି ଅତିରିକ୍ତ ବୋଝରେ ପେମେଣ୍ଟ କରିବା ଜାରି ରଖିବେ । ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଅଧିକାଂଶ କାରବାର ଶୁଳ୍କମୁକ୍ତ ରହିବ । ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 'ଜରୁରୀ ସେବାଗୁଡ଼ିକ ଉପରେ ସରକାର ଶୁଳ୍କ କମ୍ ରଖିଛନ୍ତି । ରେଳବାଇ, ଟେଲିକମ, ବୀମା, ଜାଳେଣି ଏବଂ କୃଷି ଇନପୁଟ ଭଳି ବର୍ଗଗୁଡ଼ିକରେ ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଉପରେ କେବଳ ପାଞ୍ଚ ଟଙ୍କାର ଫ୍ଲାଟ ଏମଡିଆର ଲାଗିବ। ଏହାର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ସେବା ଏବଂ କମ୍ ମାର୍ଜିନ ଥିବା ବ୍ୟବସାୟରେ ଖର୍ଚ୍ଚ ଯେପରି ନ ବଢ଼େ । ମ୍ୟୁଚୁଆଲ ଫଣ୍ଡ, ସିକ୍ୟୁରିଟିଜ, ଷ୍ଟକ ବ୍ରୋକର ଏବଂ ଡିଲରଙ୍କୁ ଦିଆଯାଉଥିବା ପେମେଣ୍ଟ ଉପରେ ୦.୦୨ ପ୍ରତିଶତର ସାମାନ୍ୟ ଏମଡିଆର ଲାଗିବ। ତେବେ ଏହାର ସର୍ବାଧିକ ସୀମା ୩୦୦ ଟଙ୍କା ରହିବବୋଲି ଘୋଷଣା କରାଯାଇଛି ।
ମଜବୁତ କରାଯାଉଛି ଗ୍ରାହକଙ୍କ ସୁରକ୍ଷା ବ୍ୟବସ୍ଥା
କମ୍ପାନୀଗୁଡ଼ିକ ଗ୍ରାହକଙ୍କ ଉପରେ ଏମଡିଆରର ବୋଝ ପକାଇବେ କି ନାହିଁ, ସରକାର କିମ୍ବା ଏନପିସିଆଇ ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି । ଅର୍ଥ ମନ୍ତ୍ରଣାଳୟ କହିଛନ୍ତି, 'ଗ୍ରାହକଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଉଛି । ୟୁପିଆଇ ଆପ ଚଲାଉଥିବା କମ୍ପାନୀଗୁଡ଼ିକ ପ୍ଲାଟଫର୍ମ ଶୁଳ୍କ କିମ୍ବା କୌଣସି ଲୁକ୍କାୟିତ ଶୁଳ୍କ ଲଗାଇପାରିବେ ନାହିଁ । ବ୍ୟବସାୟୀମାନେ ଯେପରି ଏମଡିଆରର ବୋଝ ଗ୍ରାହକଙ୍କ ଉପରେ ନ ପକାନ୍ତି, ସେଥିପାଇଁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଛି । ସାଧାରଣ ବ୍ୟବହାରକାରୀଙ୍କ ପାଇଁ ମାଗଣା ୟୁପିଆଇ ଉପରେ କୌଣସି ମାସିକ କୋଟା, ପରିମାଣ ସୀମା କିମ୍ବା ସ୍ଲାବ ରହିବ ନାହିଁ। ବ୍ୟାଙ୍କ ଏବଂ ଏନପିସିଆଇ ପକ୍ଷରୁ ଲାଗୁଥିବା ଦୈନିକ ସୀମା ବର୍ଗ ଅନୁସାରେ ଏକରୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଆଦାୟ କରିବାର ମାଧ୍ୟମ ନୁହେଁ । ଏମଡିଆରର ନୂଆ ବ୍ୟବସ୍ଥା ଦ୍ୱାରା ପ୍ରାୟ ୯୫ ପ୍ରତିଶତ ଛୋଟ ୟୁପିଆଇ କାରବାର ପ୍ରଭାବିତ ହେବନାହିଁ । ଛୋଟ ବ୍ୟବସାୟୀ ଏବଂ ଛୋଟ ବଜାରଗୁଡ଼ିକରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅଲଗା ଫଣ୍ଡ ଗଠନ କରିବାକୁ ମଧ୍ୟ ଘୋଷଣା କରାଯାଇଛି । ଏହା ସହିତ ସଂସ୍ଥାର ଦାବି ଯେ ନୂଆ ଶୁଳ୍କ ଲାଗିବା ସତ୍ତ୍ୱେ ୟୁପିଆଇ ଅନ୍ୟ ପ୍ରଚଳିତ ଡିଜିଟାଲ ପେମେଣ୍ଟ ସୁବିଧା ଯେପରିକି ଡେବିଟ ଓ କ୍ରେଡିଟ କାର୍ଡ ଏବଂ ୱାଲେଟ ତୁଳନାରେ ଶସ୍ତା ରହିବ । ସେହିଭଳି ବିଶ୍ବର ଅନେକ ଦେଶ ଏହି ପ୍ରକ୍ରିୟାକୁ ପୂର୍ବରୁ ଗ୍ରହଣ କରିଥିବା ଜଣାପଡିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।