ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ,ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ଵର : ଓଡିଶା ଗସ୍ତରେ ଆସୁଛନ୍ତି ଦୁଇ ବଡ଼ ରାଜନୈତିକ ବ୍ୟକ୍ତି । ଅକ୍ଟୋବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡିଶା ଗସ୍ତ ସମ୍ଭାବନା ଥିବା ବେଳେ ପୁଣି ୨୮ ଏବଂ ୨୯ ତାରିଖରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ମୟୁରଭଞ୍ଜରେ ଆୟୋଜିତ ହେବାକୁ ଥିବା ମେଗା ଆଇ କ୍ୟାମ୍ପ ଶିବିରରେ ଯୋଗଦେବେ । ଏହା ସହିତ ତାଙ୍କର ପାହାଡ଼ପୁର ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମହାମହିମ ମା' କିଚକେଶ୍ୱରୀ ମନ୍ଦିର ଯାଇ ମା'ଙ୍କୁ ଦର୍ଶନ କରିବେ । ଏନେଇ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ, ଅକ୍ଟୋବର ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ଭାବ୍ୟ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଏନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ।
ଶନିବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସକାଳ ୧୦ଟାରେ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଏହି ବୈଠକ ବସିବ। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତିର ସମୀକ୍ଷା କରାଯିବ । ସମ୍ଭାବ୍ୟ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା, ଯାତାୟାତ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା ହେବ। ଏହି ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।