ଓଡ଼ିଶା ପାଇଁ ସ୍ଥାୟୀ ସହରୀ ଯାତାୟାତ ପରିବର୍ତ୍ତନ ଯୋଜନା ପ୍ରସ୍ତୁତି ଉପରେ କର୍ମଶାଳା
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ “ଓଡ଼ିଶା ପାଇଁ ସ୍ଥାୟୀ ସହରୀ ଯାତାୟାତ ପରିବର୍ତ୍ତନ ଯୋଜନା ପ୍ରସ୍ତୁତି”କର୍ମଶାଳା ଆଜି ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଛି । ଏସିଆନ୍ ଡେଭେଲପମେଣ୍ଟ ବ୍ୟାଙ୍କ ସହଯୋଗରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା ।
ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ପାଇଁ ଏକ ବ୍ୟାପକ ଓ ସ୍ଥାୟୀ ସହରୀ ଯାତାୟାତ ଢାଞ୍ଚା ପ୍ରସ୍ତୁତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ । ଏଥିରେ ଆଞ୍ଚଳିକ ଯାତାୟାତ ଯୋଜନା, ସାର୍ବଜନୀନ ବସ୍ ସେବାର ରୂପାନ୍ତରଣ ଏବଂ ସ୍ଥାୟୀ ସହରୀ ପରିବହନ ପାଇଁ ଅନୁଷ୍ଠାନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପ ଓଡ଼ିଶା ଭିଜନ୍ ୨୦୩୬ ଏବଂ ଭିଜନ୍ ୨୦୪୭ର ଦୀର୍ଘମିଆଦୀ ଲକ୍ଷ୍ୟ ସହ ସମନ୍ୱିତ ।
କର୍ମଶାଳାରେ ଏଡିବି ଟିମ୍ ପକ୍ଷରୁ BKPPER ପାଇଁ ସମନ୍ୱିତ ଆଞ୍ଚଳିକ ଯାତାୟାତ ଯୋଜନା, ବସ୍ ସେବା ରୂପାନ୍ତରଣ ରୋଡ୍ମ୍ୟାପ୍ ଏବଂ ପ୍ରସ୍ତାବିତ ଓଡ଼ିଶା ଟ୍ରାଞ୍ଜିଟ୍-ଓରିଏଣ୍ଟେଡ୍ ଡେଭେଲପମେଣ୍ଟ ନୀତି ଉପରେ ଆଲୋଚନା ହୋଇଥିଲା ।
ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢ଼ୀ ଆୟୋଜିତ କାର୍ମଶାଳା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଏହା କେବଳ ଏକ ଦସ୍ତାବିଜ ପ୍ରସ୍ତୁତିରେ ସୀମିତ ନ ରହି ସମସ୍ତ ଅଂଶୀଦାରଙ୍କ ସହଭାଗିତାରେ ଏକ କାର୍ଯ୍ୟକାରୀ ଓ ରୂପାୟଣଯୋଗ୍ୟ ଢାଞ୍ଚାରେ ପରିଣତ ହେବା ଆବଶ୍ୟକ । ଦୁର୍ଗମ ଅଞ୍ଚଳରେ ନିଜର ଅଭିଜ୍ଞତାର ଉଦାହରଣ ଦେଇ ସେ କହିଥିଲେ , ଯାତାୟାତ ସୁବିଧାର ଅଭାବ ଲୋକଙ୍କ ମୌଳିକ ସେବା ଓ ଆର୍ଥିକ ସୁଯୋଗ ପାଇବାରେ ପ୍ରଭାବ ପକାଇଥାଏ । ଓଡ଼ିଶା ଦ୍ରୁତ ସହରୀକରଣର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟକୁ ପ୍ରବେଶ କରୁଥିବାରୁ ଦୂରଦୃଷ୍ଟିସମ୍ପନ୍ନ ଓ ସମନ୍ୱିତ ଯୋଜନାର ଆବଶ୍ୟକତା ରହିଛି । ସ୍ଥାୟୀ ଯାତାୟାତ ନୀତିକୁ ପ୍ରାରମ୍ଭରୁ ଆପଣାଇ ଭବିଷ୍ୟତର ସମସ୍ୟାକୁ ଏଡ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଏଡିବିର ଟ୍ରାନ୍ସପୋର୍ଟ ସେକ୍ଟର ଅଫିସ୍ର ନିର୍ଦ୍ଦେଶକ ଶ୍ରୀ କାଞ୍ଜୋ ନାକାଇ ଯାତାୟାତ, ସହରୀ ଉତ୍ପାଦକତା ଓ ବିକାଶ ମଧ୍ୟରେ ଥିବା ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଛଅଟି ପ୍ରମୁଖ ମହାନଗରକୁ ନେଇ ସେମାନଙ୍କ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନର ଉଲ୍ଲେଖ କରି ସେ କହିଥିଲେ ଡ଼ିଶାର ବର୍ତ୍ତମାନର ସହରୀକରଣ ପର୍ଯ୍ୟାୟ ଏଭଳି ଏକ ସୁଯୋଗ ପ୍ରଦାନ କରୁଛି, ଯାହା ମାଧ୍ୟମରେ ପୁରୁଣା ମହାନଗରଗୁଡ଼ିକରେ ଦେଖାଦେଇଥିବା କାର୍-କେନ୍ଦ୍ରିକ ଯାତାୟାତ ଧାରା ଓ ଭିତ୍ତିଭୂମିଗତ ସମସ୍ୟାକୁ ଏଡ଼ାଇ ଅଧିକ ସ୍ଥାୟୀ ଓ ସମନ୍ୱିତ ଯାତାୟାତ ବ୍ୟବସ୍ଥା ଗଢ଼ି ତୋଳାଯାଇପାରିବ ।
କର୍ମଶାଳାରେ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ମ୍ୟୁନିସିପାଲ୍ ଆଡମିନିଷ୍ଟ୍ରେସନ୍ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, CRUTର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍ ଆଲମ୍, ଇଡକୋ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଡି. ପ୍ରଶାନ୍ତ ରେଡ୍ଡୀ ଏବଂ ବିଡିଏ ର ଉପାଧ୍ୟକ୍ଷ ଶ୍ରୀ ଚଞ୍ଚଳ ରାଣାଙ୍କ ସମେତ ୱର୍କ୍ସ ବିଭାଗ, OSRTC, ପୁଲିସ, IDCO, KDA ଏବଂ ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳମାନେ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଅନଲାଇନ୍ ମାଧ୍ୟମରେ ଯୋଗଦେଇଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।