ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ୱାସ ଯାଏଁ ଲଢ଼ିବି - ନବୀନ

Sep 28, 2026 - 15:27
ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ୱାସ ଯାଏଁ ଲଢ଼ିବି - ନବୀନ

ଭୁବନେଶ୍ୱର : ଏମଏମଡିଆର ବିଲ - ୨୦୨୬ ପ୍ରତ୍ୟାହାର ଦାବିରେ ଆଜି ଭୁବନେଶ୍ୱରର ଲୋୟର ପିଏମଜି ରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଛି ଏକ ବିଶାଳ ପ୍ରତିବାଦ ସଭା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସଭାସ୍ଥଳରେ ପହଞ୍ଚି ବିକ୍ଷୋଭରେ ସାମିଲ ହୋଇଛନ୍ତି । ଏମଏମଡିଆର ବିଲ୍ ପ୍ରତ୍ୟାହାର ନେଇ ବିଜେପି ବିରୋଧରେ ବର୍ଷିଲେ ନବୀନ । 

ନବୀନ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଆଜି ଏକାଠି ହୋଇଛେ । ସାଢେ ଚାରି କୋଟି ଓଡ଼ିଆଙ୍କ ହକ୍ ପାଇଁ ଆମେ ଆଜି ଏକାଠି ହୋଇଛେ । ଆମର GenZଙ୍କ ଭବିଷ୍ୟତ ପାଇଁ ଆମେ ଏ ଲଢେଇ ଲଢୁଛେ । MMDR Amendment Bill ଏକ ସାଧାରଣ ବିଲ୍ ନୁହେଁ । ରାଜ୍ୟର ଅଧିକାର ସହ ଏ ବିଲ୍ ଜଡିତ । ଏହି ନୂତନ ଖଣି ଆଇନ ମାଧ୍ୟମରେ ଓଡ଼ିଶାର ପ୍ରାକୃତିକ ସମ୍ପଦ ଏବଂ ଖଣିଜ ରାଜସ୍ୱ ଉପରେ ଥିବା ରାଜ୍ୟର ଅଧିକାରକୁ ଛଡ଼ାଇ ନେବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି । 

ଏହି ଆଇନ ଯୋଗୁଁ ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ, ଯାହା ଫଳରେ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେବ ଏବଂ ଆଗାମୀ ଭବିଷ୍ୟତ ପିଢ଼ି ଆମକୁ କ୍ଷମା କରିବେ ନାହିଁ ।

ସଂସଦରେ ଏହି ବିଲ୍ ପାସ୍ ହେବା ସମୟରେ ଓଡ଼ିଶାର ଶାସକ ବିଜେପି ସରକାର ଏବଂ ତାଙ୍କର ସାଂସଦମାନେ କାହିଁକି ଚୁପ୍ ରହିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । 

ରାଜ୍ୟର ସ୍ୱାଭିମାନ ଓ ସମ୍ପଦର ସୁରକ୍ଷା ପାଇଁ ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ଜନସାଧାରଣ ଓ ରାଜନୈତିକ ଦଳକୁ ଏକାଠି ହୋଇ ଏହି ଆଇନ ବିରୋଧରେ ଲଢ଼ିବାକୁ ସେ ଅପିଲ୍ କରିଛନ୍ତି ।

ଆମ ଲଢେଇରେ ସାମିଲ ହେବାକୁ ସବୁ ଦଳକୁ ଆହ୍ୱାନ କରୁଛୁ । ଏମାଟି ପାଇଁ ଏକାଠି ହେବା ଦରକାର । ଏମଏମଡିଆରକୁ ଆମ ରାଜ୍ୟରେ ଲାଗୁ କରାଇ ଦେବା ନାହିଁ । ଶେଷ ନିଶ୍ୱାସ ଯାଏଁ ଲଢିବି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।