ଆଜି ପୀଠ ଗୁଡିକରେ ମହାମାୟାଙ୍କ ମହାସପ୍ତମୀ ଏବଂ ମଣ୍ଡପରେ ମହା ଷଷ୍ଠୀ ପୂଜା
ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଧରାବତରଣ କରିଛନ୍ତି ମହାମାୟା ମା' ଜଗତଜନନୀ । ସମସ୍ତ ଦୈବୀ ପୀଠ ଗୁଡିକରେ ମା'ଙ୍କର ଷୋଡ଼ଶଦିନାତ୍ମକ ପୂଜା ଆରମ୍ଭ ହୋଇ ଗତକାଲି ବିଲ୍ୱ ବରଣ ପରେ ଆଜି ମହାସପ୍ତମୀ ପୂଜା ଚାଲିଛି । ସେହିପରି ମୃଣ୍ମୟୀ ମଣ୍ଡପଗୁଡ଼ିକରେ ମହାଷଷ୍ଠୀ ବିହିତ ପୂଜା ଓ ବିଲ୍ୱବରଣ ଅନୁଷ୍ଠିତ ହେଉଛି । ମହାଶକ୍ତି ମା’ ଦୁର୍ଗାଙ୍କ ଆଗମନରେ ଗଗନ ପବନ ପ୍ରକମ୍ପିତ । ଚାରିଆଡ଼େ ଭକ୍ତି, ଆଧ୍ୟାତ୍ମିକତା ଓ ଶକ୍ତି ଉପାସନାର ଅପୂର୍ବ ମାହୋଲ । ଦେବୀ ଦୁର୍ଗାଙ୍କୁ ଆବାହନ ଓ ଜାଗ୍ରତ କରିବା ପାଇଁ ବିଶେଷ ପୂଜା ପରେ ମା’ ଦୁର୍ଗାଙ୍କୁ ବେଲ ଗଛ ମୂଳେ ଆବାହନ କରି ପୂଜା ମଣ୍ଡପକୁ ସ୍ୱାଗତ କରିବା ଏବଂ ମା’ଙ୍କ ଚକ୍ଷୁଦାନ ରୀତି ଅନୁଷ୍ଠିତ ହେବ ।
କଟକର ଚଣ୍ଡୀ ମନ୍ଦିର, ଯାଜପୁରର ବିରଜା ପୀଠ ଏବଂ ପୁରୀର କାକଟପୁର ମଙ୍ଗଳା ପୀଠ ଭଳି ପ୍ରମୁଖ ପୀଠମାନଙ୍କରେ ମା'ଙ୍କର ମହାସପ୍ତମୀ ଉପଚାର ଓ ବିଶେଷ ଭୋଗ ଅର୍ପଣ କରାଯାଉଛି । ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ମାହୋଲ୍ ଜମିବାରେ ଲାଗିଛି । ଚଳିତ ବର୍ଷ ରାଜଧାନୀରେ ପ୍ରାୟ ୧୯୦ ରୁ ଅଧିକ ମଣ୍ଡପରେ ମା’ଙ୍କ ଆବାହନ କରାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।