କଳାହାଣ୍ଡିରେ ତୁହାକୁ ତୁହା ବର୍ଷା : ହାତୀ ନଦୀରେ ବନ୍ୟା ସ୍ଥିତି

Sep 25, 2026 - 07:22

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ବୁଧବାର ରୁ ଗୁରୁବାର ସକାଳ ମଧ୍ୟରେ ୨୯୪ ମିମି ବର୍ଷା ରେକର୍ଡ ହୋଇଛି। ଜିଲାର ଥୁଆମୂଳ ରାମପୁର ବ୍ଲକ୍ ରେ ସର୍ବାଧିକ ୭୨ ମିମି ବର୍ଷା ରେକର୍ଡ ହେଇଥିବା ବେଳେ ଜୟପାଟଣା ବ୍ଲକ ଅଞ୍ଚଳରେ ୬୧ ମିମି ବର୍ଷା ରେକର୍ଡ ହୋଇଛି। ଜିଲାରେ ଆଜି ସକାଳୁ ତୁହାକୁ ତୁହା ବର୍ଷା ହେଉଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଜିଲା ମହକୁମା ମନ୍ଦାରବଗିଚା ପଡ଼ା ଶଙ୍କର ନଗର, ହିଲ ଟାଉନ୍ ଅଞ୍ଚଳର କେତେକ ତଳିଆ ଅଞ୍ଚଳ ଜଲମଗ୍ନ ହୋଇଛି। ଜୟପାଟଣା ବ୍ଲକ୍ ଧନସୁଲି ରୁ ଚାନ୍ଦପୁର ରାସ୍ତାରେ ପ୍ରାୟ ୫ ଫୁଟ ପାଣି ଚାଲିଥିବା ସୂଚନା ମିଳିଛି। ଏଥିସହିତ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି।
ଆଜି ସକାଳ ସୁଦ୍ଧା ଇନ୍ଦ୍ରାବତୀ ଜଳଭଣ୍ଡାର ର ଜଳସ୍ତର ୬୪୦.୨୫୦ ମିଟର ରେ ପହଞ୍ଚିଥିଲା। ମେନ୍ ଡେମ୍ ରେ ଗୋଟାଏ ଗେଟ୍ ଖୋଲାଯାଇ ଇନ୍ଦ୍ରାବତୀ ନଦୀରେ ଜଳ ନିଷ୍କାସନ କରାଯାଉଛି। ପ୍ରକଳ୍ପ ଦ୍ୱାରା ୬୦୨ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି। ବର୍ଷା ଯୋଗୁଁ ଜିଲାର ତେଲ, ଉଦନ୍ତି, ହାତୀ, ରେତ ଆଦି ନଦୀରେ ଜଳସ୍ତର ବଢିଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି କଳାହାଣ୍ଡି ଜିଲ୍ଲାକୁ ରେଡ୍ ୱାର୍ଣିଂ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପାଇଁ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ ପ୍ରଶାସନ ସଜାଗ ରହିବାକୁ ରାଜସ୍ବ ମନ୍ତ୍ରୀ ଗତକାଲି ସମୀକ୍ଷା ବୈଠକ ବେଳେ ନିର୍ଦ୍ଦେଶ ଦେଇଥିଲେ। ହେଲେ ମଙ୍ଗଳପୁର ବ୍ୟାରେଜ ଅଞ୍ଚଳ, ନଈକୂଳିଆ ଗାଁ କିମ୍ବା ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଆଜି କୌଣସି ଅଧିକାରୀ ଙ୍କ ଦେଖା ମିଳିନଥିଲା।
ମଙ୍ଗଳପୁର ରୁ ୫ ଗେଟ୍ ଖୋଲିଲା
ଇନ୍ଦ୍ରାବତୀ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜ ରୁ ବାମ୍, ଡାହାଣ ଏବଂ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୫୦ କ୍ୟୁମେକ୍ସ ପାଣି ଛଡା ଯାଉଛି। ତେବେ ବର୍ଷା ଏବଂ ଜଳ ସଂରକ୍ଷଣ ସ୍ଥିତି କୁ ଦୃଷ୍ଟିରେ ରଖି ମଙ୍ଗଳପୁର ବ୍ୟାରେଜରୁ ଆଜି ୫ ଟି ଗେଟ୍ ଖୋଲା ଯାଇ ହାତୀ ନଦୀରେ ୫୫୦ ରୁ ୬୦୦ କ୍ୟୁମେକ୍ସ ପାଣି ଛଡା ଯାଉଛି। ଫଳରେ ବର୍ଷା ସାଙ୍ଗକୁ ମଙ୍ଗଳପୁର ବ୍ୟାରେଜ ପାଣି ମିଶି ହାତୀ ନଦୀରେ ଏକପ୍ରକାର ବନ୍ୟା ପରିସ୍ଥତି ସୃଷ୍ଟି ହୋଇଛି। ଫଳରେ ହାତୀ ନଦୀ ରେ ମିଶିଥିବା ନାଳ ଗୁଡ଼ିକ ର ଜଳ ନଦୀରେ ନିଷ୍କାସନ ହୋଇପାରୁନି। ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ନହେଲେ ଆସନ୍ତାକାଲି ସକାଳ ସୁଦ୍ଧା ହାତୀ ନଦୀରେ ପ୍ରବଳ ବନ୍ୟା ହେବା ସାଙ୍ଗକୁ କଲମପୂର୍, ଜୁନାଗଡ଼ ବ୍ଲକ୍ ରେ ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ସୂଚନା ଅନୁଯାୟୀ ମଙ୍ଗଳପୁର ବ୍ୟାରେଜ ର ଜଳଧାରଣ କ୍ଷମତା ୨୬୫ ମିଟର ରହିଛି। ଏଥି ସହିତ ବିଦ୍ୟୁତ୍ ଉତ୍ପାଦନରୁ ନିର୍ଗତ ପ୍ରାୟ ୨୦୦ କ୍ୟୁମେକ୍ସ ରୁ ଅଧିକ ପାଣି ମଙ୍ଗଳପୁର ବ୍ୟାରେଜ କୁ ଆସୁଛି। ଏଣୁ କ୍ଷମତା ଠାରୁ ଅଧିକ ଜଳ ବ୍ୟାରେଜ କୁ ଆସୁଥିବାରୁ ହାତୀ ବେଶିନ ବା ହାତୀ ନଦୀ ରେ ୫ ଟି ଗେଟ୍ ଦ୍ୱାରା ପାଣି ଛଡ଼ା ଯାଉଛି। ଫଳରେ ନଦୀରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ସାଧାରଣ ପରିସ୍ଥିତି ଉପୁଜିବା ପର୍ଯ୍ୟନ୍ତ ପ୍ରକଳ୍ପ ରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରଖିବାକୁ ଚାଷୀ ମହଲରେ ମତ ପ୍ରକାଶ ପାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।