ଏସ୍‌ଆଇଆର ବିବାଦ ମଧ୍ୟରେ ଇସି ନିଷ୍ପତ୍ତିର ରେକର୍ଡ ମାଗିଲେ ସୁପ୍ରିମକୋର୍ଟ

Oct 05, 2026 - 13:55
ଏସ୍‌ଆଇଆର ବିବାଦ ମଧ୍ୟରେ ଇସି ନିଷ୍ପତ୍ତିର ରେକର୍ଡ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନିର୍ବାଚନ କମିସନ୍‌ (ଇସି)ର ଅନ୍ୟ ଦୁଇ ଜଣ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ଭାବେ ନିଷ୍ପତ୍ତି ନେଇଥିବା ଅଭିଯୋଗ ଉପରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବନ କରିବା ପାଇଁ ସୁପ୍ରିମକୋର୍ଟ କୌଣସି ଅନ୍ତରୀଣ ଆଦେଶ ଦେବାକୁ ସୋମବାର ମନା କରିଦେଇଛନ୍ତି। ତେବେ, ଚ୍ୟାଲେଞ୍ଜ କରାଯାଇଥିବା ନିଷ୍ପତ୍ତିଗୁଡ଼ିକର ରେକର୍ଡ, ବିଶେଷକରି ଫର୍ମ ୬ରେ କରାଯାଇଥିବା ବିବାଦୀୟ ପରିବର୍ତ୍ତନ ସମ୍ବନ୍ଧୀୟ ରେକର୍ଡ ଦାଖଲ କରିବାକୁ ଭାରତୀୟ ନିର୍ବାଚନ କମିସନ (ଇସିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ପାଟନା ନିବାସୀ ରାକେଶ କୁମାର ସିଂହଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ ସିଇସିଙ୍କ ନେତୃତ୍ୱରେ ନିର୍ବାଚନ କମିସନର କାର୍ଯ୍ୟପ୍ରଣାଳୀକୁ ଚ୍ୟାଲେଞ୍ଜ କରାଯାଇଥିଲା। ଆବେଦନରେ ଅଭିଯୋଗ ଥିଲା ଯେ, ଅନ୍ୟ ଦୁଇ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀଙ୍କ ଅନୁମୋଦନ ବିନା ଅନେକ ନିର୍ଦ୍ଦେଶାବଳୀ ଓ ସଫ୍ଟୱେର ପରିବର୍ତ୍ତନ କରାଯାଇଥିଲା। ଏଥିସହ ସିଇସିଙ୍କୁ ନିଲମ୍ବନ କରିବାକୁ ମଧ୍ୟ ଆବେଦନରେ ଦାବି କରାଯାଇଥିଲା। ଆବେଦନକାରୀଙ୍କ ଅଭିଯୋଗ ଥିଲା ଯେ ସେ ସାମ୍ବିଧାନିକ ଓ ଆଇନଗତ ବ୍ୟବସ୍ଥାର ବିପରୀତ ଭାବେ କାର୍ଯ୍ୟ କରିଛନ୍ତି। ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ, ନିଷ୍ପତ୍ତିଗୁଡ଼ିକ କେବଳ ଜ୍ଞାନେଶ କୁମାର ନେଇଥିଲେ କି, ନା ନିର୍ବାଚନ କମିସନର ସମସ୍ତ ସଦସ୍ୟଙ୍କ ସର୍ବସମ୍ମତି କିମ୍ବା ଅଧିକାଂଶ ମତରେ ଏହା ଅନୁମୋଦିତ ହୋଇଥିଲା ତାହା ଯାଞ୍ଚ କରିବାକୁ ଚାହୁଁଛି। ସିଜେଅଇେ କହିଥିଲେ ରେକର୍ଡ ଦାଖଲ ହେବା ପରେ ଆମେ ଦେଖିବାକୁ ଚାହୁଁଛୁ ଯେ ଫର୍ମ ୬ରେ କିଏ ପରିବର୍ତ୍ତନ କରିଛନ୍ତି। ଯଦି ସର୍ବସମ୍ମତି ନଥାଏ, ତେବେ ଅଧିକାଂଶ ମତରେ ନିଷ୍ପତ୍ତି ହେବା ଉଚିତ, ନଚେତ୍ ନିଷ୍ପତ୍ତିକୁ ବାତିଲ କରାଯାଇପାରେ। ଆପଣ କେବଳ ଏକ ଖବରକାଗଜ ରିପୋର୍ଟ ଉପରେ ନିଜ ଯୁକ୍ତି ଆଧାର କରୁଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଏହାର ଉତ୍ତରରେ କହିଥିଲେ, ନିର୍ବାଚନ କମିସନ ନିଜେ ଏକ ପ୍ରେସ୍ ରିଲିଜ୍ ଜାରି କରିଛନ୍ତି ଏବଂ ସେମାନେ ଏହି ରିପୋର୍ଟକୁ ଖଣ୍ଡନ କରିନାହାନ୍ତି। ଏହାର ଉତ୍ତରରେ ସିଜେଆଇ କହିଥିଲେ, ‘ରିପୋର୍ଟଟି ସଠିକ୍ ହୋଇପାରେ କିମ୍ବା ଭୁଲ୍ ହୋଇପାରେ, କିନ୍ତୁ ଆମେ ତାହା ଆଧାରରେ ଆଦେଶ ଦେଇପାରିବୁ ନାହିଁ। ଆମକୁ ସେମାନଙ୍କ ଉତ୍ତର ଅପେକ୍ଷା କରିବାକୁ ପଡ଼ିବ। ଏଥି ମଧ୍ୟରେ, ଆବେଦନକାରୀଙ୍କ ଆଇନଜୀବୀ ବିକାଶ ସିଂହ ଏକ ସପ୍ତାହ ମଧ୍ୟରେ ଇସିଆଇ ତାହାର ଉତ୍ତର ଦେଉ ବୋଲି ଦାବି କରିଥିଲେ ଏବଂ ନଚେତ୍ ‘ଦେଶ ଜଳିଯିବ’ ବୋଲି କହି ଅଦାଲତ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଯୁକ୍ତି ଦେଇଥିଲେ। ତଥାପି, ସୁପ୍ରିମ୍ କୋର୍ଟ ଇସିଆଇକୁ ଉତ୍ତର ଦେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିନଥିଲେ। ଏହାର ଉତ୍ତରରେ ସିଜେଆଇ କହିଥିଲେ ଯେ, ଯଦି ପରେ ଅଦାଲତ ନିଯୁକ୍ତି ପ୍ରକ୍ରିୟାରେ କୌଣସି ତ୍ରୁଟି ପାଇଥାଏ, ତେବେ ନିର୍ବାଚନ ଫଳାଫଳକୁ ବାତିଲ କରିବାର ସୁଯୋଗ ଅଦାଲତ ପାଖରେ ସବୁବେଳେ ରହିବ। ତେବେ, ବରିଷ୍ଠ ଆଇନଜୀବୀ ଯୁକ୍ତି ଦେଇଥିଲେ ଯେ ଅଦାଲତ କେବେ ମଧ୍ୟ କୌଣସି ନିର୍ବାଚନକୁ ବାତିଲ କିମ୍ବା ପ୍ରତ୍ୟାଖ୍ୟାନ କରିନାହାନ୍ତି। ତେଣୁ, ନିର୍ବାଚନ କମିଶନର ନିଷ୍ପତ୍ତିଗୁଡ଼ିକ ସର୍ବସମ୍ମତିରେ ନିଆଯିବା ନିଶ୍ଚିତ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଜାରି କରିବା ଉଚିତ ବୋଲି ସେ କହିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।