ମସଜିଦ ଭଙ୍ଗାକୁ ନେଇ ଉଜ୍ଜୟିନୀରେ ଉତ୍ତେଜନା ଓ ପଥରମାଡ଼
ଭୋପାଳ, ୨୮/୯ : ମଧ୍ୟପ୍ରଦେଶର ଉଜ୍ଜୟିନୀରେ ମସଜିଦ୍ ଭାଙ୍ଗିବାକୁ ନେଇ ଆଜି ବଡ଼ ଧରଣର ଉତ୍ତେଜନା ଦେଖିବାକୁ ମିଳିଛି। ରାସ୍ତା ପ୍ରଶସ୍ତୀକରଣ ପ୍ରକଳ୍ପ ପାଇଁ ଏକ ମସଜିଦର କିଛି ଅଂଶ ଭାଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତ ହେଉଥିବା ବେଳେ ମହିଳାଙ୍କ ସମେତ ମୁସଲିମ ସମ୍ପ୍ରଦାୟର ବହୁ ସଂଖ୍ୟାରେ ସଦସ୍ୟ ସେଠାରେ ଏକତ୍ରିତ ହୋଇଥିଲେ। ପ୍ରତିବାଦକାରୀ ଓ ପୁଲିସ ମଧ୍ୟରେ ବିଚ୍ଛିନ୍ନ ଭାବେ ପଥରମାଡ଼ ହୋଇଥିବା ଜଣାପଡ଼ିଛି। ଭିଡ଼କୁ ହଟାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏହି ମାମଲାରେ ପୁଲିସ ଅତି କମ୍ରେ ୧୦ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ ୫ ଜଣ ସୋସିଆଲ ମିଡିଆ ମାଧ୍ୟମରେ ଗୁଜବ ପ୍ରଚାର କରୁଥିବା ଅଭିଯୋଗ ରହିଛି। ଅନ୍ୟ ୫ ଜଣ ବାହାର ଅଞ୍ଚଳର ଲୋକ ଥିଲେ ଏବଂ ସେମାନେ ସହରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ପ୍ରଭାବିତ ଅଞ୍ଚଳରେ ୨,୦୦୦ରୁ ଅଧିକ ପୁଲିସ କର୍ମଚାରୀ ମୁତୟନ କରାଯାଇଥିଲେ। ଯାତାୟାତ ନିୟନ୍ତ୍ରଣ ପାଇଁ ଧାର୍ମିକ ସ୍ଥଳଠାରୁ ୫୦୦ ମିଟର ମଧ୍ୟରେ ବ୍ୟାରିକେଡ୍ ଲଗାଯାଇଥିଲା। ପ୍ରତିବାଦକାରୀମାନେ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇଥିଲେ। ପ୍ରତିବାଦରେ ମହିଳାମାନଙ୍କୁ ସାମ୍ନାରେ ରଖାଯାଇଥିଲା। ତେବେ ଅଧିକାରୀମାନେ କହିଛନ୍ତି ଯେ ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଶାନ୍ତି ପୁନଃସ୍ଥାପନ କରିବାରେ ସମ୍ପ୍ରଦାୟର ନେତାମାନଙ୍କଠାରୁ ସହଯୋଗ ମିଳୁଥିବା ସେମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସହରର ଶାହୀ ମସଜିଦର ଏକ ଅଂଶ ରାସ୍ତା ପ୍ରଶସ୍ତୀକରଣ କାମରେ ବାଧା ସୃଷ୍ଟି କରୁଛି। ପୂର୍ବରୁ ମୁସଲିମ ସମ୍ପ୍ରଦାୟର ଏକ ଗୋଷ୍ଠୀ ନିଜେ ମସଜିଦର ପ୍ରଭାବିତ ଅଂଶକୁ ହଟାଇବା ଆରମ୍ଭ କରିଥିଲା। କିନ୍ତୁ ପରେ ଅନ୍ୟ ଏକ ଗୋଷ୍ଠୀ ଏହି ଭଙ୍ଗାକୁ ବିରୋଧ କରି ପ୍ରତିବାଦ କରିଥିଲା। ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ କିଛି ମୁସଲିମ ଯୁବକ ଧାର୍ମିକ ସ୍ଥଳର ଏକ ଛୋଟ ଅଂଶ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା। ଭିଡିଓରେ ସେମାନଙ୍କ ମଧ୍ୟରୁ କିଛି କାନ୍ଦୁଥିବା ଦେଖାଯାଉଛି। ପୁଲିସ ଏସଂକ୍ରାନ୍ତରେ ଟିପ୍ପଣୀ ଦେଇ କହିଛି ଯେ କିଛି ଦୁର୍ବୃତ୍ତ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଆଇନଶୃଙ୍ଖଳା ବଜାୟ ରଖିବା ପ୍ରୟାସକୁ ସାଧାରଣ ଲୋକମାନେ ବ୍ୟାପକ ଭାବେ ସମର୍ଥନ କରିଥିଲେ। ଜଣେ ଅଧିକାରୀଙ୍କ ଅନୁସାରେ, ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସକୁ ସାମାନ୍ୟ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା। ଏକ ଭିଡିଓରେ ସୁରକ୍ଷାକର୍ମୀମାନେ ଲାଠିଚାର୍ଜ କରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଏସ୍ପି ପ୍ରଦୀପ ଶର୍ମା କହିଛନ୍ତି, ‘ସମସ୍ତ ସମ୍ପ୍ରଦାୟ ଏବଂ ସମାଜର ବିଭିନ୍ନ ବର୍ଗ ନିଜ ନିଜ ଅଞ୍ଚଳରେ ନିରନ୍ତର ସହଯୋଗ ଓ ସମର୍ଥନ ଦେଉଛନ୍ତି। ଆଜି ମଧ୍ୟ ମସଜିଦ କମିଟି ନିଜେ ଆରମ୍ଭ କରିଥିବା ଶାହୀ ମସଜିଦର ଭଙ୍ଗା କାମ ଚାଲିଛି। ସତର୍କତାମୂଳକ ପଦକ୍ଷେପ ଭାବେ ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି ଏବଂ ସମସ୍ତଙ୍କ ପ୍ରବେଶ ନିଷେଧ କରାଯାଇଛି। ତେବେ କିଛି ଦୁର୍ବୃତ୍ତ ଅଶାନ୍ତି ସୃଷ୍ଟି କରିବା ସହ ପଥରମାଡ଼ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ପୁଲିସ କର୍ମଚାରୀମାନେ ଲୁହବୁହା ଗ୍ୟାସ ଏବଂ ସାମାନ୍ୟ ବଳ ପ୍ରୟୋଗ କରି ଭିଡ଼କୁ ଛତ୍ରଭଙ୍ଗ କରିଥିଲେ। ମୁସଲିମ ସମ୍ପ୍ରଦାୟର ନେତାମାନେ ମଧ୍ୟ ଶାନ୍ତି ବଜାୟ ରଖିବାକୁ ଭିଡିଓ ବାର୍ତ୍ତା ଦେଉଛନ୍ତି। ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ମସଜିଦ କମିଟି ଦ୍ୱାରା ଭଙ୍ଗା କାମ ନିରନ୍ତର ଭାବେ ଚାଲିଛି।। ଇତି ମଧ୍ୟରେ କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗଡ଼ି ମସଜିଦ ପରିସର ଭଙ୍ଗା ଯୋଜନାକୁ ବିରୋଧ କରିଛନ୍ତି। ସେ ରାଜ୍ୟ ସରକାରଙ୍କୁ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ସମ୍ମାନ ଦେବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, ‘ରାସ୍ତା ପ୍ରଶସ୍ତୀକରଣ ନାମରେ ଉଜ୍ଜୟିନୀ ଶାହୀ ମସଜିଦ ଭାଙ୍ଗିବା ପାଇଁ ପ୍ରଶାସନର ପ୍ରୟାସ ଆହୁରି ସମ୍ବେଦନଶୀଳ ହେବା ଆବଶ୍ୟକ। କେବଳ ରାସ୍ତା ପ୍ରଶସ୍ତୀକରଣ ଓ ବିକାଶ ନାମରେ ୬୦୦ ବର୍ଷ ପୁରୁଣା ଐତିହ୍ୟସ୍ଥଳୀକୁ ଭାଙ୍ଗିବା ପ୍ରଗତି ନାମରେ ଘୃଣାର ଚରମ ପ୍ରକାଶ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।