କାହିଁକି କ୍ରିକେଟ ରେ ଏଆଇ ର ଏଣ୍ଟ୍ରି , ବଦଳିବ କି କ୍ରିକେଟରଙ୍କ ଭାଗ୍ୟ
କ୍ରିକେଟ୍ ମଇଦାନରେ ଏବେ ଏମିତି ଏକ ରହସ୍ୟମୟ ଟେକ୍ନୋଲୋଜିର ଏଣ୍ଟ୍ରି ହୋଇଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଖେଳାଳିଙ୍କ ହାତରେ ନୁହେଁ, ବରଂ କପାଳରେ ଲାଗିଛି ଏକ ଛୋଟ ଚିପ୍ । ଅଭ୍ୟାସ କରିବା ସମୟରେ ଏହାକୁ କାଢ଼ୁନାହାନ୍ତି ଖେଳାଳି । ଏହା କ'ଣ କୌଣସି ନୂଆ ଗ୍ୟାଜେଟ୍ ନା ଖେଳାଳିଙ୍କ ମସ୍ତିଷ୍କକୁ ପଢ଼ିବାର ଏକ ନୂଆ ପ୍ରଯୁକ୍ତି? ସବୁଠାରୁ ବଡ଼ କଥା, ଏହାର ପରୀକ୍ଷଣ କରୁଛି ଟିମ୍ ଇଣ୍ଡିଆ । ତେବେ କିଏ ଏହି ଡିଭାଇସ୍ ବ୍ୟବହାର କରୁଛନ୍ତି ଏବଂ ଏହା କ୍ରିକେଟ୍ ଖେଳକୁ କେମିତି ବଦଳାଇବ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।
କ୍ରିକେଟ୍ ଖେଳରେ ଏବେ ଆରମ୍ଭ ହେବାକୁ ଯାଉଛି ଟେକ୍ନୋଲୋଜିର ଏକ ନୂଆ ଅଧ୍ୟାୟ । ପୂର୍ବରୁ ଖେଳାଳିମାନେ ନିଜର ଫିଟନେସ୍ ଏବଂ ଖେଳର ପ୍ରଦର୍ଶନକୁ ନେଇ ବିଭିନ୍ନ ଟେକ୍ନୋଲୋଜିର ସହାୟତା ନେଉଥିଲେ । କିନ୍ତୁ ଏବେ ଖେଳାଳିଙ୍କ ଶାରୀରିକ ଫିଟନେସ୍ ସହ ମାନସିକ ସ୍ଥିତି ଉପରେ ମଧ୍ୟ ନଜର ରଖିବ ଏକ ଅତ୍ୟାଧୁନିକ ଡିଭାଇସ୍ ।
ଆଉ ଏହି ନୂଆ ପ୍ରଯୁକ୍ତିର ପରୀକ୍ଷଣ କରୁଛନ୍ତି ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଖେଳାଳି ଶୁଭମନ ଗିଲ୍। ନ୍ୟୁଜିଲାଣ୍ଡ ଗସ୍ତ ସମୟରେ ଅଭ୍ୟାସ କରୁଥିବା ବେଳେ ତାଙ୍କ କପାଳରେ ଲାଗିଥିବା ଏକ ଛୋଟ ଡିଭାଇସ୍ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମ ଦେଖାରେ ଏହା ଏକ ଛୋଟ ଚିପ୍ ଭଳି ଦେଖାଯାଉଥିଲେ ମଧ୍ୟ ଏହା ପଛରେ ରହିଛି ଏକ ବଡ଼ ଟେକ୍ନୋଲୋଜି । ଏହି ଡିଭାଇସ୍ର ନାଁ ହେଉଛି 'ଟେମ୍ପଲ୍' (Temple)। ଏହାକୁ ଜୋମାଟୋର ପ୍ରତିଷ୍ଠାତା ଦୀପିନ୍ଦର ଗୋଏଲଙ୍କ ଦ୍ୱାରା ବିକଶିତ କରାଯାଉଛି ।

ତେବେ ଏହି ଡିଭାଇସ୍ କାହିଁକି କପାଳରେ ଲଗାଯାଏ? ଏହା କ'ଣ କାମ କରେ?
ବାସ୍ତବରେ ଏହା ଏକ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ଓ ଫିଟନେସ୍ ଟ୍ରାକିଂ ଡିଭାଇସ୍ । ଏହାର ଉଦ୍ଦେଶ୍ୟ ହେଉଛି ଶରୀରର ରକ୍ତ ପ୍ରବାହ, ସ୍ନାୟୁତନ୍ତ୍ରର ପ୍ରତିକ୍ରିୟା ଏବଂ ମାନସିକ ଚାପ ସମ୍ପର୍କିତ ସଙ୍କେତଗୁଡ଼ିକୁ ଅଧ୍ୟୟନ କରିବା । ବିଶେଷ କରି ଜଣେ ଖେଳାଳି ଅଭ୍ୟାସ କରୁଥିବା ସମୟରେ କେତେ ଚାପରେ ରହୁଛନ୍ତି, ତାଙ୍କ ଶରୀର କିପରି ପ୍ରତିକ୍ରିୟା ଦେଉଛି ଏବଂ ମାନସିକ ଭାବେ ସେ କେତେ ସ୍ଥିର ଅଛନ୍ତି, ସେ ସମ୍ପର୍କରେ ତଥ୍ୟ ମିଳିପାରିବ । ଏହାଦ୍ୱାରା ଖେଳାଳିଙ୍କ ଅଭ୍ୟାସ ପଦ୍ଧତିକୁ ଆହୁରି ଉନ୍ନତ କରିବା ସହ ମ୍ୟାଚ୍ ସମୟରେ ଚାପକୁ କିପରି ସମ୍ଭାଳିବେ, ସେ ଦିଗରେ ମଧ୍ୟ ସହାୟତା ମିଳିପାରେ ।
ତେବେ ଏହି ଡିଭାଇସ୍ କେବଳ କ୍ରିକେଟ୍ ଖେଳାଳିଙ୍କ ପାଇଁ ନୁହେଁ। ବ୍ୟାଡମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ମଧ୍ୟ ଏହାର ପରୀକ୍ଷଣ କରିଥିବା ଖବର ରହିଛି । ତେବେ ଏହି ଟେକ୍ନୋଲୋଜିର କିଛି ସୁବିଧା ସହ ଚ୍ୟାଲେଞ୍ଜ ମଧ୍ୟ ରହିଛି । ଖେଳାଳିଙ୍କ ପ୍ରଦର୍ଶନ ଏବଂ ମାନସିକ ଚାପ ସମ୍ପର୍କରେ ଅଧିକ ତଥ୍ୟ ମିଳିବା ଏହାର ଏକ ବଡ଼ ସୁବିଧା। ଅନ୍ୟପଟେ, ଏହି ଡିଭାଇସ୍ର ତଥ୍ୟ କେତେ ସଠିକ୍, ଏହାର ଗୋପନୀୟତା କିପରି ସୁରକ୍ଷିତ ରହିବ ଏବଂ ଏହା ଖେଳାଳିଙ୍କ ପ୍ରଦର୍ଶନକୁ କେତେ ପ୍ରଭାବିତ କରିବ, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ।
ସବୁଠାରୁ ବଡ଼ କଥା ହେଉଛି, ଏହି ଡିଭାଇସ୍ ଏବେ ପରୀକ୍ଷଣ ପର୍ଯ୍ୟାୟରେ ରହିଛି । ଏହା ବଜାରକୁ ଆସିବା କିମ୍ବା ଏହାର ସମସ୍ତ ବୈଶିଷ୍ଟ୍ୟ ଆନୁଷ୍ଠାନିକ ଭାବେ ଘୋଷଣା ହେବା ବାକି ରହିଛି । ତେଣୁ କ୍ରିକେଟ୍ରେ ଏହି ନୂଆ ପ୍ରଯୁକ୍ତି କେତେ ସଫଳ ହେଉଛି, ତାହା ଆଗାମୀ ଦିନରେ ଜଣାପଡ଼ିବ । ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ଭବିଷ୍ୟତରେ କ୍ରିକେଟ୍ ଅଭ୍ୟାସର ଶୈଳୀ ହୁଏତ ସମ୍ପୂର୍ଣ୍ଣ ବଦଳିଯାଇପାରେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।