ବେଲୁଚିସ୍ତାନରେ କାହିଁକି ଥରହର ପାକିସ୍ତାନୀ ସେନା
ପାକିସ୍ତାନ ନିଜକୁ ପରମାଣୁ ଶକ୍ତି ବୋଲି ଗର୍ବ କରେ। ଏହାର ସେନା ଏବଂ ଗୁଇନ୍ଦା ସଂସ୍ଥା ISIକୁ ନେଇ ମଧ୍ୟ ରହିଛି ଅନେକ ଦମ୍ଭ। କିନ୍ତୁ ଏବେ ନିଜ ଦେଶର ମାଟିରେ ହିଁ ପାକିସ୍ତାନକୁ ମିଳିଛି ଏମିତି ଏକ ଚ୍ୟାଲେଞ୍ଜ, ଯାହା ତା'ର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଛିଡ଼ା କରିଛି। କିଏ ଏହି ଶକ୍ତି, ଯାହାକୁ ନେଇ ଏବେ ରାୱଲପିଣ୍ଡିଠାରୁ ଇସଲାମାବାଦ ପର୍ଯ୍ୟନ୍ତ ବଢ଼ିଛି ଚିନ୍ତା? କେମିତି ଗୋଟିଏ ଅପରେସନ୍ ପାକିସ୍ତାନୀ ସେନାକୁ ଏତେ ବଡ଼ ଝଟକା ଦେବାର ଦାବି କରୁଛି? ଆଉ ଏହା ପଛରେ ରହିଛି କି ବେଲୁଚିସ୍ତାନର ଦୀର୍ଘଦିନର ଅସନ୍ତୋଷ? ଆସନ୍ତୁ ଜାଣିବା ପୂରା ଖବର।
ପାକିସ୍ତାନ ନିଜକୁ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ବୋଲି ଦାବି କରେ। ଏହାର ସେନା ନିଜର ଶକ୍ତି ଓ ସାମରିକ କ୍ଷମତାକୁ ନେଇ ସବୁବେଳେ ଗର୍ବ କରିଆସିଛି। କିନ୍ତୁ ଏବେ ନିଜ ଦେଶର ମାଟିରେ ହିଁ ପାକିସ୍ତାନୀ ସେନାକୁ ଏକ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି।ବେଲୁଚିସ୍ତାନରେ ସକ୍ରିୟ ବିଚ୍ଛିନ୍ନତାବାଦୀ ସଂଗଠନ ବେଲୁଚ୍ ଲିବରେସନ୍ ଫ୍ରଣ୍ଟ ବା BLF ପକ୍ଷରୁ ଏକ ବଡ଼ ସାମରିକ ଅପରେସନ୍ କରାଯାଇଥିବା ଦାବି କରାଯାଇଛି। ଏହି ଅପରେସନ୍ର ନାଁ ରହିଛି 'ଅପରେସନ୍ ଆଲମାସ୍'।
ଏହି ଅପରେସନ୍କୁ ନେଇ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠିଛି । ଏପରିକି ପାକିସ୍ତାନୀ ସେନା ଓ ଗୁଇନ୍ଦା ସଂସ୍ଥା ISIର କ୍ଷମତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ଅକ୍ଟୋବର ୨୨ ତାରିଖରେ ଏହି ଅପରେସନ୍ ଆରମ୍ଭ ହୋଇଥିବା BLF ପକ୍ଷରୁ କୁହାଯାଇଛି। ଗ୍ୱାଦର ଏବଂ ଏହାର ଆଖପାଖ ଅଞ୍ଚଳକୁ ଟାର୍ଗେଟ୍ କରି ସଂଗଠନର ସଦସ୍ୟମାନେ ଏକାଧିକ ସ୍ଥାନରେ ଆକ୍ରମଣ କରିଥିବା ଦାବି ହୋଇଛି। ସଂଗଠନର ମୁଖପାତ୍ର ମେଜର ଗୁଆରାମ ବାଲୋଚ୍ ଏହି ଅପରେସନ୍ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ସଂଗଠନର ଯୋଦ୍ଧାମାନେ ପାକିସ୍ତାନର ଫ୍ରଣ୍ଟିୟର ୱାର୍କସ୍ ଅର୍ଗାନାଇଜେସନ୍ (FWO)ର ମୁଖ୍ୟ ଶିବିର ଏବଂ ବ୍ୟାରାକ୍କୁ ଟାର୍ଗେଟ୍ କରିଥିଲେ ।
BLFର ଦାବି ଅନୁସାରେ, କିଛି ସ୍ଥାନରେ ସେମାନଙ୍କ ଯୋଦ୍ଧାମାନେ ୨୦ ଘଣ୍ଟାରୁ ଅଧିକ ସମୟ ଧରି ନିୟନ୍ତ୍ରଣ ରଖିଥିଲେ। ଏହା ସହିତ ମୁଜାନି ଓ ଗାଭାତ କାଲୁଟନ୍ ଅଞ୍ଚଳର ପୋଲିସ ଷ୍ଟେସନ୍ଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯାଇଥିବା କୁହାଯାଇଛି। ତେବେ ଏହି ଅପରେସନ୍ରେ କେତେ ବଡ଼ କ୍ଷୟକ୍ଷତି ହୋଇଛି? ଏହାକୁ ନେଇ BLF ପକ୍ଷରୁ ଯେଉଁ ଦାବି କରାଯାଇଛି, ତାହା ଆହୁରି ଚର୍ଚ୍ଚା ବଢ଼ାଇଛି।ସଂଗଠନର ଦାବି ଅନୁସାରେ, ଏହି ଅପରେସନ୍ରେ ପାକିସ୍ତାନୀ ସେନା, ସାମରିକ ଗୁଇନ୍ଦା ବିଭାଗ ଏବଂ ISI ସହ ଜଡ଼ିତ ୮୦ରୁ ଅଧିକ ଅଧିକାରୀ ଓ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ସାମରିକ ଗୁଇନ୍ଦା ଅଧିକାରୀ, ଜଣେ କ୍ୟାପଟେନ୍ ଏବଂ ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍ର ଜଣେ କମାଣ୍ଡର ମଧ୍ୟ ଥିବା ଦାବି କରାଯାଇଛି ।
କେବଳ ଜୀବନହାନି ନୁହେଁ, ପାକିସ୍ତାନର ସାମରିକ ଯାନବାହନ ଓ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ କ୍ଷତି ପହଞ୍ଚାଇଥିବା BLF କହିଛି।ସଂଗଠନର ଦାବି ଅନୁସାରେ, ୨୦ରୁ ଅଧିକ ସାମରିକ ଗାଡ଼ି ଓ ଯୋଗାଣ ଟ୍ରକ୍ ନଷ୍ଟ ହୋଇଛି । ଏହା ବ୍ୟତୀତ ଚାରୋଟି ଫୋକର ବିମାନ ଏବଂ ଦୁଇଟି ନିରୀକ୍ଷଣ ଡ୍ରୋନ୍ ଧ୍ୱଂସ କରାଯାଇଥିବା ଦାବି ହୋଇଛି । ପାଞ୍ଚଟି ତେଲ ଟ୍ୟାଙ୍କର୍ ମଧ୍ୟ ନଷ୍ଟ ହୋଇଥିବା କୁହାଯାଇଛି।କିନ୍ତୁ ଏହି ଆକ୍ରମଣ ପଛରେ କେବଳ ସାମରିକ ବିବାଦ ନାହିଁ । ଏହା ପଛରେ ରହିଛି ବେଲୁଚିସ୍ତାନର ଦୀର୍ଘଦିନର ରାଜନୈତିକ ଓ ଆର୍ଥିକ ଅସନ୍ତୋଷ।ବେଲୁଚିସ୍ତାନ ପ୍ରାକୃତିକ ସମ୍ପଦରେ ଭରପୂର ଏକ ଅଞ୍ଚଳ। ଏଠାରେ ଗ୍ୟାସ୍, ଖଣିଜ ସମ୍ପଦ ଓ ଅନ୍ୟାନ୍ୟ ପ୍ରାକୃତିକ ଉତ୍ସ ରହିଛି। କିନ୍ତୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, ଏହି ସମ୍ପଦର ଲାଭ ସେମାନଙ୍କ ପାଖରେ ପହଞ୍ଚୁନାହିଁ।ବିଶେଷକରି ଚୀନ୍-ପାକିସ୍ତାନ ଇକୋନୋମିକ୍ କରିଡର୍ ବା CPEC ଏବଂ ରେକୋ ଡିକ୍ ଭଳି ବଡ଼ ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ରହିଛି । BLFର ଅଭିଯୋଗ ହେଉଛି, ବେଲୁଚିସ୍ତାନର ପ୍ରାକୃତିକ ସମ୍ପଦ ଓ ଉପକୂଳ ଅଞ୍ଚଳକୁ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରି ବ୍ୟବହାର କରାଯାଉଛି ।
ଏହି କାରଣରୁ ଚୀନ୍ ଓ ପାକିସ୍ତାନର ମିଳିତ ପ୍ରକଳ୍ପଗୁଡ଼ିକୁ ମଧ୍ୟ BLF ବିରୋଧ କରୁଛି। ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ବେଲୁଚିସ୍ତାନର ସମ୍ପଦ ଓ ଅଞ୍ଚଳକୁ ନେଇ ହେଉଥିବା କୌଣସି କାର୍ଯ୍ୟକୁ ସେମାନେ ବିରୋଧ କରିବେ ।
ଏପଟେ ଅପରେସନ୍ ଆଲମାସ୍ର ଆରମ୍ଭକୁ ନେଇ ମଧ୍ୟ BLF କିଛି ଦାବି କରିଛି । ସଂଗଠନ କହିଛି ଯେ, ଏହି ଆକ୍ରମଣର ଆରମ୍ଭରେ ସାଗର ଜମରାନି ନାମକ ଜଣେ ଆତ୍ମଘାତୀ ଆକ୍ରମଣକାରୀଙ୍କ ଭୂମିକା ଥିଲା। ଏହାପରେ କମାଣ୍ଡର ଖାଲିଦ ଓ ଅନ୍ୟ ସଦସ୍ୟମାନେ ଅପରେସନ୍ର ଦାୟିତ୍ୱ ନେଇଥିବା ଦାବି କରାଯାଇଛି।ତେବେ ଏହି ସମସ୍ତ ଦାବିକୁ ଏପର୍ଯ୍ୟନ୍ତ ସ୍ୱାଧୀନ ଭାବରେ ଯାଞ୍ଚ କରାଯାଇପାରିନାହିଁ। ପାକିସ୍ତାନ ସରକାର କିମ୍ବା ସେନା ପକ୍ଷରୁ ଏହି ଘଟଣାର ସମ୍ପୂର୍ଣ୍ଣ କ୍ଷୟକ୍ଷତି ନେଇ ସ୍ପଷ୍ଟ ତଥ୍ୟ ମିଳିବା ମଧ୍ୟ ଆବଶ୍ୟକ।
ତେଣୁ ଅପରେସନ୍ ଆଲମାସ୍କୁ ନେଇ ଏବେ ଅନେକ ପ୍ରଶ୍ନ। BLFର ଦାବି ଯଦି ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । ଗୋଟିଏ ପଟେ ଚୀନ୍ ସହ ଆର୍ଥିକ ସମ୍ପର୍କ ଓ ବଡ଼ ବଡ଼ ପ୍ରକଳ୍ପ, ଅନ୍ୟପଟେ ବେଲୁଚିସ୍ତାନରେ ଦୀର୍ଘଦିନର ଅସନ୍ତୋଷ । ଏହି ଦୁଇଟି ଚ୍ୟାଲେଞ୍ଜ ମଧ୍ୟରେ ପାକିସ୍ତାନ କିପରି ପରିସ୍ଥିତିକୁ ସମ୍ଭାଳୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।ତେବେ ପ୍ରଶ୍ନ ହେଉଛି, ବେଲୁଚିସ୍ତାନରେ ବଢ଼ୁଥିବା ଏହି ଅସନ୍ତୋଷ ଆଗକୁ ପାକିସ୍ତାନ ପାଇଁ ଆହୁରି ବଡ଼ ସଙ୍କଟ ସୃଷ୍ଟି କରିବ କି?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।